୨୭ରେ ବସିବ ଗଞ୍ଜାମ ଜିଲ୍ଲାପରିଷଦ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଚଳିତ ସେପ୍ଟେମ୍ବର ୨୭ ତାରିଖରେ ବସିବ, ଗଞ୍ଜାମ ଜିଲ୍ଲାପରିଷଦ ବୈଠକ । ଏନେଇ ବିଜ୍ଞପ୍ତି ଚୂଡ଼ାନ୍ତ ପ୍ରକାଶ ପାଇଛି । ଗତ ଗୁରୁବାର ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ସ୍ୱତନ୍ତ୍ର ବୈଠକରେ ବିରୋଧିଙ୍କ ଦାବୀ ଉପସ୍ଥାପନା ନେଇ ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟନିର୍ବାହୀ ତଥା ଉନ୍ନୟନ କର୍ତ୍ତୃପକ୍ଷ ତରବରିଆ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ ଯେ’ ଗଞ୍ଜାମ ଜିଲ୍ଲାରେ ସର୍ବମୋଟ ୬୯ଜଣ ଜିଲ୍ଲାପରିଷଦ ସଦସ୍ୟ, ଜିଲ୍ଲାର ୨୨ଟି ବ୍ଳକ୍‌ର ବ୍ଲକ୍ ଅଧ୍ୟକ୍ଷ, ଅଧ୍ୟକ୍ଷା, ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ ଗଣ ଯୋଗଦାନ କରିବା ନିମନ୍ତେ ଚିଠି ପ୍ରେରିତ ହୋଇଛି । ଗଞ୍ଜାମ ଜିଳ୍ଲାର ବହୁ ପଦାଧିକାରୀ ଯୋଗଦାନ କରିବା ସାଂଗକୁ ୩୫ଟି ଜିଲ୍ଲା କାର୍ଯ୍ୟାଳୟ ଅଧିନରେ ଥିବା ଲାଇନ୍ ବିଭାଗକୁ ଚିଠି ହୋଇଛି । ବିଧାନସଭାର ବିରୋଧୀ ଦଳର ନେତା ବିଜେଡ଼ି ସୁପ୍ରିମୋ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପତ୍ର ପ୍ରେରିତ ହୋଇଥିବା ସୂଚନା ମିଳିଛି । ଯେହେତୁ ଜିଲ୍ଲା ପରିଷଦ ବୈଠକରେ ନବୀନ ବାବୁଙ୍କର ମଧ୍ୟ ଏଠାରେ ଏକ ସ୍ୱତନ୍ତ୍ର ଆସନ ରହିଛି । ଏହି ସ୍ଥାନରେ ପୂର୍ବେ ଜଣେ ତାଙ୍କର ପ୍ରତିନିଧି ଅସି ସଭାରେ ଉପସ୍ଥିତ ରହୁଥିଲେ । କିନ୍ତୁ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ଜିଲ୍ଲାପରିଷଦ ବୈଠକରେ ନବୀନ ପଟ୍ଟନାୟକ ଯୋଗଦାନ କରିପାରନ୍ତି ବୋଲି ଦଳୀୟ ଉଚ୍ଚସ୍ତରୀୟ ମହଲରେ ସାଧାରଣରେ ଚର୍ଚ୍ଚା ହେଉଥିବା ଜଣାଯାଏ । ନୂଆଁ ସରକାର ଆସିବା ପରେ ବିଜେପି ସରକାରଙ୍କ ୧ ଶହ ଦିନ ବିତିଯିବା ପରେ ହେଉଥିବା ଜିଲ୍ଲାପରିଷଦ ବୈଠକରେ ବିଜେଡ଼ି ବିରୋଧୀ ତାତି ଉଠିବାର ଆଶଙ୍କା ରହିଛି । ସମ୍ପ୍ରତି ଗଞ୍ଜାମ ଜିଲ୍ଲାପରିଷଦ ଭବନ ରାଜ୍ୟର ଏକ ବୃହତ୍ତମ ଗୃହ ତଥା ଏହା ଏକ ମିନି-ଆସେମ୍-ବ୍ଲି ସଦୃଶ ପରିଚିତ ଥିବା ବେଳେ ଏହି ଗୃହକୁ ଗଞ୍ଜାମ ବିଧାନସଭା ବୋଲି ମଧ୍ୟ ସଧାରଣ ଲୋକେ ଆଖ୍ୟା ଦେଇଛନ୍ତି । ପୁନଃଶ୍ଚ୨୭ ତାରିଖରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ଗୃହ ହୁଲ୍ ସ୍ଥୁଲ୍ ହେବ । ବୃହତ୍ତମ ଗଞ୍ଜାମ ଜିଲ୍ଲାର ବିବିଧ ସମସ୍ୟାକୁ ବିରୋଧି ଆଲୋକପାତ କରିବେ ବୋଲି ଜଣାଯାଇଛି । ଏମ୍. ଜି. ଏନ୍. ଆର୍‌. ଜି. ଏ., ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳ ମିଶନ, ୫ମ ଅର୍ଥ ଆୟୋଗଙ୍କ କାର୍ଯ୍ୟ ବିଧି, ଜାତୀୟ ସ୍ଵାସ୍ଥ୍ୟ ମିଶନ, ଶିକ୍ଷା, କୃଷି, ଉଦ୍ୟାନ, ଜଙ୍ଗଲ, ମୃତ୍ତିକା ସଂରକ୍ଷଣ, ସମାଜ କଲ୍ୟାଣ, ସାମାଜିକ ସୁରକ୍ଷା, ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ଓ ଅନ୍ୟାନ୍ୟ ଉପରେ ଆଲୋଚନା ଏବଂ ଏହାର ସମାଧାନ ଦିଗରେ ଗୃହରେ ଆଲୋକପାତ, ଦୃଷ୍ଟିପାତ ହେବ ବୋଲି ଜଣାଯାଇଛି । ତେଣୁ ଏଥରକ ଗଞ୍ଜାମ ଜିଲ୍ଲାପରିଷଦ ବୈଠକରେ ଗୃହ ହୁଲ୍ ସ୍ଥୁଲ୍ ହେବ ବୋଲି ସୂଚନା ମିଳୁଛି ।

Leave A Reply

Your email address will not be published.