ଶହୀଦ ଲକ୍ଷ୍ମଣ ନାୟକ ଓଡ଼ିଶାର ଜଣେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ନେତା ଥିଲେ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶହୀଦ ଲକ୍ଷ୍ମଣ ନାୟକ ଓଡ଼ିଶାର ଜଣେ ଆଦିବାସୀ ସ୍ଵାଧୀନତା ସଂଗ୍ରାମୀ ନେତା ଥିଲେ । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଗାଁ ଗାଁ ବୁଲି ସ୍ଵାଧୀନତା ଅହିଂସାର ବାର୍ତ୍ତା ପ୍ରଚାର କରୁଥିଲେ । ଯାହା ବ୍ରିଟିଶମାନଙ୍କୁ ଅସୁବିଧା କରୁଥିଲା । ଶୋଷିତ, ଅତ୍ୟାଚାରିତ ଆଦିବାସୀଙ୍କୁ ମୁକ୍ତ କରିବା ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ । ସେ ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟର ତେନ୍ତୁଲିଗୁମ୍ମା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ଜନ୍ମ ଜୟନ୍ତୀକୁ ଚିର ସ୍ମରଣୀୟ କରିବା ପାଇଁ ଆଜି ବ୍ରହ୍ମପୁର ସ୍ଥିତ ମଣ୍ଡଳ କାରାଗାରରେ ସହିଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜୟନ୍ତୀ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଯୋଗଦେଇଥିଲେ । ଅନ୍ୟତମ ଅତିଥି ବ୍ରହ୍ମପୁର ମହାନଗର ନିଗମ ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜଶିର୍କେ, ମଣ୍ଡଳ କାରାଗାର ବରିଷ୍ଠ ଅଧିକ୍ଷକ ଧୀରେନ୍ଦ୍ର ନାଥ ବାରିକ, ଜେଲର ଲକ୍ଷ୍ମୀକାନ୍ତ ଧଙ୍ଗଡା ମାଝି ଉପସ୍ଥିତ ରହିଥିଲେ । ସମସ୍ତ ଅତିଥି ପ୍ରଥମେ ମଣ୍ଡଳ କାରାଗାର ଭିତରେ ଥିବା ସହିଦ ଲକ୍ଷ୍ମଣ ନାୟକଙ୍କ ସ୍ମୃତି ମନ୍ଦିରରେ ଯେଉଁଠି ସେ ବନ୍ଦୀ ଥିଲେ ସେଠାରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତା’ପରେ ମଣ୍ଡଳ କାରାଗାର ବାହାରେ ଯେଉଁଠି ସହିଦ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦିଆଯାଇଥିଲା ସେହିଠାରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ସମସ୍ତ ସାମ୍ବାଦିକ, ନେତୃବୃନ୍ଦ, ମଣ୍ଡଳ କାରାଗାରର ସମସ୍ତ କର୍ମଚାରୀ, ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିଲେ । ଭାରପ୍ରାପ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.