ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ତୁରେକେଲା ଆଞ୍ଚଳିକ ସାଧନ କେନ୍ଦ୍ର ଅନ୍ତର୍ଗତ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଯୋଗ ଦେବା ସହ ଅବସର ପ୍ରାପ୍ତ ଶିକ୍ଷକ ରାମକୃଷ୍ଣ ସେଲମା, ମାନ୍ଦଲା ସିଆରସିସି ଧନସିଂ ମାଝୀ, ରବୀନ୍ଦ୍ର ରଥ ସମ୍ମାନିତ ଅତିଥିଭାବରେ ଯୋଗଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାଧବୀଲତା ସାହୁ ବିବରଣୀ ପାଠ କରିବା ସହିତ ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ନିବେଦିତା ବାରିକ ସ୍ୱାଗତ ଭାଷଣ ଓ ସୁଦୀପ୍ତା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥବେ ଶ୍ରୀ ଗଣେଶଙ୍କ ଫଟୋଚିତ୍ରରେ ଧୂପଦୀପ ଓ ପୁଷ୍ପଦେଇ ପୂଜାର୍ଚ୍ଚନା କରାଯାଇଥିଲା । ଛାତ୍ରୀବୃନ୍ଦ ଅତିଥିମାନଙ୍କୁ ଫୁଲତୋଡା ଓ ବେଚ ପ୍ରଦାନ କରିବା ସହିତ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଅତିଥିମାନଙ୍କ ଅଭିଭାଷଣ ପରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ବୁଡିବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି, ମୁଖ୍ୟ ବକ୍ତା ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶ ଏବଂ ବିଦ୍ୟାଳୟ କମିଟି ସଭାପତି ପଦ୍ମଲୋଚନ ପୁଟା ସମ୍ମାନିତ ଅତିଥିଭାବେରେ ସଭାରେ ଯୋଗଦେଇଥିଲେ । ଶିକ୍ଷକ ଶୁଭାଶିଷ ରାଉତ ସଭା ପରିଚାଳନା କରି ଥିବା ବେଳେ ବିମଳ ଧରୁଆ ସ୍ୱାଗତ ଅଭିଭାଷଣ ଓ ପ୍ରଦୀପ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ ସର୍ବ ପ୍ରଥମେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମକୁ ବୁଲି ଦେଖିଥିଲେ । ଲୁଚି ଯାଉଥିବା ଜିନିଷପତ୍ର ଓ ଖେଳନା ଗୁଡିକୁ ପରିବେଶରୁ ସଂଗୃହୀତ ବିଭିନ୍ନ ସାମଗ୍ରୀରେ ଛାତ୍ରଛାତ୍ରୀମାନେ ଅତି ସୁନ୍ଦର ଭାବରେ ତିଆରି କରିଥିଲେ । ସେଗୁଡ଼ିକ ଅତିଥିମାନଙ୍କ ଦ୍ୱାରା ଉଚ୍ଚ ପ୍ରଂଶସିତ ହୋଇଥିଲା । ସଭାରେ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପଦକ ପ୍ରଦାନ କରାଯାଇଥିଲା । ତାପରେ ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଏହି ଉତ୍ସବରେ ଅଭିଭାବକ, ଗ୍ରାମବାସୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଯୋଗଦେଇଥିଲେ ।

Leave A Reply

Your email address will not be published.