- ୭ ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ
ବୌଦ୍ଧ, (କେପିଏନ୍ଏସ୍) : ସୁସ୍ଥ ସମାଜ ସୃଷ୍ଟି ପାଇଁ ସତ୍ୟ ଏବଂ ନିରପେକ୍ଷ ଖବର ପରିବେଷଣ କରିବା ହେଉଛି ସାମ୍ବାଦିକ ମାନଙ୍କର କର୍ତ୍ତବ୍ୟ ବୋଲି ଜାତୀୟ ପ୍ରେସ ଦିବସରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗଦେଇ ଏହା କହିଛନ୍ତି । ବୌଦ୍ଧ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୫ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ଓଡ଼ିଶା ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ପ୍ରଦୋଷ କୁମାର ମିଶ୍ର ମୁଖ୍ୟବକ୍ତା, ସ୍ଵତନ୍ତ୍ର ସମ୍ମାନିତ ଅତିଥି ଭାବେ କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଦେବାଶିଷ ପୁରୋହିତ, ବୌଦ୍ଧ ଜିଲ୍ଲା ନାଗରିକ କମିଟି ସଭାପତି ବିଶେଶ୍ଵର ପୃଷ୍ଟି, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ସୌମିତ୍ରି ନାଏକ ପ୍ରମୁଖ ଯୋଗଦେଇ “ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ଵାସନୀୟତାର ସଂରକ୍ଷଣ” ଶୀର୍ଷକ ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଛାତ୍ରୀ ସୁନେଲୀ ବାଘ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରିଦ୍ଧି ମହାକୁଲ, ସାହିତ୍ୟିକ ନୀଳଲୋହିତ ମହାପାତ୍ର, ଅବସରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟ ଶ୍ୟାମ ସୁନ୍ଦର ମହାପାତ୍ର, ବରିଷ୍ଠ ସାମ୍ବାଦିକ ମୁକେଶ ପାଢୀ ଆଲୋଚ୍ୟ ବିଷୟବସ୍ତୁ ଉପରେ ନିଜର ଅଭିଭାଷଣ ରଖିଥିଲେ । ମୁଖ୍ୟ ଉନ୍ନୟନ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ଦିବଙ୍ଗତ ସାମ୍ବାଦିକଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ସାମ୍ବାଦିକ ଜ୍ଞାନେନ୍ଦ୍ର ନାରାୟଣ ରଥ, ବରିଷ୍ଠ ସାମ୍ବାଦିକ ସଜ୍ଜନ କୁମାର ଅଗ୍ରୱାଲ, ସତ୍ୟନାରାୟଣ ପାଣି, ହିମାଂଶୁ ଶେଖର ସାହୁ, ବଂଶୀଧର ମାଝୀ, ରଞ୍ଜନ କୁମାର ଦାଶ, ଦେବାନନ୍ଦ ସାହୁଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ରଘୁନାଥ ପଟ୍ଟାୟକ ୧ମ, ଯୋଗୀନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ଛାତ୍ର ଶକ୍ତି ପାଣ୍ଡେ ୨ୟ ଓ ବ୍ରାଇଟ ମାଇଣ୍ଡ ଡାଇମେନସନ ସ୍କୁଲ୍ ଛାତ୍ରୀ ଡେନିସରାଣୀ ପ୍ରଧାନ ୩ୟ । ଇଂରାଜୀ ବକ୍ତୃତା ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ସ୍ମୃତିକଣା ଦେହୁରୀ ୧ମ, କେ.ବି. ହିଷ୍ଟ କଲେଜ ଛାତ୍ର ସମରେଶ ସାମଲ ୨ୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଆଲିଶା ମହାକୁଳ ୩ୟ । ଓଡିଆ ବକ୍ତୃତା (ଷଷ୍ଠ/ଦଶମ) ପ୍ରତିଯୋଗିତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ରିଦ୍ଧି ମହାକୁଲ୍ ୧ମ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଅଧ୍ୟତ୍ରୀ ପୁରୋହିତ ୨ୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଦକ୍ଷୟନି ପ୍ରଧାନ ୩ୟ । ମହାବିଦ୍ୟାଳୟ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତାରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ରୀ ସୁନେଲୀ ବାଘ ୧ମ, ମଡେଲ ଡ଼ିଗ୍ରୀ କଲେଜ ଛାତ୍ରୀ ଡେଜଲିନ୍ ସାହୁ ୨ୟ, ଡି.ଆଇ.ଇ.ଟି ଛାତ୍ର ଅଂଶୁମାନ ରଥ ଓ ଛାତ୍ରୀ ପ୍ରାଚୀ ସୁବର୍ଣ୍ଣା ପୁରୋହିତ ୩ୟ ଭାବେ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ପୁରସ୍କୃତ ହୋଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି, କଳାକାର, ସାହିତ୍ୟିକ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର ଗ୍ରନ୍ଥାଗାରିକ ଅକ୍ଷୟ କୁମାର ମହାକୁଡ, ଜିତେନ୍ଦ୍ର କୁମାର ମହାନ୍ତି, ବୀରକିଶୋର କର୍ମୀ, ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସ୍ଵାଧୀନ କୁମାର ପରିଡା ଓ କଳାକାର କରୁଣାକର ବଗର୍ତ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।