ନିଖୋଜ ଥିବା ନାବାଳକର ମୃତଦେହ ଉଦ୍ଧାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ନିଖୋଜ ଥିବା ୧୧ ବର୍ଷୀୟ ବାଳକର ମୃତଦେହ ଝଳିଆଲିଟି ଗ୍ରାମ ନିକଟରେ ଥିବା ଡୁଙ୍ଗରି ପାଖରୁ ଉଦ୍ଧାର ହୋଇଥିବା ଭଳି ଲୋମହର୍ଷଣକାରୀ ଘଟଣା ଆଜି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ୧୭ ତାରିଖ ଗୁରୁବାର ଦିନ ଲାଠୋର ଥାନାରେ ଜଲପାଖେଲ ଗ୍ରାମର ତପନ ବେମାଲ ତାଙ୍କର ସାନ ପୁଅ ସୁବନ ବେମାଲ ଓରଫ ମଣ୍ଟୁ (୧୧) ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ଗ୍ରାମର ସମସ୍ତ ଲୋକ ପିଲାକୁ ଖୋଜିବାରେ ଲାଗିପଡ଼ିଥିଲେ । ରାତିସାରା ଖୋଜିଲା ପରେ ମଧ୍ୟ ସେମାନେ ମଣ୍ଟୁକୁ ପାଇନଥିଲେ । ଆଜି ସକାଳୁ କିଛି ଲୋକ କରୁଆଁଝର ପଞ୍ଚାୟତ ଝଳିଆଲିଟି ଗ୍ରାମ ନିକଟରେ ଥିବା ଡୁଙ୍ଗରି ଠାରେ ଗୋଟିଏ ବାଳକର ମୃତଦେହ ଦେଖିଥିଲେ । ଖବରଟି ସବୁଆଡେ ପ୍ରଚାର ହେବା ପରେ ମଣ୍ଟୁର ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ଶବକୁ ସୁବନ ବେମାଲ ଓରଫ ମଣ୍ଟୁ ବୋଲି ଚି଼ହ୍ନଟ କରିଥିଲେ । ଘଟଣାସ୍ଥଳରେ ଲାଠୋର ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ପ୍ରକାଶ କରିଛନ୍ତି । ଅନ୍ୟପଟେ ଗ୍ରାମବାସୀଙ୍କ କହିବା ଅନୁଯାୟୀ କିଛି ବର୍ଷ ତଳେ ଜଲପାଖେଲ ଗ୍ରାମର ଗୋଟିଏ ଛୁଆକୁ ସେହି ଜାଗାରେ କେହି ମାରି ଫିଙ୍ଗି ଦେଇଥିଲା । ଇଣ୍ଟର୍‌ନେଟ୍‌ ଯୁଗରେ ବିଜ୍ଞାନର ପ୍ରଗତି ସତ୍ତ୍ୱେ ଏବେ ବି କିଛି ଲୋକ କୁସଂସ୍କାର ଅନ୍ଧବିଶ୍ୱାସକୁ ଜାବୁଡି ଧରିଛନ୍ତି । ସେମାନେ ଅନ୍ଧବିଶ୍ୱାସର କବଳରେ ପଡି ନରହତ୍ୟା ପରି ବିଭିତ୍ସକାଣ୍ଡ ଘଟାଇବାକୁ ଟିକିଏ ବି ପଛାଉନାହାଁନ୍ତି । ଏତେ ଛୋଟ ବୟସରେ ବାଳକକୁ ହତ୍ୟା କରାଯାଇଥିବା ନେଇ ଜଲପାଖେଲ ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ଶବବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣାପଡିଛି । ତେବେ ଏହି ଘଟଣାଟି କୌଣସି କଳହକୁ ନେଇ ଘଟିଛି ନାଁ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଛି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.