କେସିଙ୍ଗା, (ପ୍ରୀତେଶ ପଟେଲ) : ଦୀର୍ଘଦିନରୁ କେସିଙ୍ଗା ବ୍ଲକର ରାଜନୀତି ସରଗରମ ଥିଲା କିନ୍ତୁ କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଆଜି କାଟ ଖାଇଥିବା ଜଣାଯାଇଛି । ଫଳରେ ଦୀର୍ଘ ୨ ମାସ ପାଖାପାଖି ହେଲା ଚାଲିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀ ସେନାପତି ବିଜୟ ହାସଲ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସପକ୍ଷବାଦୀ ଦୀର୍ଘଦିନ ହେଲା ଅଜ୍ଞାତବାସରେ ଥିଲେ ମଧ୍ୟ ଆବଶ୍ୟକ ଥିବା ସଂଖ୍ୟା ୩୭ ଜଣ ସଦସ୍ୟ ନହେବାରୁ ସେମାନେ ଆଜି ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହି ଭୋଟିଂରେ ଭାଗ ନେଇ ନଥିଲେ । ଫଳରେ ବ୍ଲକ ଅଧ୍ୟକ୍ଷ ଶ୍ରୀ ସେନାପତି ଅନାସ୍ଥା ପ୍ରସ୍ତାବରେ ବିଜୟୀ ହୋଇ ତାଙ୍କ ପଦବୀ ବଜାୟ ରଖିଛନ୍ତି । ଦୀର୍ଘଦିନ ହେଲା କେସିଙ୍ଗା ବ୍ଲକରେ ଚାଲିଥିବା ହାଇଡ୍ରାମାର ଯବନିକା ପଡିଛି ଓ ବିରୋଧୀ ଶିବିରରେ ନୈରାଶ୍ୟ ଖେଳିଯାଇଛି । ଅନ୍ୟପକ୍ଷରେ ମାନ୍ୟବର ହାଇକୋର୍ଟଙ୍କ ଆଦେଶନାମା ଅନୁସାରେ ଆଜି ଫଳାଫଳ ଘୋଷଣା ସ୍ଥଗିତ ରହିଛି ।