ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରାଉରକେଲାର ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନ୍ ୧ର ଡିଏସ୍ପି ପୁଷ୍ପାଞ୍ଜଳି ନେଙ୍ଗୀ ମୁଖ୍ୟଅତିଥି ଓ ପ୍ରାଧ୍ୟାପିକା ତପସ୍ୱିନୀ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୁକ୍ତ ୨ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ନେଙ୍ଗୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆତ୍ମସୁରକ୍ଷା କୌଶଳ ମାନସିକ ଓ ଶାରିରୀକ ଦୃଷ୍ଟିରୁ ଦୃଢ କରିବା ସଙ୍ଗେ ସଙ୍ଗେ ଆତ୍ମବିଶ୍ଵାସ ବୃଦ୍ଧି କରିଥାଏ । ଏହାସହ ସେ ସଚେତନତାକୁ ଗୁରୁତ୍ୱ ଦେବା ସହ ଗାଡି ଚଳାଇବା ବେଳେ ଟ୍ରାଫିକ ନିୟମ ମାନିବା, ହେଲମେଟ ପିନ୍ଧିବା, ଗାଡି ଚଳାଇବା ପାଇଁ ଅନୁମତି ପତ୍ର ରଖିବା, ସାଇବର କ୍ରାଇମ ଓ କୌଣସି ଲିଙ୍କ୍ ପ୍ରଲୋଭନରେ ନପଡିବା ଆଦି ସମ୍ପର୍କରେ ବ୍ୟାପକ ଭାବେ ଆଲୋଚନା କରି ଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଅଧ୍ୟକ୍ଷ ଡ଼ଃ ଜେନା ସ୍ୱାଗତ ଭାଷଣ ସହ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆତ୍ମସୁରକ୍ଷାର ପ୍ରଥମ ସୂତ୍ର ହେଉଛି ସତ କହିବା, ଦ୍ୱିତୀୟରେ ସଚେତନ ରହିବା ଓ ତୃତୀୟରେ ସଠିକ କର୍ମକରି ଆନନ୍ଦ ଲଭିବା । ସମ୍ମାନିତ ଅତିଥି ପ୍ରାଧ୍ୟାପିକା ଶ୍ରୀମତୀ ମିଶ୍ର କହିଲେ ଯେ ଆତ୍ମ ସୁରକ୍ଷା ଏକ କୌଶଳ । ଏହାକୁ ଅଭ୍ୟାସ ଦ୍ୱାରା ଆୟତ କରିହେବ । ଏଥିପାଇଁ ମାନସିକ ଭାବେ ଦୃଢ଼ ହେବାକୁ ପଡିବ । ଏହି ଅବସରରେ ଦୁଇ ଟ୍ରେନର ଖୁସବୁ କେର୍କେଟା ଓ ଲକ୍ଷ୍ମୀ ସିଂ ଶିଖିବା, ଶିଖାଇବା, ପରିମାଣ ଅପେକ୍ଷା ଗୁଣବତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଛାତ୍ରୀମାନେ ଶିଖିଥିବା କୌଶଳକୁ ପ୍ରଦର୍ଶିତ କରିଥିଲେ । ଶେଷରେ ଅଧ୍ୟାପିକା ବନ୍ଦନା ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି ଶିବିରରେ ୨୭୯ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପିକା ଅଧ୍ୟାପକ ଉପସ୍ଥିତ ଥିଲେ ।
Prev Post
Next Post