ନଦୀ ପାର ହେବା ବେଳେ ପ୍ରଖର ସ୍ରୋତରେ ଭାସି ବୃଦ୍ଧଙ୍କ ମୃତ୍ୟୁ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର କାଣ୍ଡାମ ଗ୍ରାମରେ ଘଟିଛି ଏକ ଦୁଃଖଦ ଘଟଣା । ନଦୀରେ ଭାସିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ହେଲେ ପୁରେଶ୍ୱର ମାଝି(୬୫) । ମିଳିଥିବା ସୂଚନାନୁଯାୟୀ, କାଣ୍ଡାମ ଗ୍ରାମର ପୁରେଶ୍ୱର ଶନିବାର ସକାଳେ ଧୁଙ୍ଗିଆ ପଙ୍କାଳ ଗ୍ରାମରେ ହେଉଥିବା ସାପ୍ତାହିକ ହାଟକୁ ରାଉଳ ନଦୀ ପାର ହୋଇ ଆବଶ୍ୟକ ଜିନିଷପତ୍ର କିଣି ଅପରାହ୍ନରେ ଘରକୁ ଫେରୁଥିଲେ । ସେ ରାଉଳ ନଦୀର ଡଙ୍ଗାଘାଟ ପାର୍ ହେଉଥିବା ସମୟରେ ହଠାତ୍‌ ବଢ଼ି ପାଣିର ପ୍ରଖର ସ୍ରୋତ ଆସିବାରୁ ଭାସିଯାଇ ଥିଲେ । ସେହି ସମୟରେ ଘାଟରେ ଉଦ୍ଧାର କରିବା ପାଇଁ କେହି ଲୋକ ମଧ୍ୟ ନଥିଲେ । ସନ୍ଧ୍ୟା ହେବାରୁ ପରିବାର ଲୋକେ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରି ପାଇଲେ ନାହିଁ । ରବିବାର ସକାଳୁ ପୁଣି ଖୋଜାଖୋଜି କରିବା ପରେ ସେହି ଡଙ୍ଗାଘାଟର ପ୍ରାୟ ଅଧା କି.ମି. ଦୂର ତଳର ବଡ଼ ପଥର ଓ ଗଛ ଥିବା ଜାଗାରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ଏହା ପରେ ତୁମୁଡିବନ୍ଧ ପୋଲିସ ଓ ଅଗ୍ନିଶମ ବିଭାଗକୁ ତୁରନ୍ତ ଖବର ଦେଇଥିଲେ । ଘଟଣାସ୍ଥଳରେ ଦୁଇ ବିଭାଗ ପହଞ୍ଚି ଥିଲେ । ତୁମୁଡିବନ୍ଧ ଅଗ୍ନିଶମ ବିଭାଗ ଅଧିକାରୀ ସର୍ବେଶ୍ୱର ପାତ୍ର, ଡ୍ରାଇଭର ଅରବିନ୍ଦ ପାତ୍ର, ଆଗ୍ନିକ ଅମୀୟ ରଞ୍ଜନ ସୁନା ଓ ଶିଶିର ଜେନା ପ୍ରମୁଖ ନଦୀ ଭିତରକୁ ଯାଇ ମୃତଦେହ ଉଦ୍ଧାର କରି ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ।

Leave A Reply

Your email address will not be published.

error: Content is protected !!