ଭଞ୍ଜନଗର : ଦନ୍ତା ଆକ୍ରମଣରେ ଶ୍ରମିକ ଗୁରୁତର । ଗଞ୍ଜାମ ଜିଲା ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡ଼ା ରେଞ୍ଜ ଅନ୍ତର୍ଗତ କିରାପଲ୍ଲୀ ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଗୁରୁତର ଶ୍ରମିକ ଜଣକ ଆନ୍ଧ୍ରପ୍ରଦେଶ ସାମଲକୋଟା ଅଞ୍ଚଳର ମହମ୍ମଦ ଜାଫର ବୋଲି ଜଣାପଡ଼ିଛି । ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କର ଚିକିତ୍ସା ପାଇଁ ୫ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କହିବାଅନୁସାରେ ମହମ୍ମଦ ଜାଫର ଏଲ୍ ଏଣ୍ଡ ଟି କମ୍ପାନୀ ପକ୍ଷରୁ ଚାଲିଥିବା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଇପ୍ ବିଛା କାର୍ଯ୍ୟରେ ନିୟୋଜିତ ରହିଥିଲେ । ଗତକାଲି ବିଳମ୍ଵିତ ରାତିରେ ଶୌଚ ହେବାକୁ ଯିବା ସମୟରେ ହାତୀ ହାବୁଡରେ ପଡି ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଭଞ୍ଜନଗର ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଜାଫରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଡିଏଫଓ ବିନୋଦ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି ।
Prev Post