ଅର୍ଥନୀତିରେ ପୁଞ୍ଜିନିବେଶର ତୃତୀୟ ଇଞ୍ଜିନ୍ ଭାବେ ସରକାରୀ-ଘରୋଇ ଭାଗିଦାରୀରେ ବହୁକ୍ଷେତ୍ରୀୟ ସଂସ୍କାର, ରାଜ୍ୟଗୁଡ଼ିକୁ ସହାୟତା, ସମ୍ପତ୍ତି ମୁଦ୍ରାକରଣ, ଖଣି ଓ ଘରୋଇ ଉତ୍ପାଦନ କ୍ଷେତ୍ରରେ ବହୁକ୍ଷେତ୍ରୀୟ ସଂସ୍କାର ଆଣିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି
- ୨୦୨୫-୨୦୨୬ ପାଇଁ କେନ୍ଦ୍ରୀୟ ବଜେଟରେ କୋବାଲ୍ଟ ପାଉଡର ଏବଂ ବର୍ଜ୍ୟବସ୍ତୁ, ଲିଥିୟମ-ଆୟନ ବ୍ୟାଟେରୀ ସ୍କ୍ରାପ୍, ଜିଙ୍କ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ସମ୍ପୂର୍ଣ୍ଣ ଛାଡ଼ ରଖାଯାଇଛି
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଅର୍ଥନୀତିରେ ପୁଞ୍ଜିନିବେଶର ତୃତୀୟ ଇଞ୍ଜିନ୍ ଭାବେ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍, ରାଜ୍ୟଗୁଡ଼ିକୁ ସହାୟତା, ୨୦୨୫-୩୦ ପାଇଁ ସମ୍ପତ୍ତି ମୁଦ୍ରାକରଣ ଯୋଜନା ଏବଂ ଖଣି କ୍ଷେତ୍ର ଓ ଘରୋଇ ଉତ୍ପାଦନ କ୍ଷେତ୍ରରେ ବହୁକ୍ଷେତ୍ରୀୟ ସଂସ୍କାର ପ୍ରସ୍ତାବ ଦେଇଛନ୍ତି।
ଭିତ୍ତିଭୂମି କ୍ଷେତ୍ରରେ ସରକାରୀ-ଘରୋଇ ଭାଗିଦାରୀ
ଶ୍ରୀମତୀ ନିର୍ମଳା ସୀତାରମଣ ପ୍ରସ୍ତାବ ଦେଇଛନ୍ତି ଯେ ଭିତ୍ତିଭୂମି ସମ୍ବନ୍ଧୀୟ ପ୍ରତ୍ୟେକ ମନ୍ତ୍ରଣାଳୟ ପିପିପି ମୋଡରେ କାର୍ଯ୍ୟକାରୀ ହୋଇପାରୁଥିବା ୩ ବର୍ଷର ପାଇପଲାଇନ ସହିତ ପ୍ରକଳ୍ପଗୁଡିକୁ ଆଗେଇ ଆଣିବ । ରାଜ୍ୟମାନଙ୍କୁ ମଧ୍ୟ ଏଥିପାଇଁ ପ୍ରୋତ୍ସାହିତ କରାଯିବ ଏବଂ ପିପିପି ପ୍ରସ୍ତାବ ପ୍ରସ୍ତୁତ କରିବା ପାଇଁ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର ପ୍ରୋଜେକ୍ଟ ଡେଭଲପମେଣ୍ଟ ଫଣ୍ଡ (ଆଇଆଇପିଡିଏଫ) ଯୋଜନାରୁ ସହାୟତା ନେଇପାରିବେ ।
ରାଜ୍ୟଗୁଡ଼ିକୁ ଭିତ୍ତିଭୂମି ପାଇଁ ସହାୟତା
ପୁଞ୍ଜି ବ୍ୟୟ ଓ ସଂସ୍କାରକୁ ପ୍ରୋତ୍ସାହିତ କରିବା ପାଇଁ ଅର୍ଥମନ୍ତ୍ରୀ ୫୦ ବର୍ଷ ପାଇଁ ରାଜ୍ୟମାନଙ୍କୁ ସୁଧମୁକ୍ତ ଋଣ ପାଇଁ ଦେଢ଼ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ସମ୍ପତ୍ତି ମୁଦ୍ରାକରଣ ଯୋଜନା ୨୦୨୫-୩୦
୨୦୨୧ରେ ଘୋଷଣା କରାଯାଇଥିବା ପ୍ରଥମ ସମ୍ପତ୍ତି ମୁଦ୍ରାକରଣ ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି ୨୦୨୫-୩୦ ବର୍ଷ ପାଇଁ ଦ୍ୱିତୀୟ ସମ୍ପତ୍ତି ମୁଦ୍ରାକରଣ ଯୋଜନା ଆରମ୍ଭ କରାଯିବ, ଯାହା ଦ୍ୱାରା ନୂତନ ପ୍ରକଳ୍ପଗୁଡ଼ିକରେ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସୁବିଧା ହେବ। ଏହି ଯୋଜନାକୁ ସମର୍ଥନ କରିବା ପାଇଁ ନିୟାମକ ଏବଂ ବିତ୍ତୀୟ ପଦକ୍ଷେପ ଗ୍ରହଣ କରାଯିବ।
ଖଣି କ୍ଷେତ୍ରରେ ସଂସ୍କାର
କେନ୍ଦ୍ର ଅର୍ଥମନ୍ତ୍ରୀ ଉତ୍ତମ ଅଭ୍ୟାସର ଆଦାନ ପ୍ରଦାନ ଏବଂ ରାଜ୍ୟ ଖଣି ସୂଚକାଙ୍କ ପ୍ରତିଷ୍ଠା ମାଧ୍ୟମରେ ଲଘୁ ଖଣିଜ ପଦାର୍ଥ ସମେତ ଖଣି କ୍ଷେତ୍ରରେ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେଇଛନ୍ତି ।
ଘରୋଇ କ୍ଷେତ୍ର ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ତଥ୍ୟ
ଶ୍ରୀମତୀ ନିର୍ମଳା ସୀତାରମଣ ପିପିପିକୁ ପ୍ରୋତ୍ସାହିତ କରିବା ଏବଂ ପ୍ରକଳ୍ପ ରୂପରେଖ ପ୍ରସ୍ତୁତ କରିବାରେ ଘରୋଇ କ୍ଷେତ୍ରକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ଗତି ଶକ୍ତି ପୋର୍ଟାଲରୁ ପ୍ରାସଙ୍ଗିକ ତଥ୍ୟ ଏବଂ ମାନଚିତ୍ର ଆକସେସ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଘରୋଇ ଉତ୍ପାଦନ ଏବଂ ମୂଲ୍ୟ ସଂଯୁକ୍ତି ପାଇଁ ସମର୍ଥନ
ଭାରତର ଯୁବପିଢ଼ିଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ ପ୍ରୋତ୍ସାହିତ କରିବା ଏବଂ ଭାରତରେ ଉତ୍ପାଦନ ପାଇଁ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ କୋବାଲ୍ଟ ପାଉଡର ଏବଂ ଅବଶିଷ୍ଟ, ଲିଥିୟମ୍-ଆୟନ ବ୍ୟାଟେରୀ ସ୍କ୍ରାପ୍, ଜିଙ୍କ୍ ଏବଂ ଅନ୍ୟାନ୍ୟ ୧୨ଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ପାଇଁ ସମ୍ପୂର୍ଣ୍ଣ ଛାଡ଼ ପ୍ରସ୍ତାବ ଦେଇଛନ୍ତି ।