ନୂଆପଡା ଜିଲ୍ଲା ଗସ୍ତରେ ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ : ମାଓବାଦୀ ଦମନ ଉପରେ ସମୀକ୍ଷା ବୈଠକ ଓ ସାମ୍ବାଦିକ ସମ୍ମିଳନୀ
ନୂଆପଡ଼ା, (କେପିଏନ୍ଏସ୍) : ଆଜି ଓଡିଶା ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ ନୂଆପଡ଼ା ଜିଲ୍ଲା ଗସ୍ତରେ ଆସି ମାଓ ଦମନ ଅଭିଯାନ ସମ୍ପର୍କରେ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ଓ ସମୀକ୍ଷା ବୈଠକ କରିବା ସହିତ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ତାଙ୍କ ସହିତ ପୋଲିସ ଆଇଜି ଅପରେସନ, ନୀତି ଶେଖର, ନୂଆପଡ଼ା ପୋଲିସ ଆରକ୍ଷୀ ଅଧିକ୍ଷକ ଜି. ଆର୍. ରାଘବେନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ । ଡିଜିପି କହିଲେ ଯେ, ନୂଆପଡ଼ା ଜିଲ୍ଲାସୀମା ଠାରୁ ୫ କିଲୋମିଟର ଦୂରତାରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ମିଳିତ ପୋଲିସ ବାହିନୀକୁ ମାଓ ଦମନ ଅଭିଯାନରେ ବଡ ସଫଳତା ମିଳିଛି । ଯବାନଙ୍କ ଏନକାଉଣ୍ଟରରେ ୧୪ ଜଣ ନିହତ ମାଓବାଦୀଙ୍କ ଶବ ଏଯାଏଁ ଉଦ୍ଧାର ହୋଇଛି । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ କୁଲାହାରିଘାଟର ଭାଲୁଡିଗି ଜଙ୍ଗଲରେ ଏନକାଉଣ୍ଟର ବେଳେ ମାଓବାଦୀ ନିହତ ସଂଖ୍ୟା ବୃଦ୍ଧି ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି । ଅପରେସନରେ ଓଡ଼ିଶା ଏସ୍ଓଜି, ଛତିଶଗଡ଼ କୋବ୍ରା ବାଟାଲିୟନ ଏବଂ ସିଆର୍ପିଏଫ୍ ଏଭଳି ତିନି ପ୍ରକାର ଯବାନଙ୍କ ମିଳିତ ଦଳ ସାମିଲ ହୋଇଥିଲେ । ଏହି ଅଭିଯାନରେ ଅତ୍ୟାଧୁନିକ ରଣନୀତି ବ୍ୟବହାର ହୋଇଛି । ଗତ ୧୯ ତାରିଖ ଦିନ ମାଓ ଓ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଜଣ ମହିଳା ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେସନ ବେଳେ ୨୧ ତାରିଖ ଦିନ ଆଉ ୧୨ ଜଣ ନିହତ ମାଓବାଦୀଙ୍କ ଶବ ଉଦ୍ଧାର ହେଇଛି । ସେଥି ମଧ୍ୟରୁ ମାଓବାଦୀ ସଙ୍ଗଠନର କେନ୍ଦ୍ର କମିଟି ସଦସ୍ୟ ଚଲପତି ଓ ଅନ୍ୟଜଣେ ଓଡ଼ିଶା କମିଟି ମେମ୍ବର ଜୟରାମ ବୋଲି ଜଣାପଡିଛି । ଏବେ ମଧ୍ୟ ସର୍ଚ୍ଚ ଅପରେସନ ଚାଲୁ ରହିଛି । ଆସନ୍ତା ଦିନରେ ନିହତ ମାଓ ସଂଖ୍ୟା ବୃଦ୍ଧି ହୋଇପାରେ ବୋଲି ପୋଲିସ ମହା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅଭିଯାନରେ ଏସ୍ଓଜିଙ୍କ ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିବା ସହ ସେମାନଙ୍କ ବିଶେଷ ଆର୍ଥିକ ସହାୟତାକୁ ୮ ହଜାର ରୁ ୨୫ ହଜାରକୁ ବୃଦ୍ଧି କରିଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦେଇଥିବା ପ୍ରତିଶ୍ରୁତି ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦ ଓ ନକ୍ସଲ ମୁକ୍ତ ଭାରତ ଗଠନର ଏହା ଏକ ସଫଳ ପ୍ରୟାସ ବୋଲି ଡିଜିପି ମତବ୍ୟକ୍ତ କରିଥିଲେ । ଏହି ଘଟଣା ପରେ ମାଓ ଗତିବିଧି ବୃଦ୍ଧି ହେବା ନେଇ ସୀମାନ୍ତ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ ସହିତ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି । ଆଜି ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ସହିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଯୋଗ ଦେଇଥିଲେ ।