ଡାକ ବିଭାଗର ବଡ଼ ପଦକ୍ଷେପ : ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

ନୂଆଦିଲ୍ଲୀ, (ପିଆଇବି) : ଡାକ ବିଭାଗ ଦ୍ୱାରା ଚିଠି ଏବଂ ପାର୍ସଲର ଦ୍ରୁତ ଏବଂ ନିର୍ଭରଯୋଗ୍ୟ ବିତରଣ ପାଇଁ, ୧ ଅଗଷ୍ଟ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ସ୍ପିଡ୍ ପୋଷ୍ଟ ସେବା, ବିଗତ ସମୟରେ ଦେଶର ସବୁଠାରୁ ବିଶ୍ୱସ୍ତ ଡାକ ସେବା ଭାବେ ନିଜ ସ୍ଥାନ ସୁଦୃଢ କରିଛି । ଏହି ସେବା, ଭାରତୀୟ ଡାକର ଆଧୁନିକୀକରଣ ପ୍ରୟାସର ଏକ ମାଇଲ୍‌ଷ୍ଟୋନ୍ ଭାବରେ, ବର୍ଷ ବର୍ଷ ଧରି ଦେଶରେ ସବୁଠୁ ବିଶ୍ୱସ୍ତ ଏବଂ ଲୋକପ୍ରିୟ । ବ୍ୟକ୍ତିଗତ ଏବଂ କର୍ପୋରେଟ୍ ଗ୍ରାହକଙ୍କ ବିଶ୍ୱାସ ଅର୍ଜନ କରି, ସ୍ପିଡ୍ ପୋଷ୍ଟ ସେବା ଦୃଢ଼ତାର ସହ ଆଗେଇ ଚାଲିଛି । ଗ୍ରାହକଙ୍କ ପରିବର୍ତ୍ତିତ ଆବଶ୍ୟକତା ସହିତ ଖାପ ଖୁଆଇବା ଏବଂ ସ୍ପିଡ୍ ପୋଷ୍ଟରେ ନିର୍ଭରଯୋଗ୍ୟତା, ସୁରକ୍ଷା ଓ ସୁବିଧାକୁ ଆହୁରି ବୃଦ୍ଧି କରିବା ଲକ୍ଷ୍ୟରେ, ବିଭାଗ ପକ୍ଷରୁ ନିମ୍ନଲିଖିତ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରାଯାଇଛି । ଓଟିପି ଆଧାରିତ ସୁରକ୍ଷିତ ବିତରଣ, ଅନଲାଇନ୍ ପେମେଣ୍ଟ, ଏସଏମଏସ୍ ଆଧାରିତ ବିଜ୍ଞପ୍ତି, ସୁବିଧାଜନକ ଅନଲାଇନ୍ ବୁକିଂ, ପ୍ରକୃତ-ସମୟ ଅପଡେଟ୍ ଏବଂ ପଞ୍ଜୀକରଣ ସୁବିଧା । ଅନ୍ତଃଦେଶୀୟ ସ୍ପିଡ୍ ପୋଷ୍ଟ ଶୁଳ୍କ ୨୦୧୨ ମସିହାରେ ପ୍ରଥମେ ସଂଶୋଧନ କରାଯାଇଥିଲା । ବର୍ଦ୍ଧିତ ପରିଚାଳନା ଖର୍ଚ୍ଚ ପୂରଣ, ନୂତନ ଉଦ୍ଭାବନରେ ନିବେଶ ଏବଂ ସ୍ଥାୟୀ ଗୁଣୋତ୍ତର ସୁନିଶ୍ଚିତ କରିବା ପାଇଁ, ସ୍ପିଡ୍ ପୋଷ୍ଟର ଶୁଳ୍କ (ଡକ୍ୟୁମେଣ୍ଟ୍) ୨୫.୦୯.୨୦୨୫ ତାରିଖର ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା ୪୨୫୬ ଅନୁସାରେ ସଂଶୋଧନ କରାଯାଇଛି । ସଂଶୋଧିତ ଶୁଳ୍କ ୧ ଅକ୍ଟୋବର ୨୦୨୫ରୁ କାର୍ଯ୍ୟକାରୀ ହେବ । ୧୩ ବର୍ଷ ପରେ, ବଢ଼ୁଥିବା ପରିଚାଳନା ଖର୍ଚ୍ଚ ଓ ସେବାର ଆଧୁନିକୀକରଣକୁ ଧ୍ୟାନରେ ରଖି, ନୂଆ ଶୁଳ୍କ ଘୋଷଣା କରାଯାଇଛି । ପ୍ରାୟତଃ ୫୦ ଗ୍ରାମ ପର୍ଯ୍ୟନ୍ତ ଓଜନ ବା ଦୂରତା ପାଇଁ ସ୍ଥାନୀୟ ସ୍ପିଡ୍ ପୋଷ୍ଟର ଶୁଳ୍କ ୧୯ ଟଙ୍କା ହେବା ସହିତ, ଅଧିକ ୨୦୦ କି.ମି. ପାଇଁ ୪୭ ଟଙ୍କା ଶୁଳ୍କ ରଖାଯାଇଛି । ସେହିପରି ୫୧ରୁ ୨୫୦ ଗ୍ରାମ ପର୍ଯ୍ୟନ୍ତ ୨୪ରୁ ୭୭ ଟଙ୍କା ଓ ୨୫୧ରୁ ୫୦୦ ଗ୍ରାମ ପର୍ଯ୍ୟନ୍ତ ୨୮ରୁ ୯୩ ଟଙ୍କା ଶୁଳ୍କ ଦେବାକୁ ହେବ । ଡକ୍ୟୁମେଣ୍ଟ ଏବଂ ପାର୍ସଲ ପ୍ରେରଣରେ, ପ୍ରେଷକଙ୍କ ପଞ୍ଜୀକରଣ ସୁବିଧାକୁ ବାଧ୍ୟତାମୂଳକ କରାଯାଇଛି । ‘ପଞ୍ଜୀକରଣ’ର ମୂଲ୍ୟଯୁକ୍ତ ସେବା ପାଇଁ ପ୍ରତି ସ୍ପିଡ୍ ପୋଷ୍ଟ ଆଇଟମ୍ (ଡକ୍ୟୁମେଣ୍ଟ/ପାର୍ସଲ୍) ପାଇଁ ୫ ଟଙ୍କାର ଏକ ନାମମାତ୍ର ଶୁଳ୍କ, ଏବଂ ପ୍ରଯୁଜ୍ୟ ଜିଏସଟି ଲାଗୁ ହେବ । ଯେଉଁଠାରେ ଚିଠି ବା ପାର୍ସଲ କେବଳ ଠିକଣାପ୍ରାପ୍ତ ବ୍ୟକ୍ତି କିମ୍ବା ଠିକଣାପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ଉପଯୁକ୍ତ ଭାବରେ ପ୍ରାଧୀକୃତ ବ୍ୟକ୍ତିଙ୍କୁ ବିତରଣ କରାଯିବ । ସେହିପରି, ‘ୱାନ-ଟାଇମ୍ ପାସୱାର୍ଡ (ଓଟିପି) ବିତରଣ’ର ମୂଲ୍ୟଯୁକ୍ତ ସେବା ପାଇଁ ପ୍ରତି ସ୍ପିଡ୍ ପୋଷ୍ଟ ଆଇଟମ୍ ନିମନ୍ତେ ୫ ଟଙ୍କା ଶୁଳ୍କ ଏବଂ ପ୍ରଯୁଜ୍ୟ ଜିଏସଟି ଲାଗୁ ହେବ । ଏହି ବୈଶିଷ୍ଟ୍ୟ ଅଧୀନରେ, ଡେଲିଭରୀ କର୍ମଚାରୀଙ୍କ ସହିତ ସେୟାର କରାଯାଇଥିବା ଓଟିପିର ସଫଳ ନିଶ୍ଚିତକରଣ ପରେ ହିଁ ଚିଠି କିମ୍ୱା ପାର୍ସଲ ଠିକଣାକାରୀଙ୍କୁ ହସ୍ତାନ୍ତର କରାଯିବ । ଛାତ୍ରଛାତ୍ରୀଙ୍କ ପାଇଁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଆବେଦନ ପତ୍ର ପ୍ରେରଣରେ ୧୦ ପ୍ରତିଶତ ରିହାତି ଘୋଷଣା କରାଯାଇଛି । ଏହା ସହିତ, ନୂତନ ବଲ୍କ ଗ୍ରାହକଙ୍କ ପାଇଁ ୫ ପ୍ରତିଶତ ରିହାତିର ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଚଳନ କରାଯାଇଛି । ଡାକ ବିଭାଗଙ୍କ ଏହି ପଦକ୍ଷେପଗୁଡ଼ିକ, ସ୍ପିଡ୍ ପୋଷ୍ଟକୁ ଅଧିକ ସୁରକ୍ଷିତ, ସ୍ୱଚ୍ଛ ଏବଂ ଗ୍ରାହକ-ସହଜ ସେବାରେ ପରିଣତ କରିବ । ଏହା ଫଳରେ, ଦେଶର ସମସ୍ତ ଗ୍ରାହକଙ୍କ ପାଇଁ ଦ୍ରୁତ, ନିର୍ଭରଯୋଗ୍ୟ ଏବଂ ଗ୍ରାହକମୁଖୀ ସେବା ସୁନିଶ୍ଚିତ ହେବ ।

Leave A Reply

Your email address will not be published.