jayashree

ଧୂଳିମୟ ସିନ୍ଧେକେଲା ମୁଖ୍ୟ ରାଜରାସ୍ତା

ଟିଟିଲାଗଡ, (ଗୌରବ ଦର୍ଜୀ) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଏକ ପଞ୍ଚାୟତ ମୁଖ୍ୟାଳୟ । ପୂର୍ବରୁ ଏକ ଛୋଟ ଗାଁ ଥିଲେ ମଧ୍ୟ ବର୍ତ୍ତମାନ ଏହା ଏକ ଛୋଟ ସହରରେ ରୂପାନ୍ତରିତ ହୋଇ ସାରିଲାଣି । କହିବା ବାହୁଳ୍ୟ ଯେ, ଆମ ରାଜ୍ୟରେ ଅନେକ ବ୍ଲକ, ଏନଏସିର ମୁଖ୍ୟାଳୟ ଅଛି ଯେଉଁଠାରେ କି ବର୍ତ୍ତମାନ ମଧ୍ୟ ସାଧାରଣ ସୁବିଧା ଓ ଗମନାଗମନ ପାଇଁ ସଡକରୁ ବିଚ୍ଛିନ୍ନ ହୋଇଛି । କିନ୍ତୁ ସିନ୍ଧେକେଲା ଏକ ପଞ୍ଚାୟତ ମୁଖ୍ୟାଳୟ ହୋଇଥିଲେ ହେଁ ଏଠାରେ ବିଭିନ୍ନ କମ୍ପାନୀର ବାଇକ ସୋରୁମ, ବିଭିନ୍ନ କମ୍ପାନୀର ଏଜେନ୍ସୀ, ଡିଷ୍ଟ୍ରିବ୍ୟୁଟର ତଥା କୁଲର, ପଙ୍ଖା ଠାରୁ ଦେଶ ତଥା ଦେଶ ବାହାରୁ ସରଞ୍ଜାମ ଆସି ସୁନାମଧନ୍ୟ କମ୍ପାନୀର ଏଲଇଡି ଟିଭି, ଏଲସିଡୀ ତିଆରି ହେଉଛି । ସ୍କୁଲ, କଲେଜ, ପୋଲିସ ଷ୍ଟେସନ, ବଙ୍ଗୋମୁଣ୍ଡା ବ୍ଲକର ମୁଖ୍ୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସିନ୍ଧେକେଲାରେ ଅଛି । ତେବେ ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ସିମାନ୍ତରେ ଅବସ୍ଥିତ ଥିବାରୁ ଏହି ଗାଁର ପାରିପାଶ୍ୱିକ ସ୍ଥିତି ବର୍ତ୍ତମାନ ବେଶ ମଜବୁତ ହୋଇପାରିଛି ସତ କିନ୍ତୁ ଏହି ଗାଁର ଦୁଃଖ ପାଲଟିଛି ଗାଁ ମଧ୍ୟ ମୁଖ୍ୟ ରାସ୍ତା ଦେଇ ଯାଇଥିବା ୪୨ ନମ୍ବର ରାଜ୍ୟ ରାଜପଥ । ଗାଁ ବଢିବା ସହ ରାସ୍ତା ସଙ୍କୁଚିତ ହୋଇ ଯାଇ ଥିବାରୁ ପ୍ରତିଦିନ ଟ୍ରାଫିକ ଜାମ ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ଗୋଟିଏ ଗାଡି ଆସୁଥିଲେ ଆଉ ଗୋଟିଏ ଗାଡି ଯିବା ମୁସ୍କିଲ ।

୫ଶହ ମିଟର ରାସ୍ତା ଅତିକ୍ରମ କରିବା ପାଇଁ ପ୍ରାୟ ଘଣ୍ଟାଏ ସମୟ ଲାଗୁଛି । ଆମ୍ବୁଲାନ୍ସ, ପୋଲିସ ଗାଡି, ଫାୟାର ଗାଡି ବି ଅନେକ ଥର ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ ସାଧାରଣ ଲୋକଙ୍କ କଥା କିଏ ପଚାରେ । ଏପରି ସ୍ଥିତିରେ ସିନ୍ଧେକେଲା ଅଞ୍ଚଳର ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସାଜିଛି ରାଜସ୍ୱ ବିଭାଗ । ରାଜସ୍ୱ ବିଭାଗ ସିନ୍ଧେକେଲା ଦେଇ ବହି ଯାଉଥିବା ଉନ୍ଦେର ନଦୀର ଚାନ୍ଦୋତରା ବାଲିଘାଟ, ତେଳସରାଇ ଆଦି ବାଳି ସୈରାତ ଖନନ ପାଇଁ ବିଭିନ୍ନ ଠିକା ସଂସ୍ଥାକୁ ଦେଇଛନ୍ତି । ଠିକା ପାଇଥିବା ସଂସ୍ଥା ମାନେ ପ୍ରତିଦିନ ଶହଶହ ଟ୍ରାକ୍ଟର , ହାଇୱା, ଓ ଟ୍ରକ ଯୋଗେ ବାଳି ଚାଳାଣ କରୁଛନ୍ତି । ସେହି ବାଳି ଗୁଡିକ ରାସ୍ତାରେ ପଡି ପୁରା ସିନ୍ଧେକେଲା ବାଳିମୟ ହେବାସହ କେତେବେଳେ କୌଣସି ଟ୍ରକ କିମ୍ବା ଟ୍ରାକ୍ଟର ସ୍ପିଡରେ ଗଲାବେଳେ ହଠାତ ବ୍ରେକ ଦେଳେ ଦିନ ଦି ପ୍ରହରରେ କୁହୁଡି ପଡିଥିବା ଭ୍ରମ ସୃଷ୍ଟି ହୁଏ । ଏତେ ଅସୁବିଧା ସତ୍ୱେ ସିନ୍ଧେକେଲା ମୁଖ୍ୟ ରାସ୍ତାରେ ଯିବା ଆସିବା ପାଇଁ ସମୟର କୌଣସି ପ୍ରତିବନ୍ଧକ ନ ଥିବାରୁ ଅନାୟାସରେ ୧୬ ଚକିଆ ଟ୍ରକଠାରୁ ଆରମ୍ଭ କରି ବିଭିନ୍ନ ଭାରୀଯାନ ଗାଁ ଦେଇ ଯାତାୟତ କରୁଥିବା ଯୋଗୁଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁନେଇ ଆଜି ସିନ୍ଧେକେଲା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶିଷ୍ଟ ସମାଜ ସେବୀ ଅନିଲ କୁମାର ତ୍ରିପାଠୀଙ୍କ ଆହ୍ୱାନ କ୍ରମେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସିନ୍ଧେକେଲା ବଣିକସଂଘର ସଭାପତୀ ସରୋଜ ଜୈନ, ପୂର୍ବତନ ବଣିକସଂଘ ସଭାପତୀ ସୁବାସ ଜୈନ, ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭୋଲାନାଥ ବେହେରା, ସିନ୍ଧେକେଲା ଜିଲ୍ଲାପରିଷଦ ସଦସ୍ୟା ଙ୍କ ପ୍ରତିନିଧି ତଥା ପୂର୍ବତନ ବିଜେପି ମଣ୍ଡଳ ସଭାପତୀ ଅନିଲ ନାଏକ, ଜିଲ୍ଲା ବିଜେଡି ଉପ ସଭାପତି ଉମାକାନ୍ତ ସାହୁ , ପୂର୍ବତନ ସରପଞ୍ଚ ନରେଶ ଅଗ୍ରୱାଲ , ବରିଷ୍ଠ ବିଜେଡି ନେତା ଉମାଶଙ୍କର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ଦିନେଶ ଜୈନ, କଂଗ୍ରେସ ନେତା ଓମପ୍ରକାଶ ସାହୁ , ବିଜେପି ଯୁବମୋର୍ଚ୍ଚା ସିନ୍ଧେକେଲା ମଣ୍ଡଲ ସଭାପତୀ ନୌରାଜ ରଣା, ଉପ ସଭାପତି ହେମନ୍ତ ସାହୁ, ତପନ ଚନ୍ଦା, ଯୁବ ନେତା ଯୁବରାଜ ବାଗ, ଓମଦେବ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିବା ସହ ସମସ୍ୟାର ସମାଧାନ ପାଇଁ ବଙ୍ଗୋମୁଣ୍ଡା ତହସିଲଦାର, ଟିଟିଲାଗଡ ଉପଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କୁ ପ୍ରଥମେ ଲିଖିତ ଜଣାଇ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ତଥାପି ଯଦି ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ସମସ୍ୟାର ସମାଧାନ ନ ହୁଏ ତେବେ ଆଗାମୀ ଦିନରେ ଦଳଗତ ନିର୍ବିଶେଷରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।

Leave A Reply

Your email address will not be published.