ଅଖିଳ ଭାରତ କୃଷକ ସଭା ପକ୍ଷରୁ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ କାର୍ଯ୍ୟାଳୟ ଘେରାଉ

ରାଉରକେଲା, (ସସ୍ମିତା ପ୍ରଧାନ) : କଲୁଙ୍ଗା ଓ କୁଆଁରମୁଣ୍ଡା ଶିଳ୍ପାଞ୍ଚଳକୁ ପ୍ରଦୂଷଣ ମୁକ୍ତ କରିବା, ଆଞ୍ଚଳିକ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କୁ ରାଉରକେଲା କାର୍ଯ୍ୟାଳୟରୁ ଅନ୍ୟତ୍ର ବଦଳି କରିବା, କଲୁଙ୍ଗା ରେଲୱେ ସାଇଡିଂରେ ହେଉଥିବା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା, ଗ୍ରାମ ପଞ୍ଚାୟତ ରାସ୍ତାରେ ଭାରିଯାନ ଗମନାଗମନକୁ ନିୟନ୍ତ୍ରଣ କରିବା, ପ୍ରଦୂଷଣ ଦ୍ଵାରା କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା, ପଥରବ୍ଲାଷ୍ଟିଂ ଓ ଖଣି ଖନନ ଦ୍ଵାରା କ୍ଷତିଗ୍ରସ୍ତ ହେଉଥିବା ପିତାମହଲ ଡ୍ୟାମ ଓ ଶବ୍ଦ ପ୍ରଦୂଷଣରୁ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ରଖିବା ପ୍ରମୁଖ ଦାବିରେ ଆଜି ରାଉରକେଲା ସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କୃଷକ ସଭାର ପାନପୋଷ ସବ ଡିଭିଜନର ସଭାପତି ଦଶରୁ କିସାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ୟ ସମ୍ପାଦକ ପ୍ରଦୋଷ କୁମାର ମହାନ୍ତି ଜିଲ୍ଲା ସମ୍ପାଦକ ତଥା ସାମାଜିକ କର୍ମୀ ସଦାନନ୍ଦ ସାହୁ, ଗୋବିନ୍ଦ କୁଜୁର୍, ରମେଶ ଚନ୍ଦ୍ର ଶତପଥୀ, ସୁରେନ୍ଦ୍ର ବହାଲା, ରାଜ କିଶୋର ଧନୁଆର, ଗୋଲାପି ମଝି ପ୍ରମୁଖ ବକ୍ତବ୍ୟ ଦେଇ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀଙ୍କ କୋହଳ ମନୋଭାବ ଯୋଗୁଁ କଲୁଙ୍ଗା ଓ କୁଆଁରମୁଣ୍ଡା ଅଞ୍ଚଳ ପ୍ରଦୂଷଣର ବିଷ ବଳୟ ମଧ୍ୟକୁ ଚାଲି ଯାଇଛି, ଯାହାଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି, ଶିଶୁମାନେ ରୋଗାଗ୍ରସ୍ତ ହେଉଛନ୍ତି । ରାସ୍ତାକାମ ହେଉ ନ ଥିବାରୁ ଉକ୍ତ ଅଞ୍ଚଳବାସୀଙ୍କ ଜୀବନ ଧୂଳି ଓ ଧୁଆଁରେ ଦୁର୍ବିସହ ହୋଇଗଲାଣି । ତେଣୁ ତୁରନ୍ତ ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ଏକ ଦାବିପତ୍ର ସଦସ୍ୟ ସଚିବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭୁବନେଶ୍ୱରଙ୍କୁ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାମ କିଷାନ, ତୁଲାବତୀ କିଶାନ, ଏତୁଆରି କୁଜୁର, ସଂଗୀତା କୁଜୁର୍, ଟୋପି କିସାନ୍, ସୁକଲାଲ କିସାନ, ବୁଧୁ ଖେସ ପ୍ରମୁଖ ନେତୃତ ନେଇ ସଫଳ କରାଇଥିଲେ ।

Leave A Reply

Your email address will not be published.