ବିଭିନ୍ନ ଦାବି ନେଇ ସି.ପି.ଆଇ.ଏମ୍‌ର ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରରେ ବ୍ୟାପକ ଭାବରେ ବଢୁଥିବା ଡେଙ୍ଗୁର ତଡିତ ପ୍ରତିକାର ପାଇଁ ପ୍ରଶାସନ ପଦକ୍ଷେପ ନେବା, ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଆଳୁ, ପିଆଜ ଓ ଅନ୍ୟାନ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ କରିବା, ଥଇଥାନ ନ କରି ବସ୍ତି ଉଛେଦ ବନ୍ଦ କରିବା ଓ ସରକାର ଘୋଷଣା ମୁତାବକ ବାସହୀନମାନଙ୍କୁ ୪ ଡିସିମିଲ ଜମିପଟ୍ଟା ପ୍ରଦାନ ପ୍ରଭୃତି ଦାବିରେ ସି.ପି.ଆଇ.ଏମ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ମୂଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବିକ୍ଷୋଭରେ ସି.ପି.ଆଇ.ଏମ ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସି.ପି.ଆଇ.ଏମ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ଶ୍ରୀମନ୍ତ ବେହେରା, ବିମାନ ମାଇତି, ରାଉରକେଲା ଆଂଚଳିକ କମିଟି ସଂପାଦକ ମଣ୍ଡଳୀ ସଦସ୍ୟ ବିପି ମହାପାତ୍ର, ବସନ୍ତ ନାୟକ, ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଆଂଚଳିକ କମିଟି ସଦସ୍ୟ ସୁରେନ୍ଦ୍ର ମହାନ୍ତି, ଏନ.ଏନ ପାଣିଗ୍ରାହୀ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ଦିବାକର ମହାରଣା, ଅରୁଣ ମହାରଣା, ଅଜିତ ଏକ୍କା, ଅରୁ ଦାସ, ବସନ୍ତ ପାଢ଼ୀ, ଅନାଦି ସାହୁ ପ୍ରମୁଖ ବିକ୍ଷୋଭରେ ବକ୍ତବ୍ୟ ରଖି କହିଥିଲେ ଯେ ରାଉରକେଲା ଓଡ଼ିଶାର ଦ୍ୱିତୀୟ ସ୍ମାର୍ଟ ସହର ଓ ଶିଳ୍ପ ନଗରୀ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ରାଉରକେଲା ପ୍ରଶାସନ, ମହାନଗର ନିଗମ ଓ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷ ସାଧାରଣ ଲୋକଙ୍କୁ ମୌଳିକ ସେବା ସୁବିଧା ଯୋଗାଇ ଦେବାରେ ଗୁରୁତ୍ୱ ନ ଦେବା ଯୋଗୁଁ ସହରରେ ଡେଙ୍ଗୁରେ ସାଧାରଣ ଲୋକେ ଆକ୍ରାନ୍ତ ହୋଇ ଅକାଳରେ ଅନେକ ଜୀବନ ଚାଲି ଗଲାଣି । ପ୍ରାୟ ୧ ହଜାର ରୁ ଅଧିକ ଆକ୍ରାନ୍ତ ହୋଇ ରାଉରକେଲାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ସ୍ମାର୍ଟ ସିଟିର ଡିଣ୍ଡିମ ପିଟିବା ଛଡ଼ା ଡେଙ୍ଗୁର ପ୍ରତିକାର ପାଇଁ ସର୍ବନିମ୍ନ ମଶା ଧୁଆଁ ସିଞ୍ଚନ କରିବା, ମଶା ତେଲ ପକାଇବା, ବିଭିନ୍ନ ସ୍ଥାନରେ ନାଳ ନର୍ଦ୍ଦମାରୁ ଜଳ ନିଷ୍କାସନ କରିବା ସହିତ ସଫା କରିବା, ସଚେତନତା କାର୍ଯ୍ୟକ୍ରମ ପ୍ରସାର କରିବା ଓ ବିଭିନ୍ନ ସ୍ଥାନରେ ଡେଙ୍ଗୁ ପରୀକ୍ଷା କେନ୍ଦ୍ର ଖୋଲିବା ଆଦି ତୁରନ୍ତ ପଦକ୍ଷେପ ନେବାକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ଦାବି କରିଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧିକୁ ନିୟନ୍ତ୍ରିତ କରିବା, ସରକାର ଘୋଷଣା କରିଥିବା ବାସହୀନ ମାନଙ୍କୁ ୪ ଡିସିମିଲ ଜମିପଟ୍ଟା ପ୍ରଦାନ କରିବା, ଥଇଥାନ ନ କରି ବସ୍ତି ଉଛେଦ ବନ୍ଦ କରିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଲୋକଙ୍କୁ ଯୋଗାଇ ଦେବା ଦାବିରେ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି ଓ ରାଜ୍ୟ ସରକାର ଏ ଦିଗରେ ତଡିତ ପଦକ୍ଷେପ ଗ୍ରହଣ ନ କଲେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.