ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ରଂଜିତପୁର (ଭାଙ୍ଗଖୁଟି) ଗ୍ରାମର କେତେକ ପରିବାର ତେଲେଙ୍ଗାନା ରାଜ୍ୟକୁ ଇଟା ଗଢିବାକୁ ଯାଇ ପୀଡିତ ଅବସ୍ଥାରେ ନିର୍ଯ୍ୟାତିତ ହେଉଛନ୍ତି । ଏନେଇ ଶ୍ରମିକ ମାନଙ୍କ ଭାଇ ପରମାନନ୍ଦ ମହାନନ୍ଦ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଆଜିକୁ ୫ ମାସ ହେଲାଣି ବଲାଙ୍ଗିର ଜିଲ୍ଲା ଝରନି ଗ୍ରାମର ସର୍ଦ୍ଦାର ସଲିମ ଖାନ ରଂଜିତପୁର ଗ୍ରାମକୁ ଆସି ମୋଟା ଅଙ୍କର ପ୍ରଲୋଭନ ଦେଖାଇ ୫ ଜଣ ଶ୍ରମିକ ମାନଙ୍କୁ ତେଲେଙ୍ଗାନା ରାଜ୍ୟ ନିଜାମବାଦ ଜିଲ୍ଲା ଯାକରମପଲ୍ଲୀ ଥାନା ସିକେନ୍ଦ୍ରାପୁର ଗ୍ରାମର ଛିନୁ ସେଠ ବିଏମ୍ ଇଟା କାରଖାନା ମାଲିକ ଠାରେ ବିକ୍ରୟ କରିଥିଲା । କିଛିଦିନ ଇଟା ଗଢି ସାରିବା ପରେ ପରମେଶ୍ୱର ତାଣ୍ଡି ଅସୁସ୍ଥ ହୋଇ ପଡିବାରୁ କାମ କରିପାରି ନଥିଲେ । ମାଲିକ ତାକୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇ ଥିଲା । ପୁଣି କିଛିଦିନ ପରେ ଅସୁସ୍ଥ ହୋଇ ପଡିବାରୁ ମାଲିକ ପଇସା ପତ୍ର ନଦେଇ ମୁଁ ଆଉ ଚିକିତ୍ସା କରି ପାରିବି ନାହିଁ ତୁମେ ମରିଗଲେ ମୋର କିଛି ଯାଏ ଆସେ ନି ବୋଲି ରୋକ୍ଠୋକ୍ ଶୁଣାଇ ଦେଲା । ଫଳରେ ଶ୍ରମିକମାନେ ଭୋକ ଉପାସରେ ରହି ମୋତେ ଫୋନ ମାଧ୍ୟମରେ ଜଣାଇ ଥିଲେ ବୋଲି ପରମାନନ୍ଦ ପ୍ରକାଶ କରିଛନ୍ତି । ତେଣୁ ସେ ମାନଙ୍କୁ ଶୀଘ୍ର ଉଦ୍ଧାର କରାଯାଉ ବୋଲି ପରମାନନ୍ଦ ମହାନନ୍ଦ ଲିଖିତ ଅଭିଯୋଗ କରିଛନ୍ତି । ସେହି ପାଞ୍ଚ ଜଣ ଶ୍ରମିକ ହେଲେ ଲକ୍ଷ୍ମଣ ମହାନନ୍ଦ(୪୫), ଲତା ମହାନନ୍ଦ(୪୦), ପରମେଶ୍ୱର ତାଣ୍ଡି (୪୦), ତପିସା ତାଣ୍ଡି(୩୫) ଓ ଦଶରଥ ତାଣ୍ଡି (୫୦) ।