- ପ୍ରୟାଗରାଜର ପ୍ରମୁଖ ରେଳ ଷ୍ଟେସନଗୁଡ଼ିକ ପରିଦର୍ଶନ କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଭାରତୀୟ ରେଳବାଇ ସଫଳତାର ସହ ୧୬,୦୦୦ରୁ ଅଧିକ ଟ୍ରେନ୍ ପରିଚାଳନା କରିଛି, ଯାହା ୪.୫ କୋଟିରୁ ଅଧିକ ଭକ୍ତଙ୍କ ପାଇଁ ଯାତ୍ରା ସୁବିଧା ପ୍ରଦାନ କରିଛି : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ମହାକୁମ୍ଭ ଭିତ୍ତିଭୂମି ପାଇଁ ୨୧ରୁ ଅଧିକ ଫ୍ଲାଇଓଭର, ଅଣ୍ଡରପାସ ଏବଂ ସେତୁରେ ୫,୦୦୦ କୋଟି ଟଙ୍କା ନିବେଶ କରାଯାଇଛି : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : ପ୍ରୟାଗରାଜକୁ ଦିନିକିଆ ଗସ୍ତ ସମୟରେ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟକ୍ତିଗତ ଭାବେ ରେଳ ଅଧିକାରୀ ଏବଂ କର୍ମଚାରୀଙ୍କୁ ଭେଟି ମହାକୁମ୍ଭ ୨୦୨୫ରେ ସେମାନଙ୍କର ଯୋଗଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଜାନୁଆରୀ ୧୩ରୁ ଫେବୃଆରୀ ୨୬ ମଧ୍ୟରେ ଅନୁଷ୍ଠିତ ମହାକୁମ୍ଭ ସମୟରେ ଦେଶର ସମସ୍ତ ଭାଗରୁ କୋଟି କୋଟି ଭକ୍ତଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିଥିବା ରେଳ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କର ଅବଦାନକୁ ରେଳ ମନ୍ତ୍ରୀ ପ୍ରଶଂସା କରିଥିଲେ । ଏହି ଗସ୍ତ ସମୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରୟାଗରାଜ ଜଙ୍କସନ ରେଳ ଷ୍ଟେସନ (ଏନସିଆର), ପ୍ରୟାଗ ଜଙ୍କସନ ରେଳ ଷ୍ଟେସନ (ଏନଆର), ପ୍ରୟାଗରାଜ ରାମବାଗ ରେଳ ଷ୍ଟେସନ (ଏନଇଆର) ଏବଂ ସୁବେଦାରଗଞ୍ଜ ରେଳ ଷ୍ଟେସନ ପରିଦର୍ଶନ କରିଥିଲେ । ମହାକୁମ୍ଭ ସମୟରେ ସେବା ପ୍ରଦାନ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ସେ ଭେଟିଥିଲେ ଏବଂ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ରେଳ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ମନ୍ତ୍ରୀ ରେଳ ପ୍ରଶାସନ, ବେସାମରିକ ପ୍ରତିରକ୍ଷା, ସରକାରୀ ରେଳ ପୁଲିସ (ଜିଆରପି), ରେଳବାଇ ସୁରକ୍ଷା ବାହିନୀ (ଆରପିଏଫ), ଯାନ୍ତ୍ରିକ, ବୈଦ୍ୟୁତିକ ଏବଂ ଇଞ୍ଜିନିୟରିଂ ବିଭାଗର ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ, ଭାରତୀୟ ରେଳବାଇ ପ୍ରଥମେ ଏହି କାର୍ଯ୍ୟକ୍ରମ ପାଇଁ ୧୩,୦୦୦ ଟ୍ରେନ୍ ଚଳାଇବାକୁ ଯୋଜନା କରିଥିଲା, କିନ୍ତୁ ଶେଷରେ, ଭକ୍ତମାନଙ୍କ ଯାତ୍ରାକୁ ସୁଗମ କରିବା ପାଇଁ ୧୬,୦୦୦ରୁ ଅଧିକ ଟ୍ରେନ୍ ପରିଚାଳିତ ହୋଇଥିଲା । ସେ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ରେଳବାଇ ମହାକୁମ୍ଭ ସମୟରେ ପ୍ରାୟ ୪.୫ରୁ ୬ କୋଟି ଭକ୍ତଙ୍କୁ ପ୍ରୟାଗରାଜକୁ ଏବଂ ସେଠାରୁ ସଫଳତାର ସହ ପରିବହନ କରିଛି । କେନ୍ଦ୍ର ମନ୍ତ୍ରୀ ଆଲୋକପାତ କରିଥିଲେ ଯେ, ୨୧ରୁ ଅଧିକ ଫ୍ଲାଇଓଭର, ଅଣ୍ଡରପାସ ଏବଂ ସେତୁ ନିର୍ମାଣ ପାଇଁ ୫ହଜାର କୋଟି ଟଙ୍କା ନିବେଶ ସହିତ ମହାକୁମ୍ଭ ପାଇଁ ପ୍ରସ୍ତୁତି ଅଢ଼େଇ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ ବିଶ୍ୱ ସମ୍ମୁଖରେ ଭାରତର ଏକତା ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରିଛି । ସେ ଆହୁରି ମଧ୍ୟ କହିଥିଲେ, ମହାକୁମ୍ଭ ହେଉଛି ଦେଶର ବିଶ୍ୱାସ ଏବଂ ଏକତାର ପ୍ରତୀକ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସମସ୍ତ ବିଭାଗର ମିଳିତ ପ୍ରୟାସକୁ ମଧ୍ୟ କେନ୍ଦ୍ର ମନ୍ତ୍ରୀ ପ୍ରଶଂସା କରିଥିଲେ ।