ବଲାଙ୍ଗିର, (କେପିଏନ୍ଏସ୍) : ଶ୍ରୀ ଶ୍ରୀ ଠାକୁରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ଗଭୀର ଭକ୍ତି ଓ ଉତ୍ସାହର ସହିତ ବଲାଙ୍ଗିରରେ ପାଳିତ ହୋଇଯାଇଛି । ଦିନଭରି ଭଜନ କୀର୍ତ୍ତନ ଓ ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରାୟ ୯୦୦ରୁ ଅଧିକ ଗୁରୁଭାଇଙ୍କ ଅଂଶଗ୍ରହଣ ଦୃଷ୍ଟି ଆକର୍ଷକ ଥିଲା । ସକାଳେ ସଙ୍ଗୀତଞ୍ଜଳି ସହ ଉତ୍ସବର ଆରମ୍ଭ ହୋଇଥିଲା । ପରେ ସକାଳ ୧୧ରୁ ବିକାଳ ୧ଟା ପର୍ଯ୍ୟନ୍ତ ସତସଙ୍ଗ ଆୟୋଜିତ ହୋଇଥିଲା । ଯେଉଁଠାରେ ନବୀନ କୁମାର ହୋତାଙ୍କ ଆତ୍ମାନୁଭୂତିମୟ କୀର୍ତ୍ତନରେ ଉପସ୍ଥିତ ସମସ୍ତେ ମୋହିତ ହୋଇପଡିଥିଲେ । ତାପରେ ଆନନ୍ଦ ବଜାରରେ ପ୍ରସାଦ ବିତରଣ ହୋଇଥିଲା, ଯେଉଁଠି ସମସ୍ତ ଗୁରୁଭାଇ ଓ ମା’ ଭାଗ ନେଇଥିଲେ । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇ, ଉତ୍ସବକୁ ଆହୁରି ଆକର୍ଷକ କରିଦେଇଥିଲା । ଉତ୍ସବକୁ ସଫଳ କରିବାରେ ସାମନ୍ତ ନନ୍ଦ, ଦୀପ୍ତ ହୋତା, ଅଜିତ ସାହୁ, ସିଦ୍ଧାର୍ଥ ସ୍ୱରୂପ, ପପୁ ଭାଇ, ଅମିତାଭ ଭାଇ, ସୁଧାଂଶୁ ଭାଇଙ୍କ ସହିତ ଅନ୍ୟାନ୍ୟ ଗୁରୁଭାଇଙ୍କ ବିଶେଷ ଉଦ୍ୟମ ରହିଥିଲା । ଶେଷରେ, ଯୋଗେଶ୍ୱର ମହାନ୍ତି ଧନ୍ୟବାଦ ଜ୍ଞାପନ କରି ଉତ୍ସବର ସମାପନ ଘୋଷଣା କରିଥିଲେ ।
Next Post