୪୨ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ, ରାଉରକେଲା ମଣ୍ଡଳର ୪୨ତମ ବାର୍ଷିକ ସାଂସ୍କୃତିକ ସମ୍ମିଳନୀ ସେକ୍ଟର ୧ ସ୍ଥିତ ଏଚ୍‌ ବ୍ଲକ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମହାନ୍ତିଙ୍କ ସଭାପତିତ୍ୱ ଓ କେନ୍ଦ୍ରୀୟ ପ୍ରତିନିଧି ପ୍ରଭାକର ରାଉତଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମାଜସେବୀ ପ୍ରଶାନ୍ତ ସେଠୀ, ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ସମ୍ପାଦକ ଶଶଧର ପାତ୍ର, ମୁଖପାତ୍ର ତଥା ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତ, କାଳଞ୍ଜୀ ମହାସଭାର ସଭାପତି ସୁରେନ୍ଦ୍ର ଜେନା, ଗଞ୍ଜାମ ଗଜପତି ବିକାଶ ପରିଷଦର କମ୍ୟୁନିଷ୍ଟ ଗୌଡ, କବୟିତ୍ରୀ ସସ୍ମିତା ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାଦ୍ୱାରା ଭାଇଚାରା ଓ ଐକ୍ୟବଦ୍ଧତା ବଢେ ବୋଲି ମତ ରଖିଥିଲେ । ଏହି ଅବସରରେ ଗତବର୍ଷର କୋଷାଧ୍ୟକ୍ଷ ନିରଞ୍ଜନ ମହାନ୍ତି ଗତବର୍ଷର ଆୟବ୍ୟୟ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ । ସଭାପତି ଶ୍ରୀ ମହାନ୍ତି ସଭାପତିତ୍ୱ ଅଭିଭାଷଣରେ ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ବଜାୟ ରଖିବା ସହ ଅନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି ପାଇଁ ଏକାଠି ଆଗେଇ ଆସିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶିବରାମ ଜେନା, ରମେଶ ଚନ୍ଦ୍ର ସାହାଣୀ, ବିପ୍ରଚରଣ ବିଶ୍ୱାଳ, ଶୁକଦେବ ପରିଡ଼ା, କୈଳାଶ ନାୟକ, ଅଭ୍ୟର୍ଥନା କମିଟିର ସଭାପତି ଅନ୍ତର୍ୟ୍ୟାମୀ ରାଉତ, ସମ୍ପାଦକ କୈଳାଶ ନାୟକ, ଗୋପାଳ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ ସହ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର ଦିବଙ୍ଗତ ସଦସ୍ୟ ଲଡୁ କିଶୋର ବିଶ୍ୱାଳ, କୈବଲ୍ୟ ରାଉତ, ରାମକୃଷ୍ଣ ନାୟକଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭରେ ମା’ ଖମ୍ବେଶ୍ଵରୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉପସ୍ଥିତ ଅତିଥିଗଣ ଶିକ୍ଷା, ସ୍ୱଚ୍ଛ ପରିବେଶକୁ ଗୁରୁତ୍ୱାରୋପ କରିଥିବା ବେଳେ ଆସନ୍ତା ଫେବୃଆରୀ ମାସ ୪ ତାରିଖ ଦିନ ମା’ଙ୍କ ବାର୍ଷିକୋତ୍ସବ ପାଇଁ ସମସ୍ତେ ସହଯୋଗ ଓ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଥିଲା । ଏହି ଅବସରରେ ସମାଜର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ମଣ୍ଡଳ ସମ୍ପାଦକ ବାବୁଲା ଖଣ୍ଡୁଆଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.