ପ୍ରେମବିବାହ ପାଇଁ ଶବକୁ ଜାତି ସମାଜ କରିଦେଲା ପର : ଅଛୁଆଁ ଶବ ଏବଂ ଅନ୍ୟ ଦୁଇ ଅପରିଚିତ ଶବକୁ ସସମ୍ମାନେ ସତ୍କାର କଲା ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତିପ୍ରଥାର ଶିକାର ହୋଇଥିବା ଗୋଟିଏ ଶବ ଏବଂ ଦୁଇଟି ଅପରିଚିତ ଶବ ମିଶି ତିନୋଟି ଶବକୁ ଏକାସାଙ୍ଗରେ ସସମ୍ମାନେ ସତ୍କାର କରିଛି ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଭାଲୁମୁକୁନ୍ଦ ଗ୍ରାମର ବଶିଷ୍ଠ ଧରୁଆ ଅନ୍ୟ ଜାତିର ଝିଅକୁ ପ୍ରେମବିବାହ କରି ନିଜ ଗ୍ରାମରେ ରହିଆସୁଥିଲେ । ପାରିବାରିକ କାରଣରୁ ଗତକାଲି ନିଜ ଘରେ ସେ ଆତ୍ମହତ୍ୟା କରିଦେଇଥିଲେ । ତାଙ୍କ ସ୍ତ୍ରୀ ଝୁମି ଧରୁଆଙ୍କ କହିବାନୁଯାୟୀ ସେ ନିଜେ କେଉଁଟ ଜାତିର ଝିଅ ହୋଇଥିବା ବେଳେ ଗଣ୍ଡ ଜାତିର ପୁଅକୁ ପ୍ରେମବିବାହ କରିଥିବାରୁ ମୃତ୍ୟୁ ପରେ ଜାତି ସମାଜ ତାଙ୍କ ସ୍ୱାମୀଙ୍କ ଶବକୁ ବାସନ୍ଦ କରିଦେଇଥିଲେ । ସ୍ୱାମୀଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ଅନେକ ଅନୁରୋଧ କରିବା ସତ୍ତ୍ୱେ ମଧ୍ୟ ଗାଁରେ ଜାତି ଭାଇମାନେ ଶବକୁ ଛୁଇଁବେ ନାହିଁ କି ଦାହ କରିବେ ନାହିଁ ବୋଲି ରୋକଠୋକ ମନା କରିଦେଇଥିଲ । ଫଳରେ ହତଭାଗା ସ୍ତ୍ରୀ ଜଣକ ବଲାଙ୍ଗିର ସେ୍‌ସ୍ୱଚ୍ଛାସେବୀ ସଂଗଠନକୁ ଯୋଗାଯୋଗ କରିବା ସହିତ ନିଜ ଛୋଟ ଛୋଟ ଦୁଇ ପୁଅଝିଅଙ୍କୁ ଧରି ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । ସ୍ଥାନୀୟ ପୋଲିସଙ୍କୁ ଖବର ଦେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ସ୍ତ୍ରୀଙ୍କୁ ହସ୍ତାନ୍ତର କରଯାଇଥିଲା । ପରେ ଶବ ସତ୍କାର ପାଇଁ ମୃତକଙ୍କ ସ୍ତ୍ରୀ ଝୁମି ଧରୁଆ ନିଜକୁ ଅସହାୟ ମଣିବାରୁ ସ୍ୱାମୀଙ୍କ ଶବକୁ ସ୍ଥାନୀୟ ପୋଲିସ ଉପସ୍ଥିତିରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଲିଖିତ ହସ୍ତାନ୍ତର କରିଦେଇଥିଲେ । ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମହାପ୍ରୟାଣ ଗାଡିରେ ଶବକୁ ସ୍ଥାନୀୟ ବିଭୁତିପଡା ଶ୍ମଶାନକୁ ନେଇ ସସମ୍ମାନେ ସତ୍କାର କରିଥିଲେ । ଏହା ସହ ଟିଟିଲାଗଡରୁ ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ସ୍ୱେଚ୍ଛାସେବୀ ମାନେ ଦୁଇଜଣ ବ୍ୟକ୍ତିଙ୍କୁ ଆଣି ଭୀମ ଭୋଇ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରି ଚାଲି ଯାଇଥିଲେ । କିଛିଦିନ ପରେ ଚିକିତ୍ସାଧିନ ଅବସ୍ଥାରେ ଭିନ୍ନ ଭିନ୍ନ ସମୟରେ ଉଭୟଙ୍କର ମୃତ୍ୟୁବରଣ ଘଟିଯାଇଥିଲା । ସ୍ଥାନୀୟ ପୋଲିସ ଶବ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ କରିବା ପରେ ଔପଚାରିକତା ଦୃଷ୍ଟିରୁ ଶବ ଚିହ୍ନଟ ପାଇଁ ଶବ ସଂରକ୍ଷଣ କେନ୍ଦ୍ରରେ ସଂରକ୍ଷିତ ରଖିଥିଲା । କୌଣସି ପରିଚୟ ନ ମିଳିବାରୁ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଯୋଗାଯୋଗ ପରେ ସଦସ୍ୟ ମାନେ ଶବ ଦ୍ୱୟକୁ ମହାପ୍ରୟାଣ ଗାଡିରେ ସ୍ଥାନୀୟ ବିଭୁତିପଡା ଶ୍ମଶାନକୁ ନେଇ ସମ୍ମାନର ସହ ସତ୍କାର କରି ଫେରିଥିଲେ । ଏହିପରି ଭାବରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ଏକାସାଙ୍ଗରେ ତିନିଗୋଟି ଅସହାୟ ଶବ ସତ୍କାର ସମ୍ପନ୍ନ କରାଯାଇଥିଲା । ଏହି ଶବ ସତ୍କାରରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ରବୀନ୍ଦ୍ର ପ୍ରଧାନ, ଲିଙ୍କନ ସେଠ, ସୀମାଞ୍ଚଲ ସୁନା, ପ୍ରଦୀପ ଜୁଏଡ୍‌, ସୁବାଷ ବାଗ ଓ ତନ୍ମୟ ପୁଟେଲ ସାମିଲ୍‌ ରହିଥିଲେ ।

Leave A Reply

Your email address will not be published.