ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାର ପୂରାତନ ଛାତ୍ରଙ୍କ ଦ୍ୱାରା ଟିଆଇଏଫ୍‌ଆର୍‌ ସମ୍ପର୍କରେ ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲା ପକ୍ଷରୁ ପୂରାତନ ଛାତ୍ରଙ୍କ ସହିତ ଭାବ ବିନିମୟ ଆଧାରକୁ ନେଇ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ଜନ୍ମେଜୟ ପଣ୍ଡା ମହାବିଦ୍ୟାଳୟର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ସମ୍ପ୍ରତି ଦେଶର ଅନ୍ୟତମ ପ୍ରତିଷ୍ଠିତ ଗବେଷଣା ଅନୁଷ୍ଠାନ ଟାଟା ମୌଳିକ ଗବେଷଣା ପ୍ରତିଷ୍ଠାନ – ଟିଆଇଏଫ୍‌ଆର୍‌, ହାଇଦ୍ରାବାଦରେ ଜଣେ ଗବେଷଣାରତ ସହଯୋଗୀଭାବେ ଜନ୍ମେଜୟ ପଣ୍ଡା ଟିଆଇଏଫ୍‌ଆର୍‌ରେ ଚାଲିଥିବା ବିଭିନ୍ନ ଗବେଷଣା ପ୍ରସଙ୍ଗରେ ଛାତ୍ରଛାତ୍ରୀଙ୍କ ସହିତ ଭାବମିନିମୟ କରିଥିଲେ । ଏହା ସହିତ ବିଭିନ୍ନ ଗବେଷଣା ସମ୍ପର୍କିତ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରୀ ପଣ୍ଡା ଭାଗ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ ସେଠୀ, ବିଭାଗୀୟ ମୁଖ୍ୟ ଡ. ଅନ୍ନପୂର୍ଣ୍ଣା ମହନ୍ତ, ବିଭାଗୀୟ ଅଧ୍ୟାପକ ଡ. ବିଶ୍ୱନାଥ ପରିଜା, ଡ. ନିରଞ୍ଜନ ସାହୁ, ଡ. ଶୁଭଜ୍ୟୋତି ମହାପାତ୍ର, ଡ. ସତ୍ୟବ୍ରତ ଶତପଥି, ଡ. ରଞ୍ଜନାରାଣୀ ଦାସ, ଅଶୋକ ମିଞ୍ଜ, ସନ୍ତୋଷିନୀ ପାତ୍ର ଓ ଅଭିଜିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ମୁଖ୍ୟଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକାମାନେ ମଧ୍ୟ ଉପସ୍ଥିତ ଥିଲେ । ଶ୍ରୀ ପଣ୍ଡାଙ୍କ ଗବେଷଣା ଜନିତ ସନ୍ଦର୍ଭ ବିଭିନ୍ନ ଲୋକପ୍ରିୟ ଓ ପ୍ରତିଷ୍ଠିତ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛି । ମହାବିଦ୍ୟାଳୟର ଜଣେ ପୂରାତନ ଛାତ୍ରଭାବେ ବିଭିନ୍ନ ବିଭାଗର ଇଚ୍ଛୁକ ଛାତ୍ରଛାତ୍ରୀମାନଙ୍କୁ ଟିଆଇଏଫ୍‌ଆର୍‌ରେ ଗବେଷଣା ପାଇଁ ଆବଶ୍ୟକ ସହଯୋଗ କରିବା ନିମନ୍ତେ ଶ୍ରୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ । ଏହି ଆଲୋଚନା କାର୍ଯ୍ୟକ୍ରମକୁ ବିଭାଗୀୟ ଛାତ୍ରୀ ସ୍ୱାତି ସଂଯୋଜନା କରିଥିଲାବେଳେ ଛାତ୍ର ଆଦିତ୍ୟ କୁମାର ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ସେଠୀ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବର୍ତ୍ତମାନର ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ଆଶା କରିବା ସହ ଆସନ୍ତା ଦିନରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.