ବୈପାରିଗୁଡା ବନବିଭାଗ ତରଫରୁ ବନାଗ୍ନି ପ୍ରଶମିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ବୈପାରୀଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : ପ୍ରତିବର୍ଷ ଦୁର୍ଗମ ଅଂଚଳରେ ଥିବା ଜଙ୍ଗଲ ଗୁଡିକରେ ନିଆଁ ଲାଗି ପରିବେଶ ନଷ୍ଟ ହେଉଥିବା ବେଳେ ଏବେ କିଛି ବର୍ଷ ହେବ ବନବିଭାଗ ପକ୍ଷରୁ ଗାଁ ଗହଳି ମାନଙ୍କରେ ଲୋକଙ୍କୁ ନେଇ ସଚେତନତା ଶିବିର କରିବା ସହ ବିଭିନ୍ନ ସ୍ଥାନରେ କର୍ମଶାଳା ଆୟୋଜନ କରି ଜଙ୍ଗଲରେ ନିଆଁ ନ ଲଗାଇବା ପାଇଁ ବୁଝାଯାଉଥିବା ଦେଖାଯାଉଛି । ବୈପାରିଗୁଡା ବନବିଭାଗ ତରଫରୁ ବୈପାରିଗୁଡା ବନାଂଚଳ କାର୍ଯ୍ୟାଳୟ ପରିସରରେ ବନାଗ୍ନି ପ୍ରଶମିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବୈପାରିଗୁଡା ବନାଂଚଳ ଅଧିକାରୀ ସନ୍ଦୀପ କୁମାର ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏସିଏଫ୍‌ ଅମିତ୍ ପ୍ରକାଶ ନାୟକ, ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବିଡିଓ ଅଭିମନ୍ୟୁ କବି ଶତପଥି, ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ, ସମିତିସଭ୍ୟା ମଞ୍ଜୁଲତା ପଟ୍ଟନାୟକ, ସରପଞ୍ଚ ସୂର୍ଯ୍ୟମଣି ନାୟକ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଉପସ୍ଥିତ ଗାଁଗହଳିର ଲୋକଙ୍କ ସହିତ ଆଲୋଚନା କରିବା ସହ ପ୍ରତିବର୍ଷ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ ଜିନିଷ ପୋଡି ପାଉଁଶ ହୋଇଥାଏ ତଥା ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହୋଇଥାନ୍ତି ବୋଲି ବୁଝାଇଥିଲେ । ଏହାର ନିରାକରଣ ପାଇଁ ଆଗାମୀ ଦିନରେ ବନ ସଂରକ୍ଷଣ ସମିତି ସହ ଜନସାଧାରଣ ମାନଙ୍କୁ ସଚେତନ କରାଯିବ ବୋଲି ବନ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା । ସେହିପରି ଭାବେ ବିଟ୍ ସ୍ତରରେ ମଧ୍ୟ ଏପରି କାର୍ଯ୍ୟକ୍ରମ କରାଯିବ ବୋଲି ଏସିଏଫ୍‌ ଅମିତ୍ କହିଛନ୍ତି । ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବହୁଳ ଭାବରେ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ନିଆଁ ଲାଗିବାର ସମ୍ଭାବ୍ୟ କାରଣକୁ ରୋକିବା ଲକ୍ଷ୍ୟକୁ ନେଇ ସଚେତନ ହେବା କିପରି ସେହି ବିଷୟକୁ ନେଇ ବୁଝାଇଥିଲେ । ଜଙ୍ଗଲରେ ନିଆଁ ନ ଲଗାଇବା ସହିତ ମହୁଲ ଫୁଲ ସଂଗ୍ରହ ପାଇଁ ଶୁଖିଲା ପତ୍ର ଓ ଜମିର ନଡାରେ ନିଆଁ ଲଗାଇବାକୁ ବିରୋଧ କରିବାକୁ ମଧ୍ୟ ଗ୍ରାମବାସୀ ମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବନବିଭାଗର ବନପାଳ ଲଲିତା ହରିଜନ, ରବିନ୍ଦ୍ର ପ୍ରଧାନ, ଏମ୍‌. ଶ୍ରୀନୀବାସ, ବନରକ୍ଷୀ ପ୍ରିୟଙ୍କା କର, ମନୋରମା ଦେବୀ, କରୁଣା ଦିସାରୀଙ୍କ ସହ ପାରା କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜଣାପଡିଛି ।

Leave A Reply

Your email address will not be published.