ଅଜୟ କୁମାର ମହାନ୍ତିଙ୍କ ପୁସ୍ତକ ପାରା ଓ ଅନ୍ୟାନ୍ୟ ଗଳ୍ପ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ, ରାଉରକେଲା ଆନୁକୂଲ୍ୟରେ ଗାଳ୍ପିକ ଅଜୟ କୁମାର ମହାନ୍ତିଙ୍କ ପୁସ୍ତକ ପାରା ଓ ଅନ୍ୟାନ୍ୟ ଗଳ୍ପ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଲୋକାର୍ପିତ ହୋଇଯାଇଛି । ଅଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀଙ୍କ ପୌରୋହିତ୍ୟରେ ଓ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନାରେ ଆୟୋଜିତ ଏହି ସାରସ୍ଵତ କାର୍ଯ୍ୟକ୍ରମରେ ବରେଣ୍ୟ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ମୁଖ୍ୟଅତିଥି ଭାବେ କବି ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ, ପୁସ୍ତକର ଆଲୋଚକ ଭାବେ ଡ. ନଗେନ ଦାସ ରଚନା ପ୍ରକ୍ରିୟାରେ ଗଳ୍ପ, କାଶୀନାଥ ନନ୍ଦୀ ପୁସ୍ତକର ପ୍ରଥମାଂଶ, ପ୍ରଣତୀ ବେହେରା ପୁସ୍ତକର ଶେଷାଂଶ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ଲେଖକ ଶ୍ରୀ ମହାନ୍ତି କାହିଁକି ଏ ପୁସ୍ତକ ଲେଖିଛନ୍ତି ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଶ୍ରୀ ପାଣି ପଞ୍ଚତନ୍ତ୍ର ଓ ଅନ୍ୟାନ୍ୟ ଉଦାହରଣ ଦେଇ ଗଳ୍ପ କିପରି ସମାଜକୁ ପ୍ରଭାବିତ କରେ, ତଥା ଗାଳ୍ପିକ ଶ୍ରୀ ମହାନ୍ତିଙ୍କ ଏ କ୍ଷେତ୍ରରେ ଉଦ୍ୟମ ସାଧୁବାଦର ଯୋଗ୍ୟ ବୋଲି ମତ ରଖିଥିଲେ । ଆଲୋଚକମାନେ ସେମାନଙ୍କ ବକ୍ତବ୍ୟରେ ପୁସ୍ତକ ଓ ଗଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରି କହିଲେ ଯେ, ଆକସ୍ମିକ ଭାବେ ଗଳ୍ପ ଆରମ୍ଭ ହୁଏ ଓ ଅତର୍କିତ ଭାବେ ପରିସମାପ୍ତିରେ ଗଳ୍ପର ସାଥର୍କତା ଥାଏ । ବରେଣ୍ୟ ଅତିଥି ଓ ସମ୍ମାନିତ ଅତିଥି ଗାଳ୍ପିକଙ୍କ ଅନ୍ତର୍ଦାହ, ଅନୁଶୀଳନ, ଆତ୍ମସମୀକ୍ଷା ଓ ସାମାଜିକ ତଥା ନିତ୍ୟ ପ୍ରତ୍ୟେକ ଦିନ ଘଟୁଥିବା ଘଟଣାବଳୀକୁ ଗଳ୍ପରେ ରୂପ ଦେଇଥିବାରୁ ତାହା ପାଠକୀୟ ସ୍ଵୀକୃତି ଲାଭ କରିବ ବୋଲି ମତ ରଖିଥିଲେ । ଅଧ୍ୟାପିକା ଚିନ୍ମୟୀ ପୁରୋହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

Leave A Reply

Your email address will not be published.