
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସଂଗଠିତ ହୋଇଥିବା ମାଟ୍ରିକ୍ ପରୀକ୍ଷା- ୨୦୨୫ରେ ଗଞ୍ଜାମ ଜିଲ୍ଲାର ୬୩୭ ଟି ହାଇସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ ୪୨,୨୩୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଓ ମୋଟ ୪୧୪୩୨ ଜଣ ପାସ୍ ହୋଇଥିବା ଖବର ମିଳିଛି । ୨୦୨୪ ମାଟ୍ରିକ ପରୀକ୍ଷାରେ ପାସ୍ ହାର ୯୭.୦୬ ପ୍ରତିଶତ ରହିଥିବା ବେଳେ ୨୦୨୫ରେ ଏହି ପାସ୍ ହାର ୯୮.୧୦ ପ୍ରତିଶତକୁ ବୃଦ୍ଧି ପାଇଛି ଓ ଏହି ପାସ୍ ହାରରେ ସାରା ରାଜ୍ୟରେ ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସ୍ଥାନରେ ରହିଛି । ୨୦୨୪ ମାଟ୍ରିକ ପରୀକ୍ଷାରେ A1, A2, B1, B2 ଗ୍ରେଡ୍ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅପେକ୍ଷା ଚଳିତ ବର୍ଷ ଉକ୍ତ ଗ୍ରେଡ୍ ଗୁଡ଼ିକରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ଅପେକ୍ଷାକୃତ ବୃଦ୍ଧି ପାଇଛି । ସରକାରୀ ବିଦ୍ୟାଳୟ ଗୁଡ଼ିକରେ ପିଲାମାନେ କିପରି ମ୍ୟାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ସାମିଲ କରି ଏକ ସ୍ଵତନ୍ତ୍ର ପ୍ରୟାସ ଆରମ୍ଭ ହୋଇଥିଲା । ତତ୍କାଳୀନ ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକଙ୍କ ତତ୍ତ୍ଵାବଧାନରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଓ ପ୍ରଧାନଶିକ୍ଷକ ମାନଙ୍କର ଏକ ଆଭାସୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ସମସ୍ତ ପ୍ରଧାନ ଶିକ୍ଷକମାନଙ୍କୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ମାର୍ଗଦର୍ଶନ କରେଇ ଥିଲେ । ମ୍ୟାଟ୍ରିକ ମନ୍ତ୍ର କାର୍ଯ୍ୟକ୍ରମ ଦ୍ଵାରା ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଆଚିଭର, ରାଇଜର ଓ ଫୋକସ ଏହିଭଳି ତିନୋଟି ଗୃପରେ ଭାଗ କରାଯାଇଥିଲା । ଆଚିଭର୍ ଦଳର ପିଲାମାନେ କିପରି A1 ଓ A2 ଗ୍ରେଡ୍ , ରାଇଜର ଗୃପର ଛାତ୍ରଛାତ୍ରୀ କିପରି B1 ଓ B2 ଗ୍ରେଡ୍ ଏବଂ ଫୋକସ୍ ଗୃପର ପିଲାମାନେ କିପରି C ଓ D ଗ୍ରେଡ୍ ହାସଲ କରିବେ ସେଥିପାଇଁ ବିଦ୍ୟାଳୟ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ମୋଟାମୋଟି ଭାବେ E ଓ F ଗ୍ରେଡରେ ଯେପରି କେହି ଛାତ୍ରଛାତ୍ରୀ ରହିବେ ନାହିଁ । ସେଥିପାଇଁ ସ୍ୱତନ୍ତ୍ର ଅଭ୍ୟାସ ମଧ୍ୟ ଆରମ୍ଭ ହୋଇଥିଲା । ଡିସେମ୍ବର ଓ ଜାନୁଆରୀ ଏହି ଦୁଇ ମାସ ଛାତ୍ରଛାତ୍ରୀଙ୍କର ଶତ ପ୍ରତିଶତ ଉପସ୍ଥାନ ନିଶ୍ଚିତ କରେଇବା, ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଅନୁସାରେ ମାର୍ଗଦର୍ଶନ ଓ ଅଭ୍ୟାସ କାର୍ଯ୍ୟ କରେଇବା, ଅନିୟମିତ ଛାତ୍ରଛାତ୍ରୀଙ୍କ ଗୃହ ପରିଭ୍ରମଣ , ସ୍ଵତନ୍ତ୍ର ଶିକ୍ଷକ ଅଭିଭାବକ ବୈଠକ କରିବା , ୨୦୨୪ ଅର୍ଦ୍ଧ ବାର୍ଷିକ ପରୀକ୍ଷାର ଫଳାଫଳରେ ଛାତ୍ରଛାତ୍ରୀ ମାନେ ଯେଉଁ ସ୍ତରରେ ରହିଥିଲେ, ସେମାନଙ୍କୁ ପରବର୍ତ୍ତୀ ଗ୍ରେଡ଼କୁ ଉତ୍ତୀର୍ଣ୍ଣ କରେଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା । ଏଥିପାଇଁ ସବ୍ ଡିଭିଜନ ସ୍ତରରେ ସମ୍ଭାବ୍ୟ A1 ଓ A2 ଗ୍ରେଡ୍ ରଖିବାକୁ ଥିବା ଛାତ୍ର ଛାତ୍ରୀମାନଙ୍କୁ ମାଟ୍ରିକ ଟିପ୍ସ ଦେବା ପାଇଁ ଏକଦିନିଆ କ୍ୟାମ୍ପ ର ଆୟୋଜନ କରା ଯାଇଥିଲା ଓ ପ୍ରାୟ ୬୦୦ ଜଣ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ । ଏହା ଦ୍ୱାରା ୨୦୨୫ ମାଟ୍ରିକ ଫଳାଫଳ ଅନୁସାରେ ଜିଲ୍ଲାର ସରକାରୀ ବିଦ୍ୟାଳୟ ସମେତ ସମସ୍ତ ବିଦ୍ୟାଳୟରେ A1 ଗ୍ରେଡରେ ୨୨୩ ଜଣ, A2 ଗ୍ରେଡରେ ୧୨୧୪, B1 ଗ୍ରେଡରେ ୩୪୦୪, B2 ଗ୍ରେଡ୍ ରେ ୭୬୩୭, C ଗ୍ରେଡ୍ ରେ ୧୨୦୪୭,D ଗ୍ରେଡ୍ ରେ ୧୨୨୮୭ ଓ Eଗ୍ରେଡ୍ ରେ ୪୬୧୮ ଜଣ ଛାତ୍ର ଛାତ୍ରୀ ରହିଥିବା ବେଳେ ବିଗତ ୨୦୨୪ ପରୀକ୍ଷାରେ A1 ଗ୍ରେଡ୍ ରେ ୨୦୧, A2 ଗ୍ରେଡ୍ ରେ ୧୧୧୧, B1 ଗ୍ରେଡ୍ ରେ ୩୧୫୫, B2 ଗ୍ରେଡ୍ ରେ ୫୭୫୯, C ଗ୍ରେଡ୍ ରେ ୧୧୨୪୪, D ଗ୍ରେଡ଼ ରେ ୧୩୦୭୭ ଓ E ଗ୍ରେଡ ରେ ୮୪୩୭ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଥିଲେ । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଜିଲ୍ଲାରେ ୨୦୨୫ ମାଟ୍ରିକ ପରୀକ୍ଷାରେ ୨୦୨୪ ମାଟ୍ରିକ ପରୀକ୍ଷା ଅପେକ୍ଷା A1, A2, B1, B2 ଓ C ଗ୍ରେଡରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏବଂ D ଓ Eଗ୍ରେଡ୍ ରେ ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇଛି । ପ୍ରକାଶ ଥାଉ କି ଗଞ୍ଜାମ ଜିଲ୍ଲାର ସରକାରୀ ବିଦ୍ୟାଳଗୁଡ଼ିକରେ ଗତବର୍ଷ A1 ଗ୍ରେଡ୍ ରେ ୬୧ ଜଣ ସ୍ଥାନ ପାଇଥିବା ବେଳେ ଏହି ବର୍ଷ ୭୪ ଜଣ ସ୍ଥାନ ପାଇଛନ୍ତି , ସେହିପରି A2 ଗ୍ରେଡ୍ ରେ ୬୦୭ ରୁ ବୃଦ୍ଧି ହୋଇ ୮୦୧ ଜଣ , B1 ଗ୍ରେଡ୍ ରେ ଏହା ୨୫୪୭ ରୁ ୨୮୭୬ ଜଣ , B2 ଗ୍ରେଡ୍ ରେ ୫୨୭୬ରୁ ବୃଦ୍ଧି ହୋଇ ୭୪୦୮ ଜଣ ଏବଂ Cଗ୍ରେଡ୍ ରେ ୧୦୯୧୯ରୁ ବୃଦ୍ଧି ହୋଇ ୧୧୫୯୮ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ସେହିପରି ୨୦୨୪ ପରୀକ୍ଷାରେ ସରକାରୀ ବିଦ୍ୟାଳୟ ଗୁଡ଼ିକ ରେ D ଓ E ଗ୍ରେଡ୍ ରେ ଯଥାକ୍ରମେ ୧୨୯୩୩ ଓ ୮୪୦୫ ଛାତ୍ର ଛାତ୍ରୀ ରହିଥିବା ବେଳେ , ଚଳିତ ବର୍ଷ ଏହି ସଂଖ୍ୟା ଅପେକ୍ଷାକୃତ ହ୍ରାସ ପାଇ D ଓ E ଗ୍ରେଡ୍ ରେ ୧୨୦୫୪ ଓ ୫୧୧୬ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ଏଣୁ ଅଧିକାଂଶ ଛାତ୍ର ଛାତ୍ରୀ ନିଜର କଠିନ ପରିଶ୍ରମ ଦ୍ଵାରା ଓ ବିଦ୍ୟାଳୟର ସ୍ୱତନ୍ତ୍ର ପ୍ରୟାସ ଦ୍ଵାରା ମାଟ୍ରିକ ପରୀକ୍ଷାରେ ପରବର୍ତ୍ତୀ ଗ୍ରେଡକୁ ଉତ୍ତୀର୍ଣ୍ଣ ହୋଇଥିବା ଯୋଗୁଁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣେଇବା ସହ ସମସ୍ତ ସହଯୋଗୀମାନଙ୍କୁ ସାଧୁବାଦ୍ ଜଣେଇଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ୨୦୨୬ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ସୂଚନା ଦେଇଛନ୍ତି ।