ପୁନେ ଠାରେ ପ୍ରବାସୀ ଓଡିଆଙ୍କ ତରଫରୁ ନୂଆଖାଇ ଭେଟଘାଟ ଆୟୋଜିତ

ମହାରାଷ୍ଟ୍ର : ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇକୁ ନିଜସ୍ଵ ଢଙ୍ଗରେ ପାଳନ କରିବା ସକାଶେ ବିଭିନ୍ନ ରାଜ୍ୟରେ ରହୁଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରେ ବେଶ ତପ୍ତରତା ଦେଖିବାକୁ ମିଳିଛି । ଏହି ଅବସରରେ ମହାରାଷ୍ଟ୍ରର “ଭେଟଘାଟ୍ କଲଚରାଲ୍ ଆସୋସିଏସନ୍” ଦ୍ୱାରା ସ୍ଥାନୀୟ ଅଂକୁଶରାଓ ଲାଂଡ଼ଗେ ନାଟ୍ୟଗୃହ, ଭୋଶରୀ ଠାରେ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଆଇପିଏସ ସଂଜୀବ ପାଟଯୋଶୀ ଯୋଗ ଦେଇଥିଲେ । ଏହି ଅବସରରେ ସମସ୍ତେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିଲେ । ସକାଳ ୧୦ଟାରେ ପ୍ରଥମେ ମାଁ ସମଲେଇଙ୍କ ପୂଜାର୍ଚ୍ଚନା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଓଡିଶାର ପ୍ରସିଦ୍ଧ ଲୋକନୃତ୍ୟ ଦଳ “ଦୁଲଫୁଲ କଳା ପରିଷଦ” ଭୂତିଆରବାହାଲ, ବରଗଡକୁ ଆମନ୍ତ୍ରଣ କରାଯାଇଥିଲା । ଗୀତ ବାଦ୍ୟରେ ଖୁବ୍ ଝୁମିଥିଲେ ଦର୍ଶକ । କଳା ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା ଦିଗରେ ଉଲ୍ଲେଖନୀୟ ଅବଦାନ ସକାଶେ ସମ୍ବଲପୁରୀ ଚଳଚ୍ଚିତ୍ର “ଭୁୁଖା”ର ସଙ୍ଗୀତ ନିର୍ଦ୍ଦେଶକ ରମେଶ ମହାନନ୍ଦଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଭାତ ଡାଲି ସମେତ କରଡି, ଆମ୍ବିଲ, ଘାଣ୍ଟ ତରକାରୀ, ଖିରୀ, ଆରିସା ପିଠା ଇତ୍ୟାଦି ଅନେକ ସୁସ୍ୱାଦୁ ଖାଦ୍ୟ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମ ଆୟୋଜନ ସକାଶେ “ଭେଟଘାଟ୍ କଲଚରାଲ୍ ଆସୋସିଏସନ୍”ର ସଭାପତି ହେମସାଗର ସାହୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଜଣାଇବା ସହିତ ଭବିଷ୍ୟତରେ ମଧ୍ୟ ସହଯୋଗ କାମନା କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସୋସିଏସନ୍ ତରଫରୁ ଭେଟଘାଟ୍ ବାର୍ଷିକ-ପତ୍ରିକା ଉନ୍ମୋଚିତ ହୋଇଥିଲା । ପିଙ୍କି ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ସଞ୍ଜୟ ମହାନ୍ତି, ଦିବ୍ୟକିଶୋର୍ ବକ୍ସି, ଅନୁପ ମିଶ୍ର ସହଯୋଗ କରିଥିଲେ । ସେହିପରି ପୁନେ ସ୍ଥିତ ଅନ୍ୟ ଏକ ପ୍ରବାସୀ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ପାଷାଣ ସ୍ଥିତ ଏରୋମି ଠାରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ କୁନି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ମଧ୍ୟାହ୍ନ ଭୋଜନରେ ଶୁଦ୍ଧ ପାରମ୍ପରିକ ପଶ୍ଚିମ ଓଡ଼ିଶାର ଦେଶୀ ଆମ୍ବିଳା ସାଙ୍ଗକୁ କଙ୍କୋଡୋ ଭଜା, ଶାଗ, କରଡ଼ି ଭଳି ଖାଦ୍ୟର ମଜା ନେଇଥିଲେ ଉପସ୍ଥିତ ଓଡ଼ିଆ ଲୋକେ । ନିବେଦିତା, ବନିତା, ଅମୃତା, ଉମାକାନ୍ତ, ବେଣୁଧର, ସ୍ଵାଧୀନ, ନରେନ୍, ଶିବାଶିଷ, ରବି, ଦିଲୀପ, ସରୋଜ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ, ଓଡ଼ିଶା ବାହାରେ ନୂଆଖାଇ ପାଳନ କରିବାରେ ଦିଲ୍ଲୀ ପରେ ପୁନେ ହେଉଛି ଦ୍ଵିତୀୟ ସହର । ଗତ ୨୦୦୭ ମସିହା ପରଠାରୁ ଦୀର୍ଘ ୧୯ ବର୍ଷ ଧରି ପୁନେସ୍ଥିତ ପ୍ରବାସୀ ଓଡ଼ିଆମାନେ ବେଶ ଧୁମଧାମରେ ନୂଆଖାଇ ଭେଟ କାର୍ଯ୍ୟକ୍ରମ ଆୟୋଜିତ କରି ଆସୁଛନ୍ତି ।

Leave A Reply

Your email address will not be published.