jayashree

ତୁଷୁରା ସଂକୁଳର ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ଅର୍ଜୁନପୁର ଠାରେ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ତୁଷୁରା ସଂକୁଳ ସ୍ତରୀୟ ଶିଶୁ ଭାରତୀ ପଦାଧିକାରୀ କାର୍ଯ୍ୟଶାଳା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଅର୍ଜୁନପୁର ଆନୁକୂଲ୍ୟରେ ଅର୍ଜୁନପୁର ଉଚ୍ଚ ବିଦ୍ୟାଳୟ ଠାରେ ସଭାପତି ଗଦାଧର ଗଡତ୍ୟାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂକୁଳ ଅନ୍ତର୍ଗତ ତୁଷୁରା, ତେନ୍ତୁଳିଖୁଣ୍ଟି, ଗୁଡଭେଲା, ସଇଁତଲା, ଛନଛଡା, ଟିକ୍ରାପଡା, ଜରାସିଂହା ଓ ଅର୍ଜୁନପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ୧୪୦ ଜଣ ଛାତ୍ରଛାତ୍ରୀ ୩୦ ଜଣ ଗୁରୁଜୀ, ଗୁରୁମାଙ୍କୁ ନେଇ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଥିଲା । ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁମନ୍ତ ପରୁଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦେଓଗାଁ ବ୍ଲକ ଉପାଧ୍ୟକ୍ଷା ସୁଶ୍ରୀ ସୂର୍ଯ୍ୟକାନ୍ତି ଛତ୍ରିଆ, ପ୍ରତିଷ୍ଠାତା ସଂପାଦକ ପାଲେଶ୍ୱର ବାଗ, ସଂପାଦକ ମୋହନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ସଂକୁଳ ସଂଯୋଜକ ସୁଶୀଳ କୁମାର ଦାସ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଓ ପ୍ରଧାନ ଆଚାର୍ଯ୍ୟ ସୁଧାଂଶୁ ଶେଖର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦ୍‌ଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ତୁଷୁରା ସଂକୁଳ ପ୍ରମୁଖ ତଥା ବିଶିଷ୍ଟ ଶିକ୍ଷାବିତ୍‌ ଆଶୁକବି ହେମନ୍ତ ଦାଶ ଯୋଗଦେଇ ‘ଆମ ଦେଶ ସୂର ବୀର ମାନଙ୍କର ଦେଶ’ ଶୀର୍ଷକରେ ବୌଦ୍ଧିକ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଟିକୁ ଆଚାର୍ଯ୍ୟା ତୃପ୍ତିମୟୀ ତ୍ରିପାଠୀ ସଞ୍ଚାଳନ କରିଥିବା ବେଳେ ଶ୍ରୀ ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ସଚେତନତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ ଖୁବ୍ ଉଚ୍ଚକୋଟିର ଥିଲା ବୋଲି ସଂକୁଳ ପ୍ରମୁଖ ଶ୍ରୀ ଦାଶ ସମସ୍ତଙ୍କୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ସ୍ଥାନୀୟ ବିଦ୍ୟାଳୟର ସମସ୍ତ ଗୁରୁମା, ଗୁରୁଜୀ ସହଯୋଗ କରିଥିଲେ ।

Leave A Reply

Your email address will not be published.