ହଷ୍ଟେଲ କୋଠାରୁ ଡେଇଁ ୧୦ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ

କେନ୍ଦୁଝର : ହଷ୍ଟେଲ କୋଠାରୁ ଡେଇଁ ଅନ୍ତେବାସୀଙ୍କ ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଏକ ଇଂରାଜୀ ମିଡିୟମ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ପରିସରରେ ଥିବା ଚାରି ମହଲା ବିଶିଷ୍ଟ ହଷ୍ଟେଲ କୋଠାରୁ ଡେଇଁ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସୂଚନାନୁଯାୟୀ, ଶନିବାର ସକାଳ ପ୍ରାୟ ସାଢେ ପାଞ୍ଚଟା ବେଳେ ଚମ୍ପୁଆ ସ୍ଥିତ ଇଂରାଜୀ ମିଡିୟମ ସ୍କୁଲର ଜଣେ ଦଶମ ଛାତ୍ର ହଷ୍ଟେଲ କୋଠାରୁ ଡେଇଁ ପଡିଥିଲେ । ଖବର ପାଇ ଚମ୍ପୁଆ ଏସଡିପିଓ ରଶ୍ମି ରଞ୍ଜନ ସାହୁ ଓ ଚମ୍ପୁଆ ଉପଜିଲ୍ଲାପାଳ ଉମାକାନ୍ତ ପରିଡ଼ା ଘଟଣା ସ୍ଥଳରେ ପହଞ୍ଚିଥିଲେ । ଚମ୍ପୁଆ ଥାନାଧିକାରୀ ରମାକାନ୍ତ ମୁଦୁଲି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଖବର ପାଇ ମୃତ ଛାତ୍ରଙ୍କ ପରିବାର ଲୋକେ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଛନ୍ତି । ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନା ସହି ନପାରି ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ଉପଯୁକ୍ତ ଓ ନିରପେକ୍ଷ ତଦନ୍ତ କଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପରିବାର ଲୋକେ ଦାବି କରିଛନ୍ତି । ମୃତ ଛାତ୍ରଙ୍କ ଘର ଝାଡ଼ଖଣ୍ଡର ଖରସୁଆଁରେ । ସେ ଗତବର୍ଷ ଇଂରାଜୀ ମିଡିୟମ ସ୍କୁଲରେ ନାମ ଲେଖାଇଥିଲେ । ସ୍କୁଲ ହଷ୍ଟେଲରେ ରହି ଦଶମ ଶ୍ରେଣୀରେ ପାଠ ପଢୁଥିଲେ ।

jittmm
Leave A Reply

Your email address will not be published.