ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ତାଲପାଲିପଡାରେ ଗତ ଏକବର୍ଷ ଧରି ମହିଳାମାନଙ୍କ ଦ୍ୱାରା ପାଳିତ ହେଉଥିବା ସଂକ୍ରାନ୍ତିର ଆଜି ଉଦ୍ଯାପନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳୁ ସଂକଳ୍ପ କରିଥିବା ମହିଳାମାନେ ସ୍ଥାନୀୟ ତାଲପାଲିବନ୍ଧରୁ କଳସରେ ପାଣିଆଣି ଶୋଭାଯାତ୍ରା କରି ଚନ୍ଦ୍ରାସେଣୀ ମନ୍ଦିରରେ ପହଞ୍ଚିଥିଲେ । ଶତାଧିକ ମହିଳାଙ୍କ ସମାଗମରେ ତାଲପାଲିପଡା ଉତ୍ସବମୁଖର ହୋଇଉଠିଥିଲା । ଆଜି ପ୍ରଥମ ଦିନରେ କଳସ ଶୋଭାଯାତ୍ରା ସହିତ ସୂର୍ଯ୍ୟପୂଜା କରାଯାଇଥିଲା । ସଂଧ୍ୟାରେ ଲକ୍ଷ୍ମୀନାରାୟଣ, ସାଲେଗ୍ରାମ ମହାପ୍ରଭୁଙ୍କୁ ପୂଜା କରାଯାଇଥିଲା । ମହିଳାମାନେ ଗତ ଏକବର୍ଷ ପ୍ରତ୍ୟେକ ମାସର ସଂକ୍ରାନ୍ତିରେ ଉପବାସ ରହିବା ସହିତ ରାତ୍ରି ଉଜାଗର ରହି ସଂକ୍ରାନ୍ତିକୁ ପାଳନ କରିଆସୁଥିଲେ । ଏକବର୍ଷ ପୂରଣ ହେବାପରେ ଆଜି ଏହାର ଉଦ୍ଯାପନୀ କରାଯାଇଛି । ପ୍ରଶନ୍ନ ପାଣିଗ୍ରାହୀ ମୁଖ୍ୟପୂଜକ ରହିଥିବା ବେଳେ ପୂଜାକର୍ତ୍ତା ଭାବରେ ପ୍ରଦୀପ ଷଢଙ୍ଗୀ ଓ ତାଙ୍କ ଧର୍ମପତ୍ନୀ ମମତା ଷଢଙ୍ଗୀ ଦାୟିତ୍ୱ ନେଇଛନ୍ତି । ମଙ୍ଗଳବାର ଦିନ ହୋମଯଜ୍ଞ ସହିତ ଉଦ୍ୟାପନ କାର୍ଯ୍ୟକ୍ରମ ରହିଛି ।