ଆରଡିସି ଅଫିସ ଘେରାଓ ପାଇଁ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାରେ ନକଲି ଆଦିବାସୀମାନଙ୍କ ଜାଲଜାତି ପ୍ରମାଣପତ୍ର ଗୁଡିକୁ ରଦ୍ଦ କରିବା ପାଇଁ ଗଠିତ ରାଜ୍ୟ ସ୍ତରୀୟ ଯାଜ୍ଞ କମିଟି ତଥା ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସମ୍ବଲପୁର ତତ୍ପରତା ପ୍ରକାଶ କରୁନାହାନ୍ତି । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ତଦନ୍ତ ହେଉ ନାହିଁ କିମ୍ବା ସୁପ୍ରିମ କୋର୍ଟଙ୍କ ଆଦେଶ ଅନୁସାରେ ଜାଲଜାତି ପ୍ରମାଣ ପତ୍ର ମାମଲା ଗୁଡିକ ଶୁଣାଣି, ତଦନ୍ତ, ରାୟ ଓ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଫଳରେ ନକଲି ଆଦିବାସୀ କର୍ମଚାରୀମାନେ ସରକାରୀ ବିଭାଗରେ ଚାକିରି କରୁଛନ୍ତି । ଯେଉଁ ନକଲି ଆଦିବାସୀମାନଙ୍କ ଜାଲଜାତି ପ୍ରମାଣ ରଦ୍ଦ ହୋଇଛି ସେମାନଙ୍କୁ ପୋଲିସ ଗିରଫ କରୁନାହିଁ, ସମ୍ପୃକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଓପିଡିଆର କେସ୍‌ କରି ନକଲି ଆଦିବାସୀଙ୍କ ଦରମା, ଭତ୍ତା, ସରକାରୀ ଟଙ୍କା ରିକୋଭରି କରୁନାହିଁ ଓ ମାଧୁରୀ ପାଟିଲ ବନାମ ଅତିରିକ୍ତ କମିଶନର ଆଦିବାସୀ ବିଭାଗ ମହାରାଷ୍ଟ୍ର ମାମଳାର ଆଦେଶ ଅନୁସାରେ ଜିଲ୍ଲାପାଳ ଏବଂ ଆରକ୍ଷି ଅଧିକ୍ଷକ କାର୍ୟକାରୀ କରୁନାହାନ୍ତି । ବଲାଙ୍ଗିର ଜିଲ୍ଲାରେ ୩୭୦, ସୋନପୁର ୧୫୬, ବରଗଡ ୧୮୨, ସମ୍ବଲପୁର ୬୨, କଳାହାଣ୍ଡି ୧୭୦ ନକଲି ଆଦିବାସୀ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ରଦ୍ଦ କରାଯାଇନାହିଁ । ଏପଟେ କେତେକ ଅଣ ଆଦିବାସୀ ଗୋଷ୍ଠୀ ଆଦିବାସୀ ପ୍ରମାଣପତ୍ର ହାସଲ କରି ସମସ୍ତ ସରକାରୀ ସୁବିଧା ହଡପ କରୁଛନ୍ତି । କୁଲି ମେହେର କିମ୍ବା କୁଲିଶ ଜାତିର ଲୁଗାବୁଣା ଜାତିର ଲୋକ ଆଦିବାସୀ ସାର୍ଟିଫିକେଟ ନେଇଛନ୍ତି । ଏହି ମର୍ମରେ ଓଡିଶା ସରକାରଙ୍କ ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ତାଙ୍କ ପତ୍ର ସଂ.୧୯୮୪ ତା.୨୮.୦୮/୨୦୦୮ରେ ସ୍ପଷ୍ଟିକରଣ ଦେଇ ଉଲ୍ଲେଖ କରିଛନ୍ତି ଯେ, କୁଲି ଏବଂ କୁଲିଶ ଜାତି ଏସ୍‌ଟି କିମ୍ବା ଏସ୍‌ସି ନୁହେଁ, ଆଦିବାସୀଙ୍କ ଭଳିଆ ତାଙ୍କର ସାଂସ୍କୃତିକ ବୈଷିଷ୍ଟ୍ୟ ନାହିଁ ସେମାନେ ଭୁଲିଆ, ତେରା, ପାତ୍ର, ରଙ୍ଗିଣୀ, ଗଣ୍ଡା, କୃଷ୍ଣା, କୁଲି ଓ ବୁଣାକାର ଶ୍ରେଣୀର ଜାତି । ସେହିଭଳି ଦୋରା ସଜ୍ଞାଧାରୀ ଗୋଷ୍ଠି ଜାହାଙ୍କ ଜାତି ତେଲେଙ୍ଗା, ତେଲଙ୍ଗା, ତେଲୁଗୁ, ସେମାନେ ଚଞ୍ଚକତା ପୂର୍ବକ ମୂଳଜାତିକୁ ବଦଲାଇ କୋଣ୍ଡା ଦୋରା କରି, ରେକର୍ଡ ଚଞ୍ଚକତା କରି ଆଦିବାସୀ ପ୍ରମାଣପତ୍ର ଦ୍ୱାରା କୋଟାର ସୁଯୋଗ ଆତ୍ମସାତ କରୁଛନ୍ତି । ୨୦୦୭ରୁ ଦୋରାମାନଙ୍କୁ କୋଣ୍ଡା ଦୋରା ସାର୍ଟିଫିକେଟ ତହସିଲଦାରମାନେ ଦେଉନାହାନ୍ତି କିନ୍ତୁ କି ରଦ୍ଧ ମଧ୍ୟ କରୁନାହାନ୍ତି । କେତେକ ଗୋଷ୍ଠିର ଲବାନ ଏସସିରୁ ବଞ୍ଜାରା ଏସ୍‌ଟି, ଗଉଡ ଓବିସିରୁ କନ୍ଧ ଗଉଡ ଏସ୍‌ଟି ଥାରୁଆ ଓବିସିରୁ ଥାରୁଆ ବିନ୍ଧାଣୀ ଏସ୍‌ଟି ଜାଳିଆତି କରିଛନ୍ତି । ଏ ସବୁ ନକଲି ଆଦିବାସୀଙ୍କ ଜାଳଜାତି ପ୍ରମାଣପତ୍ର ଗୁଡିକୁ ୧୫ ଦିନ ମଧ୍ୟରେ ରଦ୍ଦ କରିବାକୁ ଓଡିଶା ସରକାର ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିକୁ ଆଦେଶ ଦିଆନ୍ତୁ, କୁଲି, କୁଲିଶ, କୋଣ୍ଡା ଦୋରା, ବଞ୍ଜାରା, କନ୍ଧ ଗଉଡ, ଥାରୁଆ ବିନ୍ଧାଣିକୁ ତହସିଲଦାରମାନେ ଆଦିବାସୀ ସାର୍ଟିଫିକେଟ ନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ, ଶତାଧିକ ନକଲି ଆଦିବାସୀଙ୍କ ଜାଲଜାତି ପ୍ରମାଣପତ୍ର ରଦ୍ଦ ହୋଇଥିବା ବେଳେ ଜିଲ୍ଲାପାଳ ଏବଂ ଆରକ୍ଷି ଅଧିକ୍ଷକ ସୁପ୍ରିମକୋର୍ଟଙ୍କ ପ୍ରଦତ୍ତ ଗାଇଡଲାଇନ ଏବଂ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟିର ନିର୍ଦ୍ଦେଶ ଗୁଡିକୁ କାର୍ୟ୍ୟକାରୀ କରୁନାହାନ୍ତି । ଗାଇଡଲାଇନ ଅନୁସାରେ କାମ କରିବାକୁ ସରକାର ଜିଲ୍ଲାପାଳ ଏବଂ ପୋଲିସକୁ ନିର୍ଦ୍ଦେଶ କରିବାକୁ ମହାସଂଘ ସମ୍ବାଦିକ ସମ୍ମିଳନୀରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ କାର୍ୟ୍ୟକାରୀ ସଭାପତି ବ୍ରଜ କିଶୋର ସିଂ ଭୋଇ, ଉପ-ସଭାପତି ପରମାନନ୍ଦ ମାଝି (କଳାହାଣ୍ଡି), ଉପାଧ୍ୟକ୍ଷ ଯୋଗେନ୍ଦ୍ର ଭୋଇ (ସୁବର୍ଣ୍ଣପୁର), ଉପସଭାପତି ଉଶମନ ମୁଣ୍ଡା (ସମ୍ବଲପୁର), ବନଲତା ମାଝି, ମହାସଚିବ ନିରଞ୍ଜନ ବିଶି, ମୁଖ୍ୟ ଉପଦେଷ୍ଟା ସତ୍ୟନାରାୟଣ ଭୋଇ, ଅକ୍ଷୟ କୁମାର ଭୋଇ, ଚୁଡାମଣି ମାଝି, ଶ୍ୟାମ ସୁନ୍ଦର ଭୋଇ, ବଳଦେବ ଭୋଇ, ସନ୍ତୋଷ ପୁଟା, ନିମାଇଁ ଝାଙ୍କର, ଅଷ୍ଟରତ୍ନ ବରିହା ପ୍ରମୁଖ ଦାବୀ କରିଛନ୍ତି । ୧୫ ଦିନ ମଧ୍ୟରେ ଦାବୀ ଗୁଡିକ ପୁରଣ ନ ହେଲେ ଶସସ୍ତ୍ର ଆଦିବାସୀ ଆରଡିସି ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଛି ।

Leave A Reply

Your email address will not be published.