କୁମ୍ଭାରୀଗାଁ ପଞ୍ଚାୟତ ରାସ୍ତା ପାଲଟିଛି ମରଣଯନ୍ତା

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ଅନେକ ପଞ୍ଚାୟତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ । ସେଥି ମଧ୍ୟରୁ କୁମ୍ଭାରୀଗାଁ ପଞ୍ଚାୟତ ଅନ୍ୟତମ । ଏଠାରେ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ । ୧୧ ଗୋଟି ୱାର୍ଡ଼କୁ ନେଇ ପଞ୍ଚାୟତ ଗଠିତ ହୋଇଥିବାବେଳେ ଏହାର ଜନସଂଖ୍ୟା ପ୍ରାୟ ୫୦୦୦ରୁ ଅଧିକ । ଏକାଧିକ ଗ୍ରାମକୁ ଆଜି ପର୍ଯ୍ୟନ୍ତ ସଡ଼କ ସଂଯୋଗ ହୋଇ ନଥିବାବେଳେ ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଯିବାକୁ ଭଲ ରାସ୍ତାଟିଏ ନାହିଁ । ଝିଞ୍ଜିରିଗୁଡ଼ା ଠାରୁ କାଟିଙ୍ଗିଆକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତାର ଗୋବରକୁଟି ଛକରୁ ପ୍ରାୟ ଦୁଇ କିମି ଭିତରକୁ ପଞ୍ଚାୟତ କାର୍ଯ୍ୟାଳୟ ରହିଥିବାବେଳେ ସେହି ୨ କି.ମି. ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତା ସାରା ଖାଲଖମା ଭର୍ତ୍ତି ହୋଇ ବର୍ଷା ହେଲେ ପାଣି କାଦୁଅରେ ପଚପଚ ହେଉଛି । ସେହି ରାସ୍ତାରେ ଚାଲିକରି ଯିବା ମଧ୍ୟ କଷ୍ଟକର ହୋଇପଡ଼ିଛି । ବର୍ଷା ହେଲେ କାଦୁଅ ଭରା ରାସ୍ତା ଦେଇ ଗର୍ଭବତୀ ଓ ରୋଗୀମାନଙ୍କୁ ରାତି ଅଧରେ ଜରୁରୀକାଳୀନ ସେବା ପାଇଁ ସମ୍ପର୍କୀୟମାନେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବାରେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି । ଦୈନନ୍ଦିନ ଏହି ରାସ୍ତା ଦେଇ ସ୍କୁଲ, କଲେଜ ପିଲା ଯିବା ଆସିବା କରନ୍ତି । ରାସ୍ତା ମଝିରେ ଖାଲଢିପ ଥିବାବେଳେ ଅଧିକାଂଶ ଜାଗାରେ ପିଚୁ ସବୁ ବାହାରି କାଦୁଅ ସରସର ହୋଇ ରହିଛି । ସେହି ରାସ୍ତାରେ ଯାନବାହନ ଚଳାଚଳ ହୋଇ ପାରୁନାହିଁ । କୌଣସି ଜରୁରୀ ପରିସ୍ଥିତିରେ ଯିବାକୁ ହେଲେ ଦୁର୍ଘଟଣାର ଶିକାର ହେଉଥିବା ନଜିର ରହିଛି । ବର୍ଷା ଦିନରେ ପାଣି କାଦୁଅରେ ପିଡିଏସ୍‌ ଚାଉଳ ଗାଡ଼ି ଦବି ଯାଇ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ । ଦୁର୍ଗମ ଅଞ୍ଚଳରେ ଏଭଳି ସମସ୍ୟାରେ ଲୋକେ ରହି ଆସୁଥିଲେ ସୁଦ୍ଧା ସମାଧାନ ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏହି ପଞ୍ଚାୟତରେ ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟକାରୀ କରାଯାଉଥିଲେ ମଧ୍ୟ ସବୁଦିନିଆ ଭଲ ରାସ୍ତା ନଥିବାରୁ ଲୋକେ ଏସବୁ ସରକାରୀ ଯୋଜନାର ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଅଭିଯୋଗ ହେଉଛି। । ଏଠାକୁ ବ୍ଲକରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନର ବଡ଼ ବଡ଼ ଅଧିକାରୀମାନେ ଆସନ୍ତି, ହେଲେ ଗ୍ରାମବାସୀମାନେ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କାହାରି ନଜର ରାସ୍ତା ଉପରେ ପଡ଼ୁନାହିଁ । ପ୍ରଶାସନ ଜାଣି ଶୁଣି ମଧ୍ୟ ଚୁପ୍ ରହିଥିବା ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ସରପଞ୍ଚ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ଗୁରୁତ୍ୱ ଦେଉନଥିବା କହିଛନ୍ତି । ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପୂର୍ତ୍ତ ବିଭାଗ ରାସ୍ତାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.

error: Content is protected !!