୨୪ ତାରିଖ ମୂଳାଷ୍ଟମୀରୁ ଅକ୍ଟୋବର ୧୦ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ମା’ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ସମ୍ଭାର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପାର୍ବଣ ୠତୁର ଆଗମନ ହୋଇଛି, ମା’ ଉଦ୍ଭା ହେବେ, ଧରା ପୃଷ୍ଠରେ, ପୂଜା ସମ୍ଭାରରେ ସରଗରମ ହେବ, ପ୍ରମୁଖ ଶକ୍ତି ପୀଠ, ଏବଂ ମୃଣ୍ମୟମୂର୍ତ୍ତି ପୂଜା ସ୍ଥଳରେ ଦେବୀ ଦଶଭୂଜା ମା’ ଦୁର୍ଗାଙ୍କ ଆବାହନ, ସଂସ୍ଥାପନ, ଷୋଡଶ ଉପଚାରରେ ପୂଜାପାଠ ପ୍ରଚଳିତ ହେବ । ସର୍ବୋପରି ଗଞ୍ଜାମର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଭାବେ ପରିଚିତ ମା’ ରାମଚଣ୍ଡୀ ପୀଠରେ ଷୋଡ଼ଶ ଦିନାତ୍ମକ ଦୁର୍ଗାପୂଜା ବିଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ବିଧିବଦ୍ଧ ଭାବେ ସମାହିତ ହେବ ବୋଲି ପୂଜା କମିଟିର ଉଦ୍ୟକ୍ତା ତଥା ସଂଯୋଜକ କମଲ କୁମାର୍ ପଣ୍ଡା, ସହ-ସଂଯୋଜକ ତୁଷାର କାନ୍ତ ଶତପଥୀ, ସ୍ଥପତି ଶ୍ରୀମାନ୍ ବିଜୟ ତ୍ରିପାଠୀ ପ୍ରମୁଖ ପୂଜା ପଦ୍ଧତି ଅବଲମ୍ବନ କରି ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଚଳିତ ସେପ୍ଟେମ୍ବର ୨୪ ତାରିଖ ମୂଳାଷ୍ଟମୀରୁ ଅକ୍ଟୋବର ୧୦ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ମା’ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ସମ୍ଭାର ତଥା ବର୍ଣ୍ଣାଢ଼୍ୟ ପାର୍ବଣ ଉତ୍ସବ ମହାସମାରୋହରେ ପାଳନ କରାଯିବାକୁ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତି କରିଛନ୍ତି ବୋଲି ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି । ଦୈନିକ ବେଦ ପାଠ ସାଂଗକୁ ଅଖଣ୍ଡ ଦୀପଦାନ ମହାଯଜ୍ଞର ଅନୁଷ୍ଠିତ ହେବ । ଭକ୍ତ ଗୋଷ୍ଠୀ ନିଜର ମାନସିକ ପୂରଣ କରିବା ପାଇଁ ଅଖଣ୍ଡ ଦୀପ ଜାଳି ବାକୁ ଥିଲେ, ଟ୍ରଷ୍ଟ କମିଟି ମନ୍ଦିର ପରିଚାଳନା କମିଟି ତଥା କାର୍ଯ୍ୟାଳୟ ସହ ଯୋଗା ଯୋଗ କରିବାକୁ ଅନୁରୋଧ କରାଯାଇଛି । ପ୍ରାଚୀନ ବୈଦିକ ରୀତି ପରମ୍ପରାକୁ ବଜାୟ ରଖିବା ସ୍ୱରୂପ ଦୈନିକ ବେଦଶାସ୍ତ୍ରକୁ ଉର୍ଦ୍ଧରେ ସ୍ଥାନ ଦିଆଯାଇଛି । ୧୧ ଜଣ ବେଦ ବିଦ୍ୟାର୍ଥୀଙ୍କ କଣ୍ଠରୁ ପାର୍ବଣର ଏହି ୧୬ ଦିନ ପ୍ରତ୍ୟହ ବେଦଧ୍ଵନି ନିର୍ଗତ ହେବ । ଏଥି ପାଇଁ ଟ୍ରଷ୍ଟ ଓ ପୂଜା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ଚଳିତ ବର୍ଷ ପ୍ରଥମ କରି ଏକ ନିଆରା ଢଙ୍ଗରେ ମା’ ରାମଚଣ୍ଡୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ପାର୍ବଣର ଆୟୋଜିତ ହେଉଛି । ଦଶ-ମହାବିଦ୍ୟା ପୂଜାର୍ଚ୍ଚନା ସହ ଷୋହଳ ଦିନ ଧରି ଦୁର୍ଗା ଦେବୀଙ୍କ ପାର୍ବଣ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହେବ ବୋଲି ମନ୍ଦିର ପୂଜା କମିଟି ଓ ଟ୍ରଷ୍ଟ୍ ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି । ମା’ ରାମଚଣ୍ଡୀ ଶକ୍ତିପୀଠରେ ଷୋଡ଼ଶ ଦିନାତ୍ମକ ପୂଜାରେ ଦୈନିକ ବେଦ ପାଠରେ ମୁଖରୀତ ହୋଇ ଉଠିବ । ବେଦଧ୍ଵନି, ଘୃତହୋମ୍, ଚଣ୍ଡୀ ପାଠ ଆଦି ମନ୍ତ୍ରଧ୍ୱନିରେ ଚଳଚଞ୍ଚଳ ହୋଇ ଉଠିବ । ଚଳିତ ବର୍ଷର ଏହି ନିଆରା ପରମ୍ପରାରେ ଭକ୍ତସମାଜ ଦେବୀଙ୍କ ପୂଜା ଆରାଧନାରେ ଦେବୀ ମହାମାୟୀ ଦୁର୍ଲ୍ଲଭ ଦୃଷ୍ଟିରେ ଚାହିଁବେ ବୋଲି ବିଶ୍ୱାସ କରାଯାଇଛି । ଏଥିପାଇଁ ସୁୁଦୂର ବ୍ରହ୍ମପୁର, ଗୋପାଳପୁର, କନିଷି ତଥା ଦକ୍ଷିଣ ଓଡ଼ିଶାର କନ୍ଧମାଳ, ପାରଳାଖେମୁଣ୍ଡି ଠାରୁ ବହୁ ଦୂର ଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନର ଆଶଙ୍କାକୁ ନେଇ ବ୍ୟାପକ ବ୍ୟବସ୍ଥା କରାଯାଉଛି ବୋଲି କମିଟି ପକ୍ଷରୁ କୁହାଯାଇଛି । କନିଷି ଅଞ୍ଚଳର ନବଜୀବନ ବେଦ ବିଦ୍ୟାଳୟର ମୁଖ୍ୟ-ପରିଚାଳକ ତଥା ଗୁରୁଜୀ ଗଙ୍ଗାଧର ପଣ୍ଡାଙ୍କ ତତ୍ତ୍ୱାବଧାନରେ ୧୧ ଜଣ ବେଦ ବିଦ୍ୟାର୍ଥୀ ପ୍ରତ୍ୟେକ ଦିନ ମନ୍ଦିରରେ ବେଦ ପାଠ କରିବେ । ସେହିପରି ପ୍ରତ୍ୟେକ ଦିନ ମା’ଙ୍କର ନୂତନ ବେଶ ଲାଗି କରାଯିବ । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ୧୬ ଦିନିଆ ଅଖଣ୍ଡ ଦୀପ ପ୍ରଜ୍ବଳନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହିତ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ରାତ୍ରିକାଳୀନ ପ୍ରସାଦ ଓ ରହଣି ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କୁହାଯାଇଛି । ରାମଚଣ୍ଡୀ ଶକ୍ତିପୀଠରେ ପୂର୍ବରୁ ଏନେଇ ଏକ ପ୍ରସ୍ତୁତି ବୈଠକ ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା । ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ସଂଯୋଜକ କମଳ ପଣ୍ଡା, ସହ-ସଂଯୋଜକ ତୁଷାର ଶତପଥୀ, ପୂଜା କମିଟି ଉପଦେଷ୍ଟା ତଥା ଛତ୍ରପୁର ଏସ୍‌. ଡି. ଜେ. ଏମ୍‌. କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର, ସନ୍ତୋଷ ମିଶ୍ର, ତ୍ରିପତି ବାଲାଜୀ ମିଶ୍ର, ସାମ୍ୱାଦିକ କେ. ସତ୍ୟନାରାୟଣ ରେଡ୍ଡୀ, ସନ୍ତୋଷ ମିଶ୍ର ପୂଜା କମିଟି ସଭାପତି ଅଜୟ ନାୟକ, ପୂଜା କମିଟି ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ (ପୁରୀ), କାର୍ଯ୍ୟକାରୀ ସଭାପତି ଦିବାକର ନାୟକ, ଶଙ୍କର ନାୟକ, ସମାଜସେବୀ ମନୋଜ ମିଶ୍ର, ମନୋରଞ୍ଜନ ବେହେରା, ମାଧବ ସାସମଲ, ସନ୍ତୋଷ ପଣ୍ଡା, ଶିବ ନାୟକ, ଶଙ୍କର ଚର୍ତ୍ତି, ଜୀବନ ମହାରଣା, ସୁଧୀର ମହାରଣା ଓ ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଆଗାମୀ ଷୋଡ଼ଶ ଦିନାତ୍ମକ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇ ଗତବର୍ଷ ତୁଳନାରେ କେମିତି ଷୋଡ଼ଶ ଦିନାତ୍ମକ ପୂଜା ଆହୁରି ଆଡମ୍ବରପୂର୍ଣ୍ଣ ହେବ । ତାହା ଉପରେ ବିଶେଷ ଧ୍ୟାନ ଦିଆଯିବା ନେଇ ଚର୍ଚ୍ଚା ହୋଇଥିଲା ।

Leave A Reply

Your email address will not be published.

error: Content is protected !!