ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲ୍ ଉପରେ ବଲାଙ୍ଗିର ସହ ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ବରଗଡ଼, ନୂଆପଡ଼ା ଜିଲ୍ଲାରୁ ପ୍ରତ୍ୟହ ୨ ହଜାରରୁ ୨୫ ଶହ ରୋଗୀ ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି । ତେବେ ଏତିକି ରୋଗୀଙ୍କ ପାଇଁ ଟିକେଟ କରିବାକୁ ୫ଟି କାଉଣ୍ଟରର ବ୍ୟବସ୍ଥା ରହିଛି । କ୍ୟୁଆର୍ କୋର୍ଡ ମାଧ୍ୟମରେ ସେଲ୍ପ ରେଜିଷ୍ଟ୍ରେସନ ପାଇଁ ଆହୁରି ୨ଟି କାଉଣ୍ଟରର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହାର ବ୍ୟବହାର ଅଧିକାଂଶ ରୋଗୀ ଓ ରୋଗୀଙ୍କ ପରିଜନଙ୍କୁ ଜଣା ନଥିବାରୁ ଏହାର ଫାଇଦା ଲୋକଙ୍କୁ ମିଳୁନଥିବା ଦେଖିବାକୁ ମିଳିଛି । ଏପରିକି ଏହାର ବ୍ୟବହାର ତରିକା ବତେଇବା ପାଇଁ ମଧ୍ୟ ସେଠାରେ କେହି ରହୁନଥିବାରୁ ଏହି ଦୁଇ କାଉଣ୍ଟର ବିଶେଷ କାମରେ ଆସୁନଥିବା କୁହାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଶେଷଜ୍ଞ ଡାକ୍ତରମାନେ ଦିନ ଦଶଟାରୁ ସାଢେ ବାରଟା ପର୍ଯ୍ୟନ୍ତ ରୋଗୀଙ୍କ ଚିକିତ୍ସା କରୁଥିବା ବେଳେ ଏହାପରେ ପୁଣି ଅପରାହ୍ନ ସମୟରେ ବସୁଛନ୍ତି । ଦିନ ୮ରୁ ସାଢେ ୧୨ଟା ପର୍ଯ୍ୟନ୍ତ ଲାଇନ୍ରେ ରହି ଲୋକେ ଟିକେଟ କରୁଥିବା ବେଳେ ଦୂରଦୂରାନ୍ତରୁ ଆସୁଥିବା ସହ ଗୁରୁତର ଅସୁସ୍ଥ ଥିବା ରୋଗୀମାନେ ହଇରାଣ ହେଉଥିବା ଅଭିଯୋଗ ହେଉଛି ।
