csstore

୧୪ ନଭେମ୍ବର ଭିତରେ ଆର୍‌ଏସ୍‌ପି ନିର୍ବାଚନ କର : ହାଇକୋର୍ଟ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଇସ୍ପାତ କାରଖାନାରେ ଟ୍ରେଡ୍‌ ୟୁନିଅନ୍‌ ସ୍ଵିକୃତି ପାଇଁ ଗତ ୧୨ ତାରିଖ ଦିନ ଓଡ଼ିଶା ଉଚ୍ଚନ୍ୟାୟାଳୟ ଆସନ୍ତା ୧୪ ନଭେମ୍ବର ୨୦୨୪ ମଧ୍ୟରେ ନିର୍ବାଚନ କରାଇବା ପାଇଁ ଆଦେଶ ଜାରି କରିଛନ୍ତି ବୋଲି ବିଏମ୍‌ଏସ୍‌ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ସମ୍ମିଳନୀରେ ଆର୍‌ଆଇକେକେଏସ୍‌ (ରିକସ)ର ଶ୍ରମିକ ନେତା ତଥା ସାଧାରଣ ସମ୍ପାଦକ ହିମାଂଶୁ ବଳ ସୂଚନା ଦେଇ କହିଲେ ଯେ, ଆର୍‌ଏସ୍‌ପିର ସ୍ୱୀକୃତି ପ୍ରାପ୍ତ ୟୁନିଅନ୍‌ ରାଉରକେଲା ଶ୍ରମିକ ସଂଘର କାର୍ଯ୍ୟକାଳ ଗତ ୧୧ମାର୍ଚ୍ଚରେ ସମାପ୍ତ ହୋଇଛି । ତେଣୁ ଶିଘ୍ର ନିର୍ବାଚନ କରିବା ପାଇଁ ରିକସ୍‌ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ, କେନ୍ଦ୍ରୀୟ ମୁଖ୍ୟ ଶ୍ରମ ଆୟୁକ୍ତ, ଆର୍‌ଏସ୍‌ପି କର୍ତ୍ତୁପକ୍ଷଙ୍କୁ ପତ୍ର ଦେଇଥିଲେ । ଏହାପରେ ରିମାଇଣ୍ଡର ମଧ୍ୟ ଦିଆଗଲା । ଉପ ମୁଖ୍ୟ ଶ୍ରମ ଆୟୋଗ ୨୯ ଏପ୍ରିଲରେ ସମସ୍ତ ୟୁନିଅନ୍‌ଙ୍କୁ ନିର୍ବାଚନ ପାଇଁ ସହମତି ଏବଂ ଆବଶ୍ୟକୀୟ କାଗଜପତ୍ର ଦାଖଲ ପାଇଁ ପତ୍ର ଦେଲେ । ପତ୍ର ପାଇବାପରେ ଆର୍‌ଏସ୍‌ପିରେ କାର୍ଯ୍ୟରତ ୧୭ଟି ୟୁନିଅନ୍‌ ମଧ୍ୟରୁ ୭ଟି ୟୁନିଅନ ସହମତି ଦେଲେ । ଅବଶିଷ୍ଟ ୧୦ଟି ୟୁନିଅନ୍‌ ନୀରବ ରହିଲେ । ପୁନର୍ବାର ୨୧ ମେ’ରେ ଉପ ମୁଖ୍ୟ ଶ୍ରମ ଆୟୋଗ ପତ୍ର ଦେଲା ପରେ ଅଗଷ୍ଟ ୭ ସୁଦ୍ଧା ଯଦିଓ ସହମତି ଦେଲେ ମାତ୍ର ଆବଶ୍ୟକୀୟ କାଗଜପତ୍ର ଦାଖଲ କଲେନାହିଁ । ସେପ୍ଟେମ୍ବର ମାସରେ ଡିଏଲ୍‌ସିସି ପୁଣି ପତ୍ର ଦେଲେ । ତଥାପି କିଛି ୟୁନିଅନ୍‌ ଆବଶ୍ୟକୀୟ କାଗଜପତ୍ର ଦାଖଲ କଲେନାହିଁ । ଏଥିରୁ ସ୍ପଷ୍ଟ ଯେ, କିଛି ୟୁନିଅନ୍‌ ଓ ଆର୍‌ଏସ୍‌ପି କର୍ତ୍ତୁପକ୍ଷ ନିର୍ବାଚନ ଚାହୁଁନଥିଲେ । ଅହେତୁକ ବିଳମ୍ବ ପାଇଁ ରିକସ୍‌ ମେ’ ୧ରେ ହାଇକୋର୍ଟର ଆଶ୍ରୟ ନେଲେ । ତୁରନ୍ତ ଜବାବ ଦାଖଲ ପାଇଁ ହାଇକୋର୍ଟ କେନ୍ଦ୍ର ସରକାର, ଶ୍ରମ ମନ୍ତ୍ରଣାଳୟ, ମୁଖ୍ୟ ଶ୍ରମ ଆୟୁକ୍ତ ଏବଂ ଆର୍‌ଏସ୍‌ପି କର୍ତ୍ତୁପକ୍ଷଙ୍କୁ ଆଦେଶ ଦେଲେ । କ୍ରମାଗତ ଶୁଣାଣି ପରେ ମାନ୍ୟବର ନ୍ୟାୟାଳୟ ଚଳିତ ବର୍ଷ ନଭେମ୍ବର ୧୪ ତାରିଖ ସୁଦ୍ଧା ନିର୍ବାଚନ କରିବା ପାଇଁ ଆଦେଶ ଦେଲେ । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ୨୦୧୪ ପରେ ହୋଇଥିବା ଆର୍‌ଏସ୍‌ପି ସମସ୍ତ ସ୍ୱୀକୃତି ୟୁନିଅନ୍‌ର ନିର୍ବାଚନ କୋର୍ଟ ଆଦେଶ ଦ୍ୱାରା ହିଁ ହୋଇଛି । ୨୨/୧୦/୨୦୨୨ରେ ସ୍ୱାକ୍ଷରିତ ଐତିହାସିକ କଳା ଏମ୍‌ଓୟୁ ଫଳରେ ଇସ୍ପାତ ଶ୍ରମିକ ଲକ୍ଷ ଲକ୍ଷ ଟଙ୍କା ହରାଇଲେ । ୩୯ ମାସର ଏରିୟର ହଡପ କରି ଦିଆଗଲା । ଗ୍ରାଚ୍ୟୁଟିରେ ସିଲିଂ ଲାଗିବା ପରେ ମଧ୍ୟ ଅନ୍ୟ ସବୁ ୟୁନିଅନ ନୀରବ ରହିଲେ । କେବଳ ରିକସ ଓଡ଼ିଶା ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଛି । ଗ୍ରାଚ୍ୟୁଟି ବାବଦରେ ପରବର୍ତ୍ତୀ ଶୁଣାଣି ୨୦/୦୯/୨୦୨୪ରେ ଏବଂ ୩୯ ମାସର ଏରିୟର ସମ୍ପର୍କରେ ଶୁଣାଣି ୩୦/୦୯/୨୦୨୪ ତାରିଖରେ ଅଛି । ୟୁନିଅନ୍‌ ମାନଙ୍କର ବିଶ୍ୱାସ ହରାଇବା ପରେ ଏବେ କେବଳ କୋର୍ଟ ରାୟକୁ ଇସ୍ପାତ ଶ୍ରମିକ ଭରସା କରି ରହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରାଜେନ୍ଦ୍ର ନାଥ ମହାନ୍ତ, ଉମାକାନ୍ତ ସାମଲ, ସଞ୍ଜିବ ପତି, ଲଳିତ ଜେନା, ବିଶ୍ୱଜିତ ଜେନା, ସୁରେନ୍ଦ୍ର କଂସାରୀ, ସମିତା ମିଶ୍ର, ଦିପେନ ଶର୍ମା, ମାନସ ଦାସ, ରାଜେଶ ଦାସ, କମଳା ଧାରୁଆ, ଅଙ୍କିତା ଦାସ, ଅନୁଆରୀ ବେଗମ, ଶଙ୍କର ପ୍ରସାଦ, ବିକାଶ ପ୍ରଧାନ, ସୁବାସ ପାଢ଼ୀ, ଦୁର୍ଗାପ୍ରସାଦ ସାହୁ, ସୁକାନ୍ତ ଦାସ, ମୂରଲୀ ମଥାନ, ପ୍ରଦୀପ ବେହେରା, ସୂରଜ ସରାଫ, ପଦ୍ମନ ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ସରୋଜ ଜେନା, ଅନିଲ ନାୟକ, ଆଶିଷ ମହାନ୍ତି, ଆପ୍ପା ରାଓ, ସରୋଜ ପଣ୍ଡା, ପ୍ରଦୋଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.