ଜିଲ୍ଲାପାଳଙ୍କ ଆଗରେ ମହାସଂଘ ମଧ୍ୟରେ ଆଲୋଚନା ସଫଳ

  • ପାରମ୍ପରିକ ଦଣ୍ଡନାଟ୍ୟରେ ଅପସଂସ୍କୃତି ପ୍ରଥା ପରିବେଷଣ ହେବ ନାହିଁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପାରମ୍ପରିକ ଦଣ୍ଡନାଟ୍ୟରେ ଦଣ୍ଡପୁରାଣ, ବୀଣାକାର ଗାହାଣ ଆଦି ଦଣ୍ଡନାଟ୍ୟରେ ପ୍ରଚଳିତ ଧାର୍ମିକପ୍ରଥା, ଲୋକସଂସ୍କୃତି ସମ୍ପନ୍ନ ନୃତ୍ୟ ଓ ସଙ୍ଗୀତ ପ୍ରଚଳିତ ଧାର୍ମିକ-ପ୍ରଥା ମଧ୍ୟରେ ସମାହିତ ହେବ, ରାତ୍ରି କାଳୀନ ମଞ୍ଚ ଅଭିନୟ କାର୍ଯ୍ୟକ୍ରମରେ କୌଣସି ଅଶ୍ଳୀଳ ନୃତ୍ୟ, ସଙ୍ଗୀତ ତଥା ଅପସଂସ୍କୃତି ଭଳି କଥାଚରିତ ରଙ୍ଗମଞ୍ଚରେ ପରିବେଷଣ ହେବ ନାହିଁ ବୋଲି ଶୁକ୍ରବାର ନିଷ୍ପତ୍ତି ଚୁଡାନ୍ତ ହୋଇଛି । ସାମାଜିକ ନାଟକ ଚଳିତ ବର୍ଷ ହେବ କି ନହେବ, ଏଭଳି ଲାଗିରହିଥିବା ଦ୍ଵନ୍ଦକୁ ଦୂର କରିବା ସହ ଦଣ୍ଡ ପରମ୍ପରା ସହ ଜଡିତ ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘ, ମୁକ୍ତମଞ୍ଚ କଳାକାର ସଂଘ, ଦଣ୍ଡନାଚ ସଂଗଠନ ଓ ଚିତ୍ରାଳୟ ମାଲିକ ସଂଘ ତରଫରୁ ଶୁକ୍ରବାର ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜ ଗୋପାଳ ପାଢ଼ୀ ଗଞ୍ଜାମ ଜିଲ୍ଲାପାଳଙ୍କୁ ଦଣ୍ଡନାଚରେ ଅପସଂସ୍କୃତି ରୋକିବା ପାଇଁ ପ୍ରଶାସନ ଆଣିଥିବା ଏସଓପିକୁ କଳାକାର ମାନେ ସ୍ୱାଗତ କରୁଥିବା ବେଳେ ଦଣ୍ଡନାଚରେ ରାତ୍ର ମଞ୍ଚରେ ପାରମ୍ପରିକ ନୃତ୍ୟ ହେବ ବୋଲି ଉଲ୍ଲେଖ କରାଯାଇଥିବାରୁ ସାମାଜିକ ନାଟକ ହେବନାହିଁ ବୋଲି କିଛି ବାହାରେ ଅପପ୍ରଚାର କରି କଳାକାରଙ୍କୁ ବିଭ୍ରାନ୍ତ କରୁଥିବା ନେଇ ଅବଗତ କରିଥିଲେ । ଦଣ୍ଡନାଚ ଅନୁଷ୍ଠାନ ଯେକୌଣସି ପାରମ୍ପରିକ କାର୍ଯ୍ୟକ୍ରମ କରୁ ସେଥିରେ କୌଣସି ପ୍ରକାର ଅପସଂସ୍କୃତି ନଥିବା ଦରକାର ବୋଲି ଜିଲ୍ଲାପାଳ କହିବା ସହ ଯଦି ଅପସଂସ୍କୃତି ନେଇ ଅଭିଯୋଗ ଆସେ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ । ସାମାଜିକ ନାଟକ ଦଣ୍ଡରେ ହେବନାହିଁ ବୋଲି ପ୍ରଶାସନ କହିନାହିଁ ଏଣୁ ଏହି ଘଟଣା ନିଜ ଅଂଚଳର ତହସିଲଦାରଙ୍କ ଜରିଆରେ ସମାଧାନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଗଞ୍ଜାମ ଦଣ୍ଡନାଚରେ ସାମାଜିକ ନାଟକ ଏକ ଦୀର୍ଘବର୍ଷର ପରମ୍ପରା । ଏହା ସହିତ ଗଂଜାମ ଜିଲ୍ଲା ସହିତ ପଡୋଶୀ ଜିଲ୍ଲାର ହଜାର କଳାକାର, ନାଟ୍ୟ ନିର୍ଦ୍ଦେଶକ, ଚିତ୍ରାଳୟ କର୍ମଚାରୀ, ଲାଇଟ ଏଣ୍ଡ ସାଉଣ୍ଡ କର୍ମଚାରୀ ଓ ଦଣ୍ଡନାଚ ଅନୁଷ୍ଠାନଙ୍କ ସ୍ୱାର୍ଥ ଜଡିତ । ଜିଲ୍ଲାପାଳଙ୍କ ସାକ୍ଷାତ ସମୟରେ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଭାପତି ରାଜଗୋପାଳ ପାଢ଼ୀଙ୍କ ସହିତ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଟୁଟୁ ପାଢ଼ୀ, ରାଜ୍ୟଚିତ୍ରାଳୟ ମାଲିକ ସଂଘର ସମ୍ପାଦକ ଦୁର୍ଗା ପ୍ରସାଦ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଜିଲ୍ଲାପାଳଙ୍କ ଆଲୋଚନା ପାଇଁ ଗଞ୍ଜାମ ଜିଲ୍ଲାର ମୋରାବାଇ, ଭାଲିଆଝୋଳା, ଖୁକୁଣ୍ଡିଆ, ବାବନପୁର, କମାପଲ୍ଲୀ, ଆମ୍ବପୁଆ, ବୁଗୁଡା, ଚୁଡ଼ଙ୍ଗପୁର, ନିମ ପଦର, କୁରୁଳା, ପୁରୁଷୋତ୍ତମପୁର, ଗୋଲିଆ, ଏ.କରଡ଼ାବାଡ଼ି, ବେଲଗୁଣ୍ଠା, ଦହିମୁଣ୍ଡଳୀ, ବକ୍ସିପଲ୍ଲୀ, ବେନ୍ଦାଳିଆ, ପୋଚାଲୁଣ୍ଡି, ଜୟନଗର, ପଙ୍କଳବାଡ଼ି ଆଦି ଦଣ୍ଡନାଚ ସଂଗଠନର ମ୍ୟାନେଜର, ଅଧିକାରୀ ଓ କର୍ମକାର୍ତ୍ତାଙ୍କ ସହିତ ଅନ୍ୟ ସମସ୍ତ ଜୋନର ଦଣ୍ଡ କର୍ମକର୍ତ୍ତା, ଜିଲ୍ଲାର ବହୁ ନାଟ୍ୟ ନିର୍ଦ୍ଦେଶକ ଓ କଳାକାର ଉପସ୍ଥିତ ଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ସଦସ୍ୟ ତଥା ନାଟ୍ୟ ନିର୍ଦ୍ଦେଶକ ନାୟକ ଏବଂ ଚିତ୍ରାଳୟର ଆଲୁଅ ଅପରେଟର ବବୁଲଙ୍କ ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା ସହ ଶୋକସଭା କରାଯାଇଥିଲା ।

Leave A Reply

Your email address will not be published.