ପ୍ରଧାନମନ୍ତ୍ରୀ ଡକ୍ଟର ନବୀନଚନ୍ଦ୍ର ରାମଗୁଲାମ,
ଉଭୟ ଦେଶର ପ୍ରତିନିଧି,
ଗଣମାଧ୍ୟମର ବନ୍ଧୁଗଣ
ନମସ୍କାର,
ଏହା ମୋ ପାଇଁ ଗର୍ବର କଥା ଯେ, ମୁଁ ଆପଣଙ୍କୁ ମୋର ସଂସଦୀୟ କ୍ଷେତ୍ରରେ ସ୍ୱାଗତ କରିବାର ସୁଯୋଗ ପାଇଛି । କାଶୀ ଅନାଦି କାଳରୁ ଭାରତର ସଭ୍ୟତା ଏବଂ ସାଂସ୍କୃତିକ ଐତିହ୍ୟର ପ୍ରତୀକ ହୋଇଆସିଛି ।
ଶହ ଶହ ବର୍ଷ ପୂର୍ବରୁ ଆମର ସଂସ୍କୃତି ଏବଂ ପରମ୍ପରା ଭାରତରୁ ମରିସସରେ ପହଞ୍ଚିବା ସହ ସେଠାକାର ଦୈନନ୍ଦିନ ଜୀବନର ଏକ ଅଂଶ ପାଲଟି ଥିଲା । କାଶୀରେ ମା’ ଗଙ୍ଗାଙ୍କ ଅବିରତ ପ୍ରବାହ ପରି, ଭାରତୀୟ ସଂସ୍କୃତିର ଏହି ନିରନ୍ତର ଧାରା ଆଜି ପର୍ଯ୍ୟନ୍ତ ମରିସସକୁ ସମୃଦ୍ଧ କରିଆସୁଛି ।
ଆଜି, ଯେତେବେଳେ ଆମେ କାଶୀରେ ମରିସସର ବନ୍ଧୁମାନଙ୍କୁ ସ୍ୱାଗତ କରୁଛୁ, ଏହା କେବଳ ଏକ ଔପଚାରିକତା ନୁହେଁ ବରଂ ଏକ ଆଧ୍ୟାତ୍ମିକ ମିଳନ । ସେଥିପାଇଁ ମୁଁ ଗର୍ବର ସହିତ କହୁଛି ଯେ, ଭାରତ ଏବଂ ମରିସସ କେବଳ ଅଂଶୀଦାର ନୁହଁନ୍ତି ବରଂ ଏକ ପରିବାର ।
ବନ୍ଧୁଗଣ,
ମରିସସ୍ ହେଉଛି ଭାରତର ‘ପଡ଼ୋଶୀ ପ୍ରଥମ’ ନୀତି ଏବଂ ଦୃଷ୍ଟିକୋଣ ‘ମହାସାଗର’ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ମାର୍ଚ୍ଚ ମାସରେ, ମୁଁ ମରିସସର ଜାତୀୟ ଦିବସ ସମାରୋହରେ ଯୋଗଦେବାର ସୌଭାଗ୍ୟ ପାଇଥିଲି । ସେହି ସମୟରେ ଆମେ ଆମର ସମ୍ପର୍କକୁ ‘ଉନ୍ନତ ରଣନୈତିକ ସହଭାଗୀତା’ର ସ୍ଥିତିକୁ ଉନ୍ନୀତ କରିଥିଲୁ । ଆଜି ଆମେ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ବିସ୍ତୃତ ଭାବରେ ସମୀକ୍ଷା କରିଛୁ । ଆମେ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ମଧ୍ୟ ମତାମତ ଆଦାନପ୍ରଦାନ କରିଛୁ ।
ବନ୍ଧୁଗଣ,
ମୁଁ ପ୍ରଧାନମନ୍ତ୍ରୀ ରାମଗୁଲାମ ଓ ମରିସସ୍ର ଜନତାଙ୍କୁ ଚାଗୋସ୍ ଚୁକ୍ତିନାମା ସମାପ୍ତ ହୋଇଥିବା ଯୋଗୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି । ଏହା ମରିସସ୍ର ସାର୍ବଭୌମତ୍ୱର ଏକ ଐତିହାସିକ ବିଜୟ । ଭାରତ ସଦା ସର୍ବଦା ଉପନିବେଶମୁକ୍ତି ଏବଂ ମରିସସର ସାର୍ବଭୌମତ୍ୱର ପୂର୍ଣ୍ଣ ସ୍ୱୀକୃତିକୁ ସମର୍ଥନ କରିଆସିଛି । ଏହି ଯାତ୍ରାରେ ଭାରତ ସର୍ବଦା ମରିସସ ସହିତ ଦୃଢ଼ ଭାବରେ ଠିଆ ହୋଇଛି ।
ବନ୍ଧୁଗଣ,
ମରିସସର ବିକାଶରେ ଏକ ବିଶ୍ୱସ୍ତ ଏବଂ ପ୍ରାଥମିକ ଅଂଶୀଦାର ହେବାରେ ଭାରତ ଗର୍ବ ଅନୁଭବ କରେ । ଆଜି ଆମେ ମରିସସର ଆବଶ୍ୟକତା ।ଏବଂ ପ୍ରାଥମିକତାକୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ପାଇଁ ନିଷ୍ପତ୍ତି ନେଇଛୁ ।
ଏହା ଭିତ୍ତିଭୂମିକୁ ସୁଦୃଢ଼ କରିବ, ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ସ୍ୱାସ୍ଥ୍ୟସେବା ସୁବିଧାକୁ ଆହୁରି ଉନ୍ନତ କରିବ ।
ୟ
ଭାରତ ବାହାରେ, ପ୍ରଥମ ଜନ ଔଷଧି କେନ୍ଦ୍ର ଏବେ ମରିସସରେ ପ୍ରତିଷ୍ଠିତ ହୋଇଛି । ଆଜି ଆମେ ନିଷ୍ପତ୍ତି ନେଇଛୁ ଯେ, ମରିସସରେ ‘ଆୟୁଷ ଉତ୍କର୍ଷ କେନ୍ଦ୍ର’, ୫୦୦ ଶଯ୍ୟା ବିଶିଷ୍ଟ ସାର ସିୱୁସାଗୁର ରାମଗୁଲାମ ଜାତୀୟ ହସ୍ପିଟାଲ ଏବଂ ‘ଭେଟେରିନାରି ସ୍କୁଲ୍ ଓ ପଶୁ ହସ୍ପିଟାଲ୍’ ପ୍ରତିଷ୍ଠାରେ ଭାରତ ସହଯୋଗ କରିବ ।
ସେହି ସମୟ ମଧ୍ୟରେ, ଆମେ ଚାଗୋସ୍ ସାମୁଦ୍ରିକ ସୁରକ୍ଷିତ କ୍ଷେତ୍ର; ଏସ୍ଏସ୍ଆର ଅନ୍ତର୍ଜାତୀୟ ବିମାନବନ୍ଦରରେ ଏଟିସି ଟାୱାର; ତଥା ରାଜପଥ ଓ ରିଙ୍ଗ ରୋଡର ସମ୍ପ୍ରସାରଣ ଭଳି ପ୍ରକଳ୍ପଗୁଡ଼ିକୁ ମଧ୍ୟ ଆଗେଇ ନେବୁ ।
ଏହି ପ୍ୟାକେଜ ଏକ ସହାୟତା ନୁହେଁ । ଏହା ଆମର ସାମୂହିକ ଭବିଷ୍ୟତରେ ଏକ ପୁଞ୍ଜିନିବେଶ ।
ବନ୍ଧୁଗଣ,
ଗତ ବର୍ଷ, ମରିସସରେ ୟୁପିଆଇ ଏବଂ ରୁପେ କାର୍ଡ ଲଞ୍ଚ କରାଯାଇଥିଲା । ଏବେ, ଆମେ ସ୍ଥାନୀୟ ମୁଦ୍ରାରେ ବାଣିଜ୍ୟକୁ ସକ୍ଷମ କରିବା ପାଇଁ କାର୍ଯ୍ୟ କରିବୁ ।
ଶକ୍ତି ସୁରକ୍ଷା ଆମର ସହଭାଗୀତାର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଭାରତ ମରିସସକୁ ଏହାର ଶକ୍ତି ପରିବର୍ତ୍ତନରେ ସମର୍ଥନ କରୁଛି । ଆମେ ମରିସସକୁ ୧୦୦ଟି ବୈଦ୍ୟୁତିକ ବସ୍ ଯୋଗାଇ ଦେଉଛୁ, ଯାହା ମଧ୍ୟରୁ ୧୦ଟି ପୂର୍ବରୁ ପ୍ରଦାନ କରାଯାଇଛି । ଶକ୍ତି କ୍ଷେତ୍ରରେ ସମ୍ପନ୍ନ ବ୍ୟାପକ ସହଭାଗୀତା ଚୁକ୍ତିନାମା ଏହି ସହଯୋଗକୁ ଆହୁରି ସୁଦୃଢ କରିବ । ଆମେ ତେମାରିଣ୍ଡ ଜଳପ୍ରପାତରେ ୧୭.୫ ମେଗାଓ୍ୱାଟ ଭାସମାନ ସୌର ଶକ୍ତି କେନ୍ଦ୍ର ପ୍ରତିଷ୍ଠାରେ ସମର୍ଥନ ଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ ।
ମାନବ ସମ୍ବଳ ବିକାଶ କ୍ଷେତ୍ରରେ ଆମର ଏକ ଦୀର୍ଘକାଳୀନ ସହଭାଗୀତା ରହିଛି । ମରିସସର ୫,୦୦୦ରୁ ଅଧିକ ନାଗରିକ ଭାରତରେ ପ୍ରଶିକ୍ଷଣ ପାଇସାରିଛନ୍ତି । ମାର୍ଚ୍ଚ ମାସରେ ମୋର ଗସ୍ତ ସମୟରେ, ୫୦୦ ଜଣ ସରକାରୀ କର୍ମଚାରୀଙ୍କୁ ତାଲିମ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ମୁଁ ଏହା ଜାଣି ବହୁତ ଖୁସି ଯେ, ପ୍ରଥମ ବ୍ୟାଚ୍ ବର୍ତ୍ତମାନ ମସୁରୀରେ ପ୍ରଶିକ୍ଷଣ ନେଉଛନ୍ତି ।
ଆଜି, ଆମେ ମରିସସରେ ଏକ ନୂତନ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନିର୍ଦ୍ଦେଶାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛୁ । ବହୁତ ଶୀଘ୍ର, ଆମେ ମରିସସରେ ମିଶନ କର୍ମଯୋଗୀର ତାଲିମ ମଡ୍ୟୁଲ ମଧ୍ୟ ଆରମ୍ଭ କରିବୁ ।
ମାଡ୍ରାସର ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥାନ ଏବଂ ଭାରତୀୟ ବୃକ୍ଷରୋପଣ ପରିଚାଳନା ସଂସ୍ଥାନ ମରିସସ ବିଶ୍ୱବିଦ୍ୟାଳୟ ସହିତ ଚୁକ୍ତିନାମା କରିଛନ୍ତି । ଏହି ଚୁକ୍ତିନାମାଗୁଡ଼ିକ ଗବେଷଣା, ଶିକ୍ଷା ଏବଂ ନବସୃଜନରେ ଆମର ସହଭାଗୀତାକୁ ନୂତନ ଶିଖରକୁ ନେଇଯିବ ।
ବନ୍ଧୁଗଣ,
ଏକ ମୁକ୍ତ, ଖୋଲା, ସୁରକ୍ଷିତ, ସ୍ଥିର ଏବଂ ସମୃଦ୍ଧ ଭାରତ ମହାସାଗର ଆମର ମିଳିତ ପ୍ରାଥମିକତା । ଏହି ପରିପ୍ରେକ୍ଷୀରେ, ଭାରତ ମରିସସର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରର ସୁରକ୍ଷାକୁ ସୁଦୃଢ଼ କରିବା ତଥା ଏହାର ସାମୁଦ୍ରିକ କ୍ଷମତା ବୃଦ୍ଧି କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ।
ଭାରତ ସଦାସର୍ବଦା ଭାରତ ମହାସାଗର କ୍ଷେତ୍ରରେ ପ୍ରଥମ ପ୍ରତିକ୍ରିୟାଦାତା ଏବଂ ନେଟ୍ ସୁରକ୍ଷା ପ୍ରଦାନକାରୀ ଭାବରେ ଦଣ୍ଡାୟମାନ ହୋଇଛି ।
ଭାରତରେ ମରିସସ ତଟରକ୍ଷୀ ଜାହାଜର ପୁନଃନିର୍ମାଣ କରାଯାଉଛି । ଏହା ସହିତ, ସେମାନଙ୍କର ୧୨୦ ଜଣ ଅଧିକାରୀଙ୍କୁ ମଧ୍ୟ ଭାରତରେ ପ୍ରଶିକ୍ଷଣ ଦିଆଯାଉଛି ।
ଆଜି, ଜଳଗ୍ରାଫି କ୍ଷେତ୍ରରେ ସହଯୋଗ ପାଇଁ ଏକ ଚୁକ୍ତିନାମା ସମ୍ପାଦିତ ହୋଇଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ, ଆମେ ମିଳିତ ସର୍ଭେ, ନାଭିଗେସନ୍ ଚାର୍ଟ ଏବଂ ଇଇଜେଡର ଜଳଗ୍ରାଫିକ୍ ତଥ୍ୟ ଉପରେ ଏକାଠି କାମ କରିବୁ ।
ମହାମହିମ,
ଭାରତ ଏବଂ ମରିସସ୍ ଦୁଇଟି ରାଷ୍ଟ୍ର, କିନ୍ତୁ ଆମର ସ୍ୱପ୍ନ ଏବଂ ନିୟତି ଗୋଟିଏ ।
ଏହି ବର୍ଷ, ଆମେ ସାର୍ ସିୱୁସାଗୁର ରାମଗୁଲାମଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ କରୁଛୁ । ସେ କେବଳ ମରିସସ୍ ଜାତିର ପିତା ନୁହଁନ୍ତି ବରଂ ଭାରତ ଏବଂ ମରିସସ୍ ମଧ୍ୟରେ ସ୍ଥାୟୀ ସେତୁର ପ୍ରତିଷ୍ଠାତା ମଧ୍ୟ । ତାଙ୍କର ଜୟନ୍ତୀ ଆମକୁ ଆମର ସମ୍ପର୍କକୁ ଆହୁରି ଉଚ୍ଚତାକୁ ନେବା ପାଇଁ ଏକାଠି କାମ କରିବାକୁ ପ୍ରେରଣା ଦେଇ ଚାଲିବ ।
ପୁଣି ଥରେ, ମୁଁ ପ୍ରତିନିଧିମଣ୍ଡଳକୁ ସ୍ୱାଗତ କରୁଛି । ଧନ୍ୟବାଦ ।
ସ୍ୱୀକାରୋକ୍ତି : ଏହା ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ଆନୁମାନିକ ଅନୁବାଦ । ମୂଳ ବକ୍ତବ୍ୟ ହିନ୍ଦୀରେ ଦିଆଯାଇଥିଲା ।