
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଖାଉଟିମାନଙ୍କୁ ଓଜନ ଓ ମାପରେ ଠକେଇ ନେଇ ଉପଭୋକ୍ତାଙ୍କ ପକ୍ଷରୁ ବାରମ୍ବାର ଅଭିଯୋଗ ହେବା ପରେ ଗୁରୁବାର ପୁରୀ ଜିଲ୍ଲା ଓଜନ ଓ ମାପ ବିଭାଗର ସହକାରୀ ନିୟନ୍ତ୍ରକ ଅକ୍ଷୟ କୁମାର ଭୋଇଙ୍କ ନେତୃତ୍ଵରେ ଡିସିଏଲ୍ଏମ୍ ପ୍ରଗତି ନାୟକ ଓ ସହକାରୀ କ୍ଷେତ୍ର ଅଧିକାରୀ ଦେବାଶିଷ ମହାପାତ୍ର ପ୍ରମୁଖ ଡେଲାଙ୍ଗ ହାଟ ବଜାର, କଲ୍ୟାଣପୁର ବଜାର, ଘୋରଡ଼ିଆ ବଜାରରେ ଅଚାନକ ଚଢ଼ାଉ କରି ଓଜନ ଓ ମାପରେ ଅନିୟମିତତା ପାଇଁ ଜୋରିମାନା ଆଦାୟ କରିଥିବା ଜଣାପଡିଛି । ଏହି ଅଧିକାରୀମାନେ ଅଚାନକ ଡେଲାଙ୍ଗର ବିଭିନ୍ନ ବଜାରରେ ପହଞ୍ଚି ତେଜରାତି ଦୋକାନ, ମାଛ, ଫଳ ଓ ପରିବା ଦୋକାନ ସମେତ ମିଷ୍ଟାନ୍ନ ଭଣ୍ଡାରରେ ଚଢାଉ କରିଥିବାବେଳେ ଓଜନ ଓ ମାପରେ ବ୍ୟାପକ ଠକେଇ ହୋଇଥିବା ନଜରକୁ ଆସିଥିଲା ବୋଲି ବିଭାଗୀୟ ସହକାରୀ ନିୟନ୍ତ୍ରକ ଶ୍ରୀ ଭୋଇ ସୂଚନା ଦେଇଛନ୍ତି । ଏହି ଚଢ଼ାଉରେ ସ୍ଥାନୀୟ ଫାଣ୍ଡି ଅଧିକାରୀ ଧନପତି ପିଙ୍ଗ ସଦଳବଳ ସାମିଲ୍ ହୋଇଥିବାବେଳେ ଆଗାମୀ ଦିନରେ ଚଢାଉକୁ ବ୍ୟାପକ କରାଯିବ ବୋଲି ଡିସିଏଲ୍ଏମ୍ ପ୍ରଗତି ନାୟକଙ୍କଠାରୁ ସୂଚନା ମିଳିଛି ।