ତ୍ରିନାଥ ସିଂହଙ୍କ ‘ଦୁଇଫର୍ଦ୍ଦ ଆକାଶ’ ଉପନ୍ୟାସ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ‘ଟାଇମ୍ ପାସ୍’ ଦ୍ଵାରା ଭୁବନେଶ୍ଵର ସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶି ଗବେଷଣା କେନ୍ଦ୍ରର ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବହିବର୍ଷା କାର୍ଯ୍ୟକ୍ରମରେ ଜଣାଶୁଣା ଓଡ଼ିଆ କବି ତ୍ରିନାଥ ସିଂହଙ୍କ ଉପନ୍ୟାସ ‘ଦୁଇଫର୍ଦ୍ଦ ଆକାଶ’ର ଲୋକାର୍ପଣ ହୋଇଯାଇଛି । ଏକ ସ୍ୱତନ୍ତ୍ର ଶୈଳୀରେ ସଜ୍ଜିତ ଏହି ମଞ୍ଚରେ ସୁପ୍ରସିଦ୍ଧ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ, ‘ଟାଇମପାସ’ର ନିର୍ଦ୍ଦେଶକ ସୁପରିଚିତ କବି ସରୋଜ ବଳ ଓ କବି ବିଜୟ ମଲ୍ଲ ପୁସ୍ତକଟିକୁ ଲୋକାର୍ପିତ କରି ଏହା ଉପରେ ସଂକ୍ଷିପ୍ତ ଆଲୋଚନା କରିଥିଲେ । ଉଣେଇଶ ଅନେଶ୍ୱତ ମହାବାତ୍ୟାର କରାଳ ଚିତ୍ର ଓ ଭିତ୍ତିଭୂମି ଉପରେ ୨୫ ବର୍ଷ ପରେ ରଚିତ ଏହି ଉପନ୍ୟାସ ଉପରେ ପଚରାଯାଇ ଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ରଖିଥିଲେ ଏହାର ଲେଖକ ଶ୍ରୀ ସିଂହ । ବହିବର୍ଷା ପୁସ୍ତକର ଲୋକାର୍ପଣ ଉତ୍ସବରେ ବାସୁଦେବ ଦାସ, ଫନି ମହାନ୍ତି, ସରୋଜିନୀ ସାହୁ, ପ୍ରକାଶ ପରିଡ଼ା, କ୍ଷିରୋଦ ପରିଡ଼ା, ସେନାପତି ପ୍ରଦ୍ୟୁମ୍ନ କେଶରୀ, ଭୀମ ପୃଷ୍ଟି, ବିରାଜ ମୋହନ ଦାସ, ବିଜୟ ମହାପାତ୍ର, ସୁଷମା ମିଶ୍ର, ସୁପ୍ରିୟା ପଣ୍ଡା, ନର୍ମଦା ନିଲୋତ୍ପଳା, ଶକ୍ତି ମହାନ୍ତି, ପଞ୍ଚାନନ ନାୟକ, ଜ୍ଞାନରଞ୍ଜନ ନାୟକ, ଶକ୍ତି ମହାନ୍ତି, ପ୍ରବୀଣା ମହାନ୍ତି, ଜ୍ଞାନୀ ଦେବାଶିଷ, ମୋହିତ ଚକ୍ରବର୍ତ୍ତୀ ପ୍ରମୁଖ ଓଡ଼ିଶାର ବର୍ଷୀୟାନ ଓ ଲବ୍ଧ ପ୍ରତିଷ୍ଠିତ ଲେଖକ ଉପସ୍ଥିତ ଥିଲେ । ଏହା ପୂର୍ବରୁ କବି ତ୍ରିନାଥ ସିଂହଙ୍କର ଫେରନ୍ତାପକ୍ଷୀ, କୋଳାହଳ, ସେମାନଙ୍କ ପୂର୍ବାପର, ପବନ ବହୁଛି ଯେମିତି ଓ ଚୁପଚାପ୍ ଚତୁର୍ଥ ଧାଡ଼ିରେ ଆଦି କବିତା ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିପାରିଛି । ଚାରି ଦଶନ୍ଧିରୁ ଅଧିକ କାଳ ଧରି ସାହିତ୍ୟବ୍ରତୀ ଶ୍ରୀ ସିଂହ ଅନେକ ସମ୍ଭ୍ରାନ୍ତ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ।

Leave A Reply

Your email address will not be published.