oom

ଗୋ ସୁରକ୍ଷା ନାଁରେ ଦଳିତଙ୍କୁ ମାରଣାନ୍ତକ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଦାବୀ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅଧିନସ୍ଥ ସିଙ୍ଗିପୁର ଗ୍ରାମର ବାବୁଲା ନାୟକ ଓ ବୁଲୁ ନୟକଙ୍କୁ ମରଣାନ୍ତକ ଆକ୍ରମଣ ଓ ସର୍ବସାଧାରଣରେ ନିର୍ଯ୍ୟାତନାକୁ ବିରୋଧ କରି ଆଜି ମାନବାଧିକାର ସୁରକ୍ଷା ମଞ୍ଚ ଓ ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚ ପକ୍ଷରୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାରେ ଅଧିକାଂଶ ସମୟରେ ବିଭିନ୍ନ ଜାତିଆଣ ପ୍ରସଙ୍ଗରେ ସାମାଜିକ ବାସନ୍ଦ, ମରଣାନ୍ତକ ଆକ୍ରମଣ, ସର୍ବସାଧାରଣରେ ଅପମାନ, ଆର୍ଥିକ ଜୋରିମାନା ଆଦି ଜଘନ୍ୟ ଘଟଣାମାନ ନିୟମିତ ଭାବେ ଘଟି ଚାଲିଛି । ଏହି ଅମାନୁଷିକ ଘଟଣା ଗୁଡ଼ିକୁ ରୋକିବା ପାଇଁ କୌଣସି ପ୍ରକାର ପ୍ରଭାବଶାଳୀ ସରକାରୀ ଅଙ୍କୁଶ କାମ କରୁନାହିଁ । ଗତକାଲି, ତା. ୨୨.୬.୨୦୨୫ରିଖ ଧରାକୋଟ ବ୍ଲକ ଓ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମରେ ସିଙ୍ଗିପୁର ଗ୍ରାମର ଦଳିତ ବର୍ଗର ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ ସହ ଅଧାଲଣ୍ଡା କରି ଆଣ୍ଠେଇ ଆଣ୍ଠେଇ ଚଳାଇ ଘାସ ଖୁଆଇ, ନର୍ଦ୍ଦମା ପାଣି ପିଆଇବା ଘଟଣା ଘଟିଛି । ସୂଚନା ଯେ, ସିଙ୍ଗିପୁର ଗ୍ରାମର ବୁଲୁ ନାୟକ ଓ ବାବୁଲା ନାୟକ ଝିଅକୁ ଯୌତୁକ ଦେବା ପାଇଁ ହରିପୁର ଗ୍ରାମରୁ ତିନୋଟି ଗାଈ ଧରି ନିଜ ଗ୍ରାମକୁ ଯାଉଥିଲେ । ରାସ୍ତାରେ ଖାରିଗୁମ୍ମା ଗ୍ରାମରେ ଆଠ ଜଣ ଅସାମାଜିକ ବ୍ୟକ୍ତି ସେମାନଙ୍କୁ ଅଟକାଇ ଦାଦା ବଟି ୩୦ ହଜାର ଟଙ୍କା ମାଗିଥିଲେ । ବୁଲୁ ଓ ବାବୁଲା ମନା କରିବାରୁ ଗୋଚାଲାଣ କଥା ଅପପ୍ରଚାର କରି ଗାରେ ଅନ୍ୟମାନଙ୍କୁ ଉତ୍ତେଜିତ କରି ଉକ୍ତ ଆଠ ଜଣ ଅସାମାଜିକ ବ୍ୟକ୍ତି ସର୍ବସାଧାରଣରେ ବୁଲୁ ଓ ବାବୁଲାଙ୍କୁ ମରଣାନ୍ତକ ଆକ୍ରମଣ ଓ ଅମାନୁଷିକ ନିର୍ଯ୍ୟାତନା ଦେଇଥିଲେ । ଏହି ଜଘନ୍ୟ କାଣ୍ଡର ଶିକାର ହୋଇଥିବା ଉକ୍ତ ଦୁଇଜଣ ଦଳିତ ବର୍ଗର ବ୍ୟକ୍ତିଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ ହେବାସହ ସେମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି ଓ ରାଷ୍ଟ୍ରୀୟ ବ୍ୟବସ୍ଥା ଉପରେ ଜନଗଣଙ୍କ ବିଶ୍ୱାସର ହାନି ଘଟିଛି । ଦେଶ ସ୍ୱାଧିନତାର ୭୮ବର୍ଷ ପରେ ବି ମଣିଷକୁ ମଣିଷ ଭଳି ନ ଦେଖିବା ଏହା ଭାରତବର୍ଷର ସମ୍ବିଧାନ ଓ ସର୍ବବୃହତ ଗଣତନ୍ତ୍ର ପ୍ରତି ଅପମାନ । ଏଣୁ ଏହି ଜଘନ୍ୟ ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କୁ ତୁରନ୍ତ ଗିରଫ କରି ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବୁଲୁ ନାୟକ ଓ ବାବୁଲା ନାୟକଙ୍କ ପରିବାରର ସୁରକ୍ଷା ବ୍ୟବସ୍ଥା କରାଯିବା ପାଇଁ ଦାବି କରାଯାଇଛି । ଏହି ଦାବିପତ୍ର ବେଳେ ମାନବାଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ସମ୍ପାଦକ ଏସ. କେଶବ ଲିଙ୍ଗମ୍ , ଆଇନଜୀବି ଅବନୀ ଗୟା, ଅନୁସୂଚିତ ଜାତି ଓ ଜନଜାତି ଅଧିକାର ମଞ୍ଚର ଅଭିମନ୍ୟୁ ନାହାକ, କଂଗ୍ରେସ ନାହାକ ଏବଂ ଅଲ ଇଣ୍ଡିଆ କ୍ଷେତ ମଜଦୂର କିଷାନ ସଭାର ଜିଲ୍ଲା ଆବାହକ ନିରାକାର ନିରାକାର ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ ।

jittmm
Leave A Reply

Your email address will not be published.