ହଳଦୀ ଗ୍ରାହକ ସେବାକେନ୍ଦ୍ର ପରିଚାଳକ ଭାଇଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତଙ୍କ ୭ ଲକ୍ଷ ୩୦ ହଜାରରୁ ଅଧିକ ଟଙ୍କା ଲୁଟ୍ ଘଟଣା
- ୩ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ
- ଲୁଟ୍ ଟଙ୍କା ସହ ବିଭିନ୍ନ ସାମଗ୍ରୀ ଉଦ୍ଧାର
- ୨ ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର୍
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ବଜାର ଛକରେ ଏସ୍ବିଆଇ ଗ୍ରାହକ ସେବାକେନ୍ଦ୍ର ଦେଇଥିବା ପାଖ ପଟାମରା ଗ୍ରାମର ଲଲିତ ଗହୀର ଓ ତାଙ୍କ ଭଉଣୀ ହିମାନୀ ଗହୀରଙ୍କୁ ଗତ ଶୁକ୍ରବାର ରାସ୍ତାରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୭ ଲକ୍ଷ ୩୦ ହଜାର ୨ ଶହରୁ ଅଧିକ ଟଙ୍କା, ଲାପଟପ୍ ସହ ବହୁ ସାମଗ୍ରୀ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ବହୁ ଚର୍ଚ୍ଚିତ ଘଟଣାରେ ମୁରିବାହାଲ ଥାନା ପୁଲିସ ମାରାଥନ ତଦନ୍ତ କରି ମାତ୍ର ୫ ଦିନ ମଧ୍ୟରେ ଏହି ଘଟଣାରେ ସାମିଲ ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଲୁଟ୍ ଟଙ୍କା ଓ ବିଭିନ୍ନ ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ୨ ମୁଖ୍ୟ ମାଷ୍ଟର ମାଇଣ୍ଡ ଫେରାର୍ ଥିବା କଣ୍ଟାବାଞ୍ଜି ଏସ୍ଡିପିଓ ଗୌରାଙ୍ଗ ଚରଣ ସାହୁ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ଦେଓଗାଁ ଥାନା ମୁରସିଂ ଗ୍ରାମର ଭୁବନେଶ୍ୱର ଭୋଇ(୨୭), ତୁଷୁରା ଥାନା ବରାହକନା ଗ୍ରାମର ଯଶୋବନ୍ତ ଛତ୍ରିଆ (୨୫) ଓ ସଇଁତଲା ଥାନା ଗୋଏଲଭାଡ଼ି ଗ୍ରାମର ତୋଷରଞ୍ଜନ ବାରିକ(୨୮) । ପୁଲିସ୍ ୩ ଗିରଫ ଅଭିଯୁକ୍ତମାନଙ୍କ ପାଖରୁ ମୋଟ ନଗଦ ୧ ଲକ୍ଷ ୩୯ ହଜାର ୨ ଶହ ଟଙ୍କା, ବ୍ୟବହୃତ ସ୍କୁଟି (ଓଡ଼ି ୦୩ଏବି ୩୫୧୨), ବାଇକ୍(ଓଆର୍ ୦୩ ଏ ୯୬୪୯), ଏକ ଟାଙ୍ଗିଆ, ଫିଙ୍ଗର ପ୍ରିଣ୍ଟ ମେସିନ, ଏକ ମୋବାଇଲ ଫୋନ୍ ସହ ଚାର୍ଜର, ଏକ କଳା ରଙ୍ଗର ବ୍ୟାଗ୍, ଏକ ଭଙ୍ଗା ଲ୍ୟାପଟପ୍, ୩ଟି ବ୍ୟାଙ୍କର ୧୩ ଟି ଚେକ୍ ବୁକ୍, ୩ଟି କ୍ୟାସ ରେଜିଷ୍ଟର, ଭାଇଭଉଣୀଙ୍କ ଦୁଇଟି ଆଧାର କାର୍ଡ ଓ ଏକ ପ୍ଲାଷ୍ଟିକ ବାକ୍ସକୁ ଉଦ୍ଧାର କରିଛି । ଲୁଟ୍ ମାମଲାରେ ସ୍କୁଟି ଓ ଏକ ବାଇକ୍ ବ୍ୟବହାର ହେବା ସହ ସ୍କୁଟିରେ ବସିଥିବା ୩ ଜଣଙ୍କ ମଧ୍ୟରୁ ୨ ଜଣ ଓ ବାଇକ୍ରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି । ଏହି ଘଟଣାର ଅନ୍ୟ ୨ ମୁଖ୍ୟ ମାଷ୍ଟର ମାଇଣ୍ଡ ବର୍ତ୍ତମାନ ସୁଦ୍ଧା ଫେରାର୍ ଥିବା ପୋଲିସ ପ୍ରକାଶ କରିଛି । ଲୁଟ୍ ଲ୍ୟାପଟପ୍କୁ ଦୁର୍ବୃତ୍ତମାନେ ତେଲ ନଦୀରେ ଫିଙ୍ଗି ଦେଇଥିବା ବେଳେ ପୁଲିସ ପାଣିରେ ବୁଡି ଲ୍ୟାପଟପ୍ ଉଦ୍ଧାର କରିଥିଲା । ସେହିପରି ଲୁଟ୍ ଟଙ୍କାରେ ସେମାନେ ଏକ ମୋବାଇଲ କିଣି ସାରିଥିବା ବେଳେ ଏହାକୁ ମଧ୍ୟ ଉଦ୍ଧାର କରିଥିଲା । ୩ ଜଣ ଅଭିଯୁକ୍ତ ଉଚ୍ଚ ଶିକ୍ଷିତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ବିଏ ପାସ୍ କରିଥିବା ବେଳେ ଜଣେ +୨ ପାସ୍ କରିଥିବା ଜଣାପଡିଛି । ଫେରାର୍ ଥିବା ୨ ମାଷ୍ଟର ମାଇଣ୍ଡଙ୍କୁ ମଧ୍ୟ ଶୀଘ୍ର ଗିରଫ କରାଯିବ ବୋଲି ଏସ୍ଡିପିଓ ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏହି ଲୁଟ୍ ମାମଲା ତଦନ୍ତ ପାଇଁ ଗଠିତ ୩ ଟିମ୍ରେ ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ୍, ବଙ୍ଗୋମୁଣ୍ଡା ଥାନା ଆଇଆଇସି ସଞ୍ଜୀବ ପ୍ରଧାନ, ତୁରେକେଲା ଥାନା ଆଇଆଇସି ରମାକାନ୍ତ ସାହୁଙ୍କ ନେତୃତ୍ୱରେ ସମସ୍ତ ପୁଲିସ କର୍ମଚାରୀ ସହଯୋଗ କରିଥିଲେ । ସାମ୍ୱାଦିକ ସମ୍ମିଳନୀରେ ଉପସ୍ଥିତ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ପ୍ରକାଶ କରିଛନ୍ତି ।