- ୫ ଅଭିଯୁକ୍ତ ଗିରଫ, ୭ ଲକ୍ଷ ୮୦ ହଜାର ଟଙ୍କା ଜବତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲାର ବିଭିନ୍ନ ଏଟିଏମ୍ରେ ଟଙ୍କା ଜମା କରିବା ସମୟରେ ୧୦ ଲକ୍ଷ ଟଙ୍କା ଚୋରି କରି ୫ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହେବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ବିଭିନ୍ନ ଏଟିଏମ୍ରେ ଟଙ୍କା ଜମା କରିବାପାଇଁ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ) ସିକ୍ୟୁର ଭେଲ୍ୟୁ ଇଣ୍ଡିଆ ଲିମିଟେଡ଼ ନାମକ ସଂସ୍ଥା ସହ ଚୁକ୍ତିନାମା କରିଛି । ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ଷ୍ଟେଟବ୍ୟାଙ୍କରୁ ଏହି ସଂସ୍ଥା ଟଙ୍କା ନେଇ ବିଭିନ୍ନ ଏଟିଏମ୍ରେ ଜମା କରୁଥିଲେ । ହେଲେ ଟଙ୍କା ଦେଖି ଲୋଭ ସମ୍ଭାଳି ନ ପାରି ଶେଷରେ କର୍ମଚାରୀ ମାନେ ଲୁଟେରା ସାଜିଥିଲେ । ଯାହାଫଳରେ ସେମାନଙ୍କୁ ଜେଲ ଯିବାକୁ ପଡିଛି । ଏହି ଘଟଣାରେ ସାମିଲ ଥିବା ଉକ୍ତ ସଂସ୍ଥାର ୩ ଜଣ କର୍ମଚାରୀ ସମେତ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ସିକ୍ୟୁର ଭେଲ୍ୟୁ ଇଣ୍ଡିଆ ଲିମିଟେଡ଼ ସଂସ୍ଥାର କର୍ମଚାରୀ ଲକ୍ଷ୍ମୀକାନ୍ତ ରଣା, ଗାଡି ଚାଳକ ପକ୍ଷୀରାଜ ଗଉଡ, ସିକ୍ୟୁରିଟି ଗାର୍ଡ ଚଞ୍ଚଳ ରାଉତ ଓ ସହଯୋଗ କରିଥିବା ଅମୀର ଗୌଡ଼ ଓ ଜିତୁ ଲହଜଲ । ଅଭିଯୁକ୍ତ ମାନଙ୍କ ଠାରୁ ନଗଦ ୭ ଲକ୍ଷ ୮୦ ହଜାର, ବିଭିନ୍ନ କମ୍ପାନୀର ୫ଟି ମୋବାଇଲ ଫୋନ ଓ ଗୋଟିଏ ଏଟିଏମ ଟଙ୍କା ଭର୍ତ୍ତି ବ୍ୟବହୃତ ଯାନ ଜବତ କରାଯାଇଛି । ଏନେଇ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ଆନନ୍ଦ ବର୍ଦ୍ଧନ ଗୁରୁ ଓ ଟାଉନ ଥାନା ଅଧିକାରୀ ଯଶୋବନ୍ତ ହିଆଲ । ପ୍ରକାଶ ଯେ, ଗତ ଜାନୁୟାରୀ ୧୮ ତାରିଖ ରାତି ୧୨.୩୦ରେ ଉପରୋକ୍ତ ସଂସ୍ଥାର କର୍ମଚାରୀ ଲକ୍ଷ୍ମୀକାନ୍ତ, ପକ୍ଷୀରାଜ ଓ ଚଞ୍ଚଳ ଭବାନୀପାଟଣା ଷ୍ଟେଟବ୍ୟାଙ୍କ ମୁଖ୍ୟ ଶାଖାର ଡେପୁଟି ମ୍ୟାନେଜରଙ୍କ ଠାରୁ ୪.୮୦ କୋଟି ଟଙ୍କା ଜମା ବାବଦକୁ ନେଇ ବାକ୍ସରେ ରଖିଥିଲେ । ଯାହାର ଚାବି ଥିଲା ଲକ୍ଷ୍ମୀକାନ୍ତଙ୍କ ପାଖରେ । ଏହାପରେ ଭବାନୀପାଟଣାର କିଛି ଏଟିଏମ୍କୁ ଯାଇ ସେମାନେ ଟଙ୍କା ଜମା କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ ଉପରୋକ୍ତ ଅଭିଯୁକ୍ତ ମାନେ ସେଠାରୁ ୧୦ ଲକ୍ଷ ଟଙ୍କା ଚୋରି କରି ଭବାନୀପାଟଣା ସହରର ସହଯୋଗୀ ଜିତୁ ଲହଜଲଙ୍କ ପାଖରେ ରଖିଥିଲେ । କିଛି ଏଟିଏମ୍ରେ ଟଙ୍କା ଜମା କରିବା ପରେ ୧୦ଲକ୍ଷ ଟଙ୍କାର ଅଭାବ ଦେଖା ଯାଇଥିଲା । ବ୍ୟାଙ୍କ ମ୍ୟାନେଜର ସମସ୍ତ କର୍ମଚାରୀଙ୍କୁ ଏହାର ଅନୁସନ୍ଧାନ କରିବାକୁ କହିଥିଲେ । ପରେ ସଂସ୍ଥାର ସହ ଡିସଟ୍ରିବ୍ୟୁଟର ଦାୟିତ୍ୱ ନେଇଥିବା ଗୋବିନ୍ଦ ସାହୁ ଅଭାବ ଟଙ୍କାକୁ ନେଇ ବିଶ୍ୱାସ କରି ନଥିଲେ । ଶେଷରେ ବାଧ୍ୟହୋଇ ବହୁ ଖୋଲତାଡ଼ ପରେ ଗତ ଜାନୁଆରୀ ୨୮ ତାରିଖରେ ଭବାନୀପାଟଣା ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ । ଏହାପରେ ପୋଲିସ ଏକ ମାମଲା ନଂ(୨୭/୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି ଘଟଣାର ଉକ୍ତ ସଂସ୍ଥାର ୩ ଜଣକର୍ମଚାରୀ ସମେତ ଅନ୍ୟ ୨ ସହଯୋଗୀଙ୍କ ହାତ ରହିଥିବାପୋଲିସ ଜାଣିବାକୁ ପାଇଥିଲା ।