ଗଦାପୁର ଅଞ୍ଚଳରେ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଠପ : ପାଇପ କାମ ଚାଲିଥିବା ବେଳେ କାର୍ଯ୍ୟ ବନ୍ଦ କଲେ ଗ୍ରାମବାସୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗଦାପୁର ଅଞ୍ଚଳରେ ଗତ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଅଚଳ ହୋଇପଡିଛି । ଉକ୍ତ ଅଞ୍ଚଳରେ ଏକମାତ୍ର ସାହା ଭରସା ବିଏସ୍‌ଏନ୍‌ଏଲ୍‌ ନେଟୱାର୍କ ଅଚଳ ହୋଇଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ ଏହାକୁ ମରାମତି ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି । ଫଳରେ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି । ପ୍ରକାଶ ଯେ, ଉକ୍ତ ଅଞ୍ଚଳରେ ଏକାଧିକ ସ୍ଥାନରେ ପାଣି ଯୋଗାଣ ପାଇଁ ପାଇପ ବିଛାଇବା କାର୍ଯ୍ୟ ଚାଲିଛି । ଏଥିପାଇଁ ଜେସିବି ମାଧ୍ୟମରେ ଖୋଳାଯାଇ ପାଇପ ବିଛାଯାଉଛି । ତେବେ ପୁଇଗୁଡ଼ା ଘାଟିରେ ବିଏସ୍‌ଏନ୍‌ଏଲ୍‌ ବିଭାଗର ଓଏଫ୍‌ସି (ଅଫଟିକ ଫାଇବର କେବୁଲ)ଗୁଡିକ କଟିଯିବାରୁ ଗଦାପୁରକୁ ବିଏସ୍‌ଏନ୍‌ଏଲ୍‌ ସଂଯୋଗ ବିଛିନ୍ନ ହୋଇଯାଇଛି । ରବିବାର ଅପରାହ୍ନରେ ଅଞ୍ଚଳବାସୀ ଏକତ୍ରିତ ହୋଇ ପାଇପ ବିଛାଯାଉଥିବା କାର୍ଯ୍ୟସ୍ଥଳକୁ ଆସି କେବୁଲ କାଟିଦେଇଥିବା ଜେସିବି କାର୍ଯ୍ୟ ବନ୍ଦ କରିଛନ୍ତି । ଏହି ସମୟରେ ଚାପା ଉତ୍ତେଜନା ଦେଖାଯାଇଥିଲା । ଅଞ୍ଚଳର ସଞ୍ଜୀବ ଦେଓଙ୍କ ସମେତ ଦମନିକ ଉଠାଣ ସିଂ, ସୁରେଶ କୁମାର ସାହୁ, ସୀମାଦ୍ରୀ ଦେଓ, ଭୀମସେନ ମଣ୍ଡଳ, ମହେଶ୍ୱର ପାତ୍ର, ଶିବରାମ ସେଠିଙ୍କ ସମେତ ବହୁ ଉପଭୋକ୍ତା ଉପସ୍ଥିତ ଥିଲେ । ଖବର ଲେଖିବା ସୁଦ୍ଧା କେହି ପ୍ରଶାସନ କିମ୍ବା ବିଏସ୍‌ଏନ୍‌ଏଲ୍‌ର କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ସେମାନଙ୍କ ଅଭିଯୋଗ ଯେ, ଗତ ୫ ଦିନ ହେଲା ମୋ’ ସେବା କେନ୍ଦ୍ର କିମ୍ବା ଜନସେବା କେନ୍ଦ୍ର ଗୁଡିକରେ କାର୍ଯ୍ୟବନ୍ଦ ହୋଇଯାଇଛି । ବିଶେଷ କରି ସୁଭଦ୍ରା ଯୋଜନାରେ ମହିଳାମାନେ ଆବେଦନ କରିପାରୁନଥିବା ବେଳେ ଆଧାର ସଂଶୋଧନ, ବ୍ୟାଙ୍କରୁ ଟଙ୍କା ନେଣଦେଣରେ ବାଧାସୃଷ୍ଟି ହୋଇଛି । ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ନେଟୱାର୍କକୁ ସଚଳ କରିବାକୁ ଅଞ୍ଚଳବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି ।

Leave A Reply

Your email address will not be published.

error: Content is protected !!