ବ୍ରହ୍ମପୁର ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶାରଦୀୟ ଦୁର୍ଗାପୂଜା ସମ୍ଭାର ସୁରୁଖୁରେ ସମ୍ପାଦିତ ହେବା ନିମନ୍ତେ ପ୍ରଶାସନିକସ୍ତରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଦୀନା ଦସ୍ତଗୀର ପ୍ରସ୍ତୁତି ବୈଠକକୁ ପରିଚାଳନା କରିଥିଲେ । ଚଳିତ ବର୍ଷ ବ୍ରହ୍ମପୁର ସହରରେ ମୋଟ୍‌ ୪୨ଟି ଦୁର୍ଗାପୂଜା ମେଢ଼ ଆୟୋଜିତ ହେଉଥିବା ଜଣାଯାଏ । ବ୍ରହ୍ମପୁର ମହାନଗର ଏବଂ ଆଖପାଖ ଅଞ୍ଚଳରେ କିପରି ଶାନ୍ତି ଓ ଶୃଙ୍ଖଳାର ସହିତ ପୂଜା ଅନୁଷ୍ଠିତ ହେବ, ତାହା ଉପରେ ପ୍ରଶାସନ ଗୁରୁତ୍ଵ ସହ ଚିନ୍ତାପ୍ରକଟ କରି ବ୍ୟାପକ ବନ୍ଦୋବସ୍ତ ଏବଂ ସୁରକ୍ଷା ବ୍ୟବସ୍ଥାକୁ କିପରି କଡାକଡି କରାଯିବା ସେ ଦିଗରେ ପ୍ରଶାସନ ଧ୍ୟାନ ଦେଇଛନ୍ତି । ସମସ୍ତ ପୂଜା ମଣ୍ଡପ ଗୁଡିକରେ ପୂଜା କମିଟିର ନିଜ ନିଜ ସ୍ୱେଚ୍ଛାସେବୀ ନିୟୋଜିତ କରିବେ ବୋଲି ପ୍ରଶାସନ କହିଛି । ଏହି ପ୍ରସ୍ତୁତି ବୈଠକରେ ସମସ୍ତ ଲାଇନ୍‌ ଡିପାର୍ଟମେଣ୍ଟ ଯଥା ପୋଲିସ ବିଭାଗ, ପରିମଳ ବ୍ୟବସ୍ଥା, ଅଗ୍ନିଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କୋଠବାଡି ବିଭାଗ, ଜନ ସ୍ୱାସ୍ଥ୍ୟ ବିଭାଗ, ଅବକାରୀ ବିଭାଗ, ଇଲେକଟ୍ରିକାଲ ବିଭାଗ ଓ ସମସ୍ତ ପୂଜା ପେଣ୍ଡାଲର ପୂଜା କମିଟିର ମୁଖ୍ୟ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ । ସମସ୍ତ ପୂଜା ମଣ୍ଡପ ସଦସ୍ୟ ମାନେ ଅକ୍ଟୋବର ୧୪ ତାରିଖରେ ବିସର୍ଜନ କରିବା ପାଇଁ ପ୍ରଶାସନ ଅନୁରୋଧ କରିଥିଲେ । ବ୍ରହ୍ମପୁର ମହାନଗର ନିଗମର ସମସ୍ତ ପୂଜା ପେଣ୍ଡାଲର କିପରି ସୂଚାରୁ ରୂପେ ପରିମଳ ବ୍ୟବସ୍ଥା ହେବ, ସେଥି ପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଭସାଣୀ ପାଇଁ ବ୍ରହ୍ମପୁର ମହାନଗର ନିଗମ ୪ଟି ସ୍ଥାନରେ ଅସ୍ଥାୟୀ ପୋଖରୀ ତିଆରି କରିବା ପାଇଁ ଅନୁରୋଧ କରାଗଲା । ସେହି ଅସ୍ଥାୟୀ ପୋଖରୀ ଗୁଡିକ ବ୍ରହ୍ମପୁରର ଫାଷ୍ଟ ଗେଟ, ମିନାକ୍ଷୀ ନଗର, ଗୋସାଣିନୂଆଗାଁ ଓ ଆମ୍ବପୁଆଠାରେ ପ୍ରସ୍ତୁତ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.

error: Content is protected !!