ଓସାକା ହାଇଦ୍ରାବାଦ ତରଫରୁ ପାରମ୍ପରିକ ଶୈଳୀରେ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ

ହାଇଦ୍ରାବାଦ : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶା ବାସୀଙ୍କ ଅଗ୍ରଣୀ ସଂଗଠନ ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ “ଓସାକା” ତରଫରୁ ୨୯ ସେପ୍ଟେମ୍ବରରେ ବଂଜାରା ହିଲସ ସ୍ଥିତ ଆଦିବାସୀ ଭବନ ଠାରେ ମହାସମାରୋହରେ ନୂଆଁଖାଇ ଭେଟ୍‌ଘାଟ୍ ପାଳିତ ହୋଇଯାଇଛି । ପ୍ରଥମେ ଛତର୍ ସହ ଶୋଭାଯାତ୍ରା ପରେ ଧରତୀ ମାତା ଏବଂ ଇଷ୍ଟଦେବୀ ମାଁ ସମଲେଇ, ମାଁ ପାଟଣେଶ୍ୱରୀ, ମାଁ ମାଣିକେଶ୍ଵରୀ ଏବଂ ମେଁ ସୁରେଶ୍ଵରିଙ୍କ ପୂଜାଅର୍ଚ୍ଚନା ହୋଇଥିଲା । ବିଗତ ବର୍ଷ ପରି ତଳେ ବସି ସମସ୍ତେ ଏକାଠି ନୂଆଁଖାଇ “ଚୁରାକୁଁଡା ” ପ୍ରସାଦ ସେବନ ପରେ ଜୁହାରି ଭେଟ ହୋଇଥିଲେ । ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଭବାନୀପାଟଣାର ବିଧାୟକ ସାଗର ଚରଣ ଦାସ । ନୂଆଁଖାଇର ଏକତା ଭଳି ସବୁ ପଶ୍ଚିମ ଓଡ଼ିଶାବାସୀ ଏକଜୁଟ୍ ହେଇ ପଶ୍ଚିମ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ପ୍ରୟାସ କରିବାକୁ ଅନୁରୋଧ କରିଥିଲେ । ଓସାକା, ହାଇଦ୍ରାବାଦର ନୂଆଁଖାଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଅସଲ ପରମ୍ପରାର ପ୍ରତିଫଳନ ପାଇଁ ଭୁୟସୀ ପ୍ରଶଂସା କରିଥିଲେ । ହାଇଦ୍ରାବାଦରେ କେମିତି ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇ ପାରିବ ସେଥିପାଇଁ ସେ ଯଥା ସମ୍ଭବ ସହଯୋଗ କରିବେ ବୋଲି ତାଙ୍କର ନୂଆଁଖାଇ ବାର୍ତ୍ତାରେ ଘୋଷଣା କରିଥିଲେ । ଏହି ଅବସରରେ ବିଧାୟକ ସାଗର ଚରଣ ଦାସଙ୍କୁ ଓସାକା ତରଫରୁ “ଯୁବ ଆଇକନ୍ ଏବଂ ପଶ୍ଚିମ ଓଡ଼ିଶାର ଶ୍ରେଷ୍ଠ ଯୁବ ନେତା – ୨୦୨୪” ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ଅବଦାନ ପାଇଁ ବିରମହାରାଜପୁର ସ୍ଥିତ ମହାନଦୀ ନେତ୍ର ଚିକିତ୍ସାଳୟର ଡଃ. ଦେବେନ୍ଦ୍ର କୁମାର ସାହୁ , ଇନ୍ ଫରମେସନ୍ ଟେକ୍ନୋଲୋଜି କ୍ଷେତ୍ରରେ ଅବଦାନ ପାଇଁ ବୁର୍ଲା ଇଞ୍ଜିନିୟରିଙ୍ଗ କଲେଜର ପୂର୍ବତନ ଛାତ୍ର ଇଂ ମହେଶ ଅଗ୍ରୱାଲ ଏବଂ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଏନ.ଜି.ଆର୍.ଆଇ. ହାଇଦ୍ରାବାଦରେ କାର୍ଯ୍ୟରତ ମୁଖ୍ୟ ବୈଜ୍ଞାନିକ ଡଃ. ବି.ପ୍ରଶାନ୍ତ ପାତ୍ରଙ୍କୁ ” ଓସାକା ” ତରଫରୁ ସମ୍ମାନିତ କରାଯାଇଥିଲା । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ପାଟଣାଗଡର “ସାତ୍ କୁଁଆରୀ ସାଂସ୍କୃତିକ ପରିଷଦ ” । ଦୁଷ୍ମନ୍ତ ସୁନା, ସଂଗୀତା ରାଉତ, ଟ୍ଵିଙ୍କିଲ ମହାପାତ୍ର, ଭରତ ନାଗ, ମନୋଜ ବାଗ ଏବଂ କରନ ତାଣ୍ଡିଙ୍କର ସମ୍ବଲପୁରୀ ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ । ସଂଗୀତ ଆରାଧନାର ନୃତ୍ୟ ତଥା ମନୋଜ ବାଗ ଏବଂ ଖୁସି ମହାରଣାଙ୍କ ମଞ୍ଚ ପରିଚାଳନା ବେଶ ମନଛୁଆଁ ଥିଲା । ହାସ୍ୟ ତଡକା ଶିଶିର ପୁରୋହିତଙ୍କର ବ୍ୟଙ୍ଗ କବିତା ଦର୍ଶକ ବେଶ ଉପଭୋଗ କରିଥିଲେ । ବରିଷ୍ଠ କବି ଭିକାରୀ ମିଶ୍ରଙ୍କ ଲିଖିତ ସମ୍ବଲପୁରୀ କୋସଲୀ ବହି “ଜନ୍ ଖମନ୍ ” ଏବଂ “ଘନ୍ ଖମନ୍” ଉନ୍ମୋଚିତ ହୋଇଥିଲା । ପଶ୍ଚିମ ଓଡିଶାର ହସ୍ତତନ୍ତ, ଚାରୁକଳା, ଖାଦ୍ୟ ପରମ୍ପରା ଆଦିକୁ ପ୍ରୋତ୍ସାହନ ପାଇଁ “ଓସାକା ” ତରଫରୁ “ହାଟ୍”ର ଆୟୋଜନ କରାଯାଇଥିଲା । ସମ୍ବଲପୁରୀ ବସ୍ତ୍ରର ପ୍ରଚାର ପ୍ରସାର ପାଇଂ ମଧ୍ୟ ରେମୁଣ୍ଡାର “ଶୀଳ୍ପୀଶାଢୀ”ର ବୁଣାକାରଙ୍କୁ ନିମନ୍ତ୍ରିତ କରାଯାଇଥିଲା । ପାରମ୍ପରିକ ଖାଦ୍ୟ ପରିବେଷଣ ପାଇଁ ପଶ୍ଚିମ ଓଡିଶାରୁ ଆମନ୍ତ୍ରିତ ରାନ୍ଧୁଣିଆଙ୍କ ଖାଦ୍ୟ ପ୍ରସ୍ତୁତି ବେଶ୍ ସୁସ୍ୱାଦୁ ଥିଲା । ଲକି ଡ୍ର, କୁଇଜ ତଥା ଆହୁରି କାର୍ଯ୍ୟକ୍ରମ ସହ ସମ୍ବଲପୁର – ନାନ୍ଦେଡ୍ ଏକ୍ସପ୍ରେସ ଟ୍ରେନକୁ ପ୍ରତ୍ୟେକ ଦିନ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ ଉଦ୍ଦେଶ୍ୟରେ ଦସ୍ତଖତ ଅଭିଯାନ କରାଯାଇଥିଲା । ଓସାକାର ସଭାପତି ସୁନୀଲ କୁମାର ଗଡତ୍ୟା ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରବାସୀ ପଶ୍ଚିମ ଓଡ଼ିଶାବାସୀ ନିଜ ଅଞ୍ଚଳର ବିକାଶ ପାଇଁ ମିଳିତ ଉଦ୍ୟମ ପାଇଁ ଅନୁରୋଧ କରିଥିଲେ । ଶେଷରେ ଓସାକାର ସାଧାରଣ ସମ୍ପାଦକ ସନ୍ଦୀପ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!