ବଲାଙ୍ଗିର ଜିଲ୍ଲା କଳାକାର ସଂଘ ତରଫରୁ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜ ପରିସରରେ ଜିଲ୍ଲା କଳାକାର ସଂଘ ଆନୁକୂଲ୍ୟରେ ସ୍ୱର୍ଗତ ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅମର ଆତ୍ମାର ସତଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ ବଲାଙ୍ଗିରର ଅଗ୍ରଣୀ ସଂସ୍କୃତିକ ଅନୁଷ୍ଠାନ ପଂଚମର ଅଧ୍ୟକ୍ଷ ମୁରଲିଧାରୀ ପତି, ବଲାଙ୍ଗିର ନାଗରିକ କମିଟିର ସଂପାଦକ ମଧୁସୂଦନ ନାୟକ, ସଂଜ୍ୟୋତ କଳାପରିଷଦର ଅଧ୍ୟକ୍ଷା ସଂଗୀତା ଦାଶ, ପଶ୍ଚିମ ଓଡିଶା ପ୍ରଡ୍ୟୁସର ଏସୋସିଏସନ ର କାର୍ଯ୍ୟକାରୀ କମିଟି ସଦସ୍ୟ ମାଧବ ବାରିକ, ସିନେ କଳାକାର ରାମ ଶଙ୍କର ଶତପଥି, ଜିଲ୍ଲା କଳାକାର ସଂଘର ସଭାପତି ଅବଦୁଲ ଜମାଲ ଖାନ ଓ ବଲାଙ୍ଗିର ରେଲୱେ ୟୁଜର ଏସୋସିଏସନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ର ପ୍ରମୁଖ ସ୍ୱର୍ଗତ ହ୍ୟୁମାନ ସାଗରଙ୍କ ସ୍ମୃତିଚାରଣ କରିଥିଲେ । ବରିଷ୍ଠ ନାଗରିକ ମଂଚର ସଭାପତି ପ୍ରଭାକର ମିଶ୍ର ଅମର ଆତ୍ମାର ସ୍ମୃତିଚାରଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଏକ ଅଖ୍ୟାତ ପଲ୍ଲୀରେ ଜନ୍ମଗ୍ରହଣ କରି ଆକାଶବାଣୀ ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ରବିଚନ୍ଦ୍ର ସାଗରଙ୍କ ସୁପୁତ୍ର ହ୍ୟୁମାନ ସାଗର ନିଜର ସାଧନା ବଳରେ ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରି ବଲାଙ୍ଗିର ମାଟିକୁ ଗୌରବ ବୋହି ଆଣିଥିଲେ । ନିଜର ସାଧନାପଥରେ ଅନେକ ଘାତ ପ୍ରତିଘାତକୁ ଅତିକ୍ରମ କରି ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ ରୂପରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ ବୋଲି ବକ୍ତାମାନେ ମତ ରଖିଥିଲେ । ସଫଳତାର କଳେବରରେ ପାଦ ଥାପିଥିବା ସମୟରେ ହିଁ ସେ ଇହଲୀଳା ସମ୍ବରଣ କଲେ ବୋଲି ସମସ୍ତ ଦୁଃଖ ପ୍ରକାଶ କରିଥିଲେ ଓ ମତ ରଖିଥିଲେ ଯେ ହ୍ୟୁମାନ ସାଗରଙ୍କ ଦେହାନ୍ତ ବଲାଙ୍ଗିରର କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ନିରଞ୍ଜନ ରଥ, ବଲାଙ୍ଗିର ନାଗରିକ କମିଟିର କାର୍ଯ୍ୟକାରୀ କମିଟି ସଦସ୍ୟ ବିନୟ କୁମାର ମିଶ୍ର, ବରିଷ୍ଠ ନାଗରିକ ମଂଚର ପୂର୍ବତନ ସଭାପତି ନାରାୟଣ ଚନ୍ଦ୍ର ପାଢୀଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ କଳାକାର ଏଥିରେ ଅଂଶଗ୍ରହଣ କରିଥିଲେ । ସମାଜସେବୀ ପ୍ରସନ୍ନ କୁମାର ମିଶ୍ର ଓ ସୂକ୍ଷ୍ମକଳା କଳାକାର ସଚିଦାନନ୍ଦ ନାୟକ ବିଶେଷ ସହଯୋଗ କରିଥିଲେ ।

Leave A Reply

Your email address will not be published.