ମାଁ କୁଶଙ୍ଗାଇଙ୍କ ଶାରଦୀୟ ବଏଲ ଯାତ୍ରା

  • ଦୀର୍ଘ ୨୦ ବର୍ଷ ପରେ ଆବିର୍ଭାବ ହେଲେ ନୂଆଁ ବରୁଆ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ହେଉଛି ମାଁ କୁଶଙ୍ଗାଇ । ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗରେ ମାଁ କୁଶଙ୍ଗାଇ ଏକ ଭବ୍ୟ ମନ୍ଦିର ଭିତରେ ଆସ୍ଥାନ କରି ପୂଜା ପାଉଛନ୍ତି । ବାର ମାସରେ ତେର ଯାତ୍ରା ଭଳି ମାଁଙ୍କ ସ୍ଵତନ୍ତ୍ର ବିଧି ବିଧାନ ରହିଛି । ଚଳିତ ମାସ ୨୪ ତାରିଖରୁ ଶାରଦୀୟ ଦୁର୍ଗାପୂଜା ଅବସରରେ ଷୋହଳ ପୂଜା ଆରମ୍ଭ ହୋଇଛି । ଫଳରେ ଚଳ ଚଞ୍ଚଳ ହୋଇ ଉଠିଛି ମାଁଙ୍କ ପୀଠସ୍ଥଳୀ । ମାଁ କୁଶଙ୍ଗାଇ କେଉଁ ଆବହମାନ କାଳରୁ ଏଠାରେ ଅଧିଷ୍ଠାତ୍ରୀ ଦେବୀ ଭାବେ ପୂଜା ପାଉଛନ୍ତି । ସବୁ ପର୍ବ ପର୍ବାଣୀରେ ସ୍ଵତନ୍ତ୍ର ରୀତିନୀତି ହିସାବରେ ପୂଜା ହେଉଥିଲେ ମଧ୍ୟ ବର୍ଷରେ ତିନି ଥର ବଏଲ୍ ଯାତ୍ରାରେ ମାଁ ବରୁଆ ମାଧ୍ୟମରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଏହି କ୍ରମରେ ଚଳିତ ଶାରଦୀୟ ଦୁର୍ଗାପୂଜା ଅବସରରେ ମାଁଙ୍କ ମହାଷ୍ଟମୀରେ ବଏଲ୍ ଯାତ୍ରା ପଡୁଛି । ଯାହାକି ଦୀର୍ଘ ୨୦ ବର୍ଷ ପରେ ନୂଆଁ ବରୁଆ ଆବିର୍ଭାବ ହୋଇଛନ୍ତି । ସୂଚନା ଅନୁଯାୟୀ, ବର୍ଷକୁ ଶାରଦୀୟ ମହାଷ୍ଟମୀ, କୁମାର ପୂର୍ଣ୍ଣିମା ଓ ଚୈତ୍ର ପୂର୍ଣ୍ଣିମାରେ ମାଁଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହୋଇଥାଏ । ୨ ବରୁଆଙ୍କ ପାଳିରେ ଉକ୍ତ ବଏଲ୍ ଯାତ୍ରା ପାଳିତ ହେଉଥିବା ବେଳେ ଲୋକନାଥ ଦେହେରୀ ଓ ଖଗେଶ୍ୱର ଦେହେରୀ ଦାୟିତ୍ଵ ତୁଲାଇ ଆସୁଥିଲେ । ତେବେ ଚଳିତ ଶାରଦୀୟ ଦୁର୍ଗାପୂଜାରେ ବାର୍ଦ୍ଧକ୍ୟ ହେତୁ ବୟୋଜୈଷ୍ଠ ପୂଜକ ଲୋକନାଥ ଦେହେରୀଙ୍କ ସ୍ଥାନରେ ନୂଆଁ ବରୁଆ ଆବିର୍ଭାବ ହୋଇଛନ୍ତି । ତେଣୁ ପରମ୍ପରା ହିସାବରେ କୁଆଁରା ଥିବା ପୂଜକଙ୍କ ଜୈଷ୍ଠ ପୁତ୍ରଙ୍କୁ ବିଧି ଅନୁସାରେ ବରୁଆ ଭାବରେ ଆବିର୍ଭାବ କରାଯାଇଛି । ତେଣୁ ବିଧି ଅନୁଯାୟୀ କୁଆଁରା ଅବସ୍ଥାରୁ ଦୀର୍ଘ ୪୦ ବର୍ଷ ହେଲା ପୂଜକ ସହ ବରୁଆ ହୋଇଥିବା ଲୋକନାଥ ଦେହେରୀଙ୍କ କୁଆଁରା ଜୈଷ୍ଠ ପୁତ୍ର ୨୮ ବର୍ଷୀୟ ଦେବଦତ୍ତ ଦେହେରୀ ସ୍ଥାନ ପାଇଛନ୍ତି । ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ଆସନ୍ତା ଅକ୍ଟୋବର ୧୦ ତାରିଖରେ ମହାଷ୍ଟମୀ ତିଥିରେ ମାଁଙ୍କ ବଏଲ୍ ଯାତ୍ରା ଅନୁଷ୍ଠିତ ହେବ । ଏନେଇ ନୂଆଁ ବରୁଆ ଆବିର୍ଭାବ ନେଇ ଗତ ୪ ତାରିଖ ଅର୍ଥାତ ଆଶ୍ୱିନ ଶୁକ୍ଳପକ୍ଷ ଦ୍ଵିତୀୟା ତିଥିରେ ଆବାହନ ସରିଛି । ନୂଆଁ ବରୁଆ ଭାବରେ ଦେବଦତ୍ତ ଆବିର୍ଭାବ ହୋଇଛନ୍ତି । ମାଁ କୁଶଙ୍ଗାଇଙ୍କୁ ସ୍ଵତନ୍ତ୍ର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇ ନୂଆଁ ବରୁଆଙ୍କୁ ଆବାହନ ହୋଇଛି । ମନ୍ଦିର ପରିସରରେ ନୂଆଁ ବରୁଆ ମଧ୍ୟ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଆସନ୍ତା ମହାଷ୍ଟମୀ ତିଥି ନିଶା ରାତିରେ ବଏଲ୍ ଯାତ୍ରା ଆରମ୍ଭ ହୋଇ ଗ୍ରାମ୍ୟ ପରିକ୍ରମା ସହ ଭକ୍ତଙ୍କୁ ଦର୍ଶନ ଦେବେ । ଏନେଇ ଗ୍ରାମବାସୀଙ୍କ ମନରେ ମଧ୍ୟ ଉତ୍ସାହ ଦେଖା ଦେଇଥିବା ବେଳେ ଦୂର ଦୁରନ୍ତରୁ ଶ୍ରଦ୍ଧାଳୁଙ୍କ ମଧ୍ୟ ଭିଡ ଜମିବ ବୋଲି ଜଣାପଡିଛି । ଏହାସହ ଚଳିତ ଷୋହଳ ପୂଜା ଅବସରରେ ମାଁଙ୍କ ରୀତିନୀତି ଅନୁଯାୟୀ ପୂଜା ଚାଲିଛି । ମନ୍ଦିର ପରିସରରେ ପାରାୟଣ ସହ ଅନ୍ୟାନ୍ୟ ପୂଜା ହେଉଥିବା ବେଳେ ମହାଷ୍ଟମୀ ଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ସରିଛି । ପ୍ରତ୍ୟେହ ମାଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସମାବେଶ ଦେଖିବାକୁ ମିଳୁଛି । ଏହାସହ ନୂଆଁ ବରୁଆଙ୍କ ଆବିର୍ଭାବ ନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ଧୂପ ଦୀପ ନୈବେଦ୍ୟରେ ମନ୍ଦିର ପରିସର ମହକି ଉଠୁଛି ।

Leave A Reply

Your email address will not be published.