jayashree

Onelife ସଂସ୍ଥା ଦ୍ୱାରା ବଡଦିନ ଓ ଶିଶୁ ମହୋତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଅମାମୁଣ୍ଡା ଗ୍ରାମରେ Onelife ସଂସ୍ଥା ଦ୍ୱାରା ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଛାତ୍ର ଓ ଅଭିଭାବକମାନଙ୍କ ଉପସ୍ଥିତିରେ Christmas Eve ଓ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଂସ୍ଥା ବିଗତ ୧୦ ବର୍ଷ ଧରି ଅମାମୁଣ୍ଡା, ମନହିରା, ଭଇଁସା ଓ ବାଗପଡା ଗ୍ରାମର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ମାଗଣା ଶିକ୍ଷା (ଟିଉସନ୍‌) ପ୍ରଦାନ କରୁଛି । ଚଳିତ ବର୍ଷ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଡେପୁଟି କଲେକ୍ଟର ତଥା ଲୋକପାଳ ସଚ୍ଚିଦାନନ୍ଦ ହନୁମାନ ଓ ସମ୍ବଲପୁର ଧର୍ମାଞ୍ଚଳ ବିଷପ୍‌ ଇମ୍ମାନୁଏଲ ଦାନୀ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରି ସୁନାଗରିକ ଓ ଭଲ ମଣିଷ ହେବା ନିମନ୍ତେ ପରାମର୍ଶ କରିବା ସହିତ ବଡଦିନର ଶୁଭେଚ୍ଛା ପ୍ରଦାନ କରିଥିଲେ । ସେମାନେ ତାଙ୍କ ବକ୍ତବ୍ୟରେ ମହାତ୍ମା ଗାନ୍ଧି ଛାତ୍ରାବସ୍ଥାରେ କିପରି ଗୁରୁଜୀଙ୍କ କପି କରିବା ନିମନ୍ତେ ଭୁଲ ନିର୍ଦ୍ଦେଶକୁ ବିରୋଧ କରିଥିଲେ, ପୁଣି ଛାତ୍ର ମଧୁସୁଦନ ଦାସ ରାସ୍ତା ତିଆରି କରି ଅନ୍ୟମାନଙ୍କ ଆଦର୍ଶ ହୋଇଥିଲେ ତାହାର ଉଦାହରଣ ଉପସ୍ଥାପନ କରିବା ସହିତ ଭଲ ପାଠପଢି ବଡ ମଣିଷ ହେବାକୁ ପରାମର୍ଶ କରିଥିଲେ । ବିଭିନ୍ନ ବିଭାଗ ଗୁଡିକରେ ଉତ୍କର୍ଶତା ଲାଭ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଇଞ୍ଜିନିୟର ଭଞ୍ଜ କିଶୋର କୁମାର ଓ ଆଦିତ୍ୟ ହନୁମାନଙ୍କ ପ୍ରଦତ୍ତ ସହାୟତାରୁ ଛାତ୍ରଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଧର୍ମାଞ୍ଚଳର କୋଷାଧ୍ୟକ୍ଷ ପ୍ରମୋଦ କୁମାର ବାରିକ, ଆ.ରୋହିତ କୁମାର ବାଗ, ଦିଲିପ କୁମାର ନାଗ, ଯିହୋଶିୟ ନାଗ, ଶ୍ରୀମତି ଗିତାଞ୍ଜଳି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସମ୍ପାଦକ ଶିଶିର ଚନ୍ଦ୍ର ନାଗ ପରିଚାଳନା କରିଥିଲେ ପୁଣି ଶ୍ରୀମତି ଏଞ୍ଜେଲିନା ନାଗ ଓ ଶ୍ରୀମତି ବବିତା ରାଣି ନାଗ ସହୟତା କରିଥିଲେ ।

Leave A Reply

Your email address will not be published.