କବି ପ୍ରତାପ ପଣ୍ଡାଙ୍କ ‘ସ୍ୱେଦ ତର୍ପଣ’ ଉନ୍ମୋଚିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ପ୍ରଗତି ଉତ୍କଳ ସଂଘ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବ ଏବଂ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ୱରେ କବି ପ୍ରତାପ ପଣ୍ଡାଙ୍କ ଚତୁର୍ଥ କାବ୍ୟକୃତି ‘ସ୍ୱେଦ ତର୍ପଣ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ସହର ସେବା ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ ମୁଖ୍ୟ ଅତିଥି, ବିଶିଷ୍ଟ ଶ୍ରମିକ ନେତା ପ୍ରଶାନ୍ତ କୁମାର ବେହେରା‌ ସମ୍ମାନିତ ଅତିଥି ଏବଂ ମୁଖ୍ୟ ଆଲୋଚକ ରୂପେ ଅଧ୍ୟାପକ ଡ. ନଗେନ ଦାସ ଯୋଗଦାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ‘ସ୍ୱେଦ ତର୍ପଣ” ରାଉରକେଲା ଇସ୍ପାତ କାରଖାନାର ସ୍ୱେଦସିକ୍ତ ମଣିଷର ଚିତ୍ର ଆଙ୍କିବା ସଂଗେ ସଂଗେ ଭାରତୀୟମାନଙ୍କର ସୁନ୍ଦର ସହାବସ୍ଥାନ ସମ୍ପର୍କରେ ଆଲୋକପାତ କରି ରାଉରକେଲା କେବଳ ଏକ ଶିଳ୍ପନଗରୀ ନୁହେଁ ଏହା ସାହିତ୍ୟ ଓ ସଂସ୍କୃତିର ଏକ ସାରସ୍ୱତ ଯଜ୍ଞ କ୍ଷେତ୍ର ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ପ୍ରଶାନ୍ତ କୁମାର ବେହେରା ରାଉରକେଲା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ଭାଇଚାରାର ସହର ଏବଂ ‘ସ୍ୱେଦ ତର୍ପଣ’ ମଣିଷ ଜୀବନ ସମ୍ପର୍କିତ ଏକ ଚମତ୍କାର କାବ୍ୟଗ୍ରନ୍ଥ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଆଲୋଚକ ଡ. ଦାସ ପୁସ୍ତକ ସନ୍ନିବେଶିତ କବିତା ଗୁଡ଼ିକର କଳାତ୍ମକତା, ସୌନ୍ଦର୍ଯ୍ୟବୋଧ, ସାଙ୍ଗିତିକ ରସବୋଧର ରହସ୍ୟାନୁଭବ, ଛାନ୍ଦସିକତା ସହିତ ଜୀବନାନୁଭବ ଓ ଜୀବନବୋଧର ଏକ ଜୀବନ୍ତ ମହାକାବ୍ୟ ରୂପେ ପ୍ରତିପାଦିତ କରିଥିଲେ । ସଭାପତି ଶ୍ରୀ ପତି ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହିତ ଶ୍ରୀ ପଣ୍ଡାଙ୍କର କାବ୍ୟ ଯାତ୍ରା ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ କବିଙ୍କର ‘କାବ୍ୟ ଚତୁଷ୍ଟୟୀ’ ଆଧ୍ୟାତ୍ମିକତା, ମାନବିକ ପ୍ରେମ, ସ୍ୱଦେଶାନୁରାଗର ତ୍ରିବେଣୀ ସଙ୍ଗମ ବୋଲି ଅଭିହିତ କରିଥିଲେ । ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ସମଗ୍ର ମଞ୍ଚର ପରିଚାଳନା ପୂର୍ବକ ଏହି ପ୍ରଗତିଶୀଳ କାବ୍ୟ ସନ୍ଧ୍ୟାରେ କବିମାନଙ୍କର କବିତା ଆଲୋଚନା ସହିତ ‘ସ୍ୱେଦ ତର୍ପଣ’ ସାମ୍ପ୍ରତିକ ଜୀବନଧାରାରେ ମୁଲ୍ୟବୋଧର ଅବକ୍ଷୟ, ଧର୍ମାନ୍ଧତା, ସମ୍ପର୍କହୀନତା, ରାଜନୈତିକ ଚଞ୍ଚକତା ଭିତରେ ବିସ୍ଥାପିତର କରୁଣ କାହାଣୀ ବୋଲି କହି ସ୍ଵାଧୀନୋତ୍ତର ଭାରତବର୍ଷରେ ଏ ଶିଳ୍ପ କୋଣାର୍କ ଭାରତୀୟମାନଙ୍କ ଜୀବନ ଚିତ୍ରର ଇତିହାସ ବୋଲି କହିଥିଲେ । ଏହି କାବ୍ୟ ସନ୍ଧ୍ୟାରେ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ସହରର ବିଭିନ୍ନ ସାହିତ୍ୟାନୁଷ୍ଠାନରୁ ଯୋଗଦେଇଥିବା କବି, କବୟିତ୍ରୀ ସୁସ୍ମିତା ମହାପାତ୍ର, ଅର୍ଚ୍ଚନା ପାତ୍ର, ବବିତା ମହାଳିକ, ନିରୁପମା ପତି, ଉପେନ୍ଦ୍ର ବସ୍ତିଆ, ପ୍ରକାଶ ଚନ୍ଦ୍ର ସେଠୀ, ସୁଶାନ୍ତ ନାୟକ, ତାରିଣୀ ଚରଣ ସାହୁ, କାଶୀନାଥ ପାତ୍ର, ସଞ୍ଜୀବ ଭୋଇ, ଅଶୋକ କୁମାର ପଟ୍ଟନାୟକ, ଶ୍ରୀଧର ସୁନା, ଆର୍ତ୍ତତ୍ରାଣ ମହାପାତ୍ର, ରବିନ୍ଦ୍ର ମହାନ୍ତି, ନିକୁଞ୍ଜ ବିହାରୀ ଦାସ,ଗୌତମ ଦାସ, ଧୋବେଇ ବେହେରା ପ୍ରମୁଖ କବିତା ପାଠ କରିଥିଲେ । ପରିଶେଷରେ ମଞ୍ଚର ଉପସଭାପତି କବି ବଳରାମ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!