jsm

ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପାଇଁ ଯନ୍ତ୍ରଣାର ପୁନରାବୃତ୍ତି

csstore

ଜୟପାଟଣା, (ଶେଷଦେବ ବେହେରା) : ଏବେ ଭୋଟ୍‌ର ବେଳା ଆସିଛି । ଖାଲଖମା ନମାନି ଗାଁ ଗାଁ ବୁଲିବେ ନେତା ଓ କର୍ମୀ । ମତଦାତାଙ୍କୁ ମନେଇବା ପାଇଁ ଅନେକ ଲୋଭନୀୟ କଥା ଓ ଉପହାର ଯାଚିବେ । ସାମାନ୍ୟ ପ୍ରତିକ୍ରିୟା ରଖି ଶେଷରେ ଫାନ୍ଦରେ ପଡ଼ିଯିବେ ମତଦାତା । ସେତିକି ବେଳେ ନୈତିକତା ଓ ବିଚାର ଧାରା ସମ୍ପନ୍ନ ଭୋଟରମାନଙ୍କୁ ହତାଶା ମଧ୍ୟରେ ଦିନ କାଟିବାକୁ ପଡେ । ଫଳରେ ମୌଳିକ ବିକାଶ ପୁଣି ପାଞ୍ଚ ବର୍ଷ ପାଇଁ ଉଭେଇଯାଏ । ଠିକ୍ ସେମିତି ଏକଦା ନିଜର ପ୍ରାକୃତିକ ବୈଭବକୁ ନେଇ ସ୍ୱପ୍ନ ଆଙ୍କୁଥିବା ଥୁଆମୁଲ ରାମପୁର ବ୍ଲକର ଅନେକ ଅଞ୍ଚଳ ବିକାଶରୁ ବହୁ ଦୁରେ । ଯେଉଁଠି ସର୍ବନିମ୍ନ ମୌଳିକ ଅଧିକାର ପାଇଁ ସମସ୍ତଙ୍କର ଲଢେଇ । ଲୋକଙ୍କୁ କିନ୍ତୁ ସବୁବେଳେ ଆସ୍ୱାଶନାରେ ସନ୍ତୁଷ୍ଟ ହେବାକୁ ପଡେ ତାର ଏକ ଜ୍ୱଳନ୍ତ ଉଦାହରଣ କଳାହାଣ୍ଡି ଜିଲ୍ଲା ଥିଆମୁଲ ରାମପୁର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳ ଭଣ୍ଡାର ମଧ୍ୟରେ ଅବସ୍ଥିତ ପୋଡ଼ା ପଦର ପଞ୍ଚାୟତ । ତଳ ନାଗୀ ପଞ୍ଚାୟତରୁ ବିଭାଜିତ ହୋଇ ନୂଆ ପଞ୍ଚାୟତର ମାନ୍ୟତା ପାଇଥିବା ପୋଡ଼ାପଦର୍ ପଞ୍ଚାୟତର ଅବସ୍ଥିତି ଜଳ ଭଣ୍ଡାରର ପରିଧି ମଧ୍ୟରେ ପଞ୍ଚାୟର ଛଅ ଖଣ୍ଡ ରାଜସ୍ୱ ଗାଁ ଭିତର ଡଙ୍ଗା, ଝିରି, କଲାଟି, ପୋଡାପଦର୍, ସରାଫାସ, ତଳ ଗୁଞ୍ଜମାଲି ସାଙ୍ଗରେ ମୋଟ୍‌ ୧୬ଟି ଗ୍ରାମ ଜଳଭଣ୍ଡାରର ପରିଧି ମଧ୍ୟରେ ରହିଆସିଛି । କୌଣସି ବିପର୍ଜୟ ନଆସିବା ପର୍ଯ୍ୟନ୍ତ ଏମାନଙ୍କୁ କେହି ମନେ ପକାନ୍ତି ନାହିଁ । ଏବେ ନିର୍ବାଚନ ସମୟ ଆସିଯାଇଥିଲା ବେଳେ ସମସ୍ତେ ଏମାନଙ୍କ ପାଇଁ ସର୍ବାଙ୍ଗୀନ ବିକାଶର କଥା କହି ପୁଣି ପ୍ରତାରଣାରେ ପୋତି ଦେବେ । ଭୌଗୋଳିକ ପ୍ରତିବନ୍ଧକକୁ ନିଜର ପାଥେୟ କରି ପଚିଶ ବର୍ଷ ଧରି ଇନ୍ଦ୍ରାବତୀ ଜଳ ଭଣ୍ଡାରର ପରିଧି ମଧ୍ୟରେ ରହି ଆସୁଥିବା ଏହି ମଣିଷମାନେ ସବୁ ବେଳେ ନେତା ଓ ପ୍ରଶାସନରେ ଅବହେଳାର ଶିକାର ହୋଇଥାନ୍ତି । ଅନେକ ସମୟରେ ଡଙ୍ଗା ବୁଡିରେ ଜୀବନ ଦେଇ ଜାଣିଥିବା ଏହି ମଣିଷଙ୍କ ପାଇଁ ମତଦାନ ପାଇଁ ମଧ୍ୟ କାଠ ଡଙ୍ଗାରେ ଯିବାକୁ ପଡିଥାଏ । ଜଳବନ୍ଦୀ ଅଞ୍ଚଳରେ ବୁଥ୍‌ ସଂଖ୍ୟା ତିନି ଥିବାବେଳେ ଭୋଟର ସଂଖ୍ୟା ୨୫୬୦ରହିଛି । ଘୁତୁରୁଖାଲ ବୁଥ୍‌ରେ ୧୧୪୯ ଜଣ ମତଦାତା ଥିବା ବେଳେ ଝିରୀ, ଉପର ଗୁଞ୍ଜମାଳି, ତଳ ଗୁଞ୍ଜମାଳି, ପୋଡ଼ି ପଦର, କଳାଟି, ଉପର ପୁଙ୍ଗା, ଭୂର୍ଭୂରୁ ଟେମରା, ସରାଫାସ୍, ତଳ ଟେମେରା, ଢିପଟେମରା ଆଦି ସ୍ଥାନମାନଙ୍କର ଲୋକେ ବିପଦ ସଙ୍କୁଳ ଡଙ୍ଗା ମାଧ୍ୟମରେ କିଲୋମିଟର କିଲୋମିଟର କାଠ ଡଙ୍ଗାରେ ଯାତ୍ରା କରି ଭୋଟ୍‌ ଦେବାକୁ ପଡିଥାଏ । ନିଜର ଭୋଟ୍‌ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବର୍ଷ ବର୍ଷ ଧରି ନିଜର ଜୀବନ ସାଙ୍ଗରେ ଖେଳି ଆସୁଥିବା ଏହି ଜଳ ବନ୍ଦୀ ଅଞ୍ଚଳର ମଣିଷମାନଙ୍କର ଦୁଃଖ କେବେ ଲାଘବ ହେବ ତାହା ଦେଖିବାର ବେଳ ଆସିଛି ।

yuvodaya
Leave A Reply

Your email address will not be published.