ଫେବୃଆରୀ ୨୬ରେ ପ୍ରାୟ ୪୧,୦୦୦ କୋଟି ଟଙ୍କାର ୨୦୦୦ରୁ ଅଧିକ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ

  • ପ୍ରଧାନମନ୍ତ୍ରୀ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ ଟି ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ଶିଳାନ୍ୟାସ କରିବେ
  • ପୁନଃବିକଶିତ ଗୋମତୀ ନଗର ରେଳ ଷ୍ଟେସନର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ
  • ପ୍ରାୟ ୨୧,୫୨୦ କୋଟି ଟଙ୍କା ବ୍ୟୟରେ ସମଗ୍ର ଦେଶରେ ୧୫୦୦ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍‌ର ଶିଳାନ୍ୟାସ, ଉଦ୍‌ଘାଟନ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୬ ତାରିଖ ଅପରାହ୍ନ ସାଢେ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ୪୧,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରାୟ ୨୦୦୦ ରେଳ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ରେଳ ଷ୍ଟେସନରେ ବିଶ୍ୱସ୍ତରୀୟ ସୁବିଧା ଉପଲବ୍ଧ କରାଇବା ଉପରେ ପ୍ରଧାନମନ୍ତ୍ରୀ ବାରମ୍ବାର ଗୁରୁତ୍ୱାରୋପ କରିଛନ୍ତି । ଏହି ପ୍ରୟାସର ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୫୫୩ଟି ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ କରିବେ । ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଏହି ଷ୍ଟେସନଗୁଡ଼ିକୁ ୧୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ପୁନଃବିକଶିତ କରାଯିବ । ଏହି ଷ୍ଟେସନଗୁଡ଼ିକ ସହରର ଉଭୟ ପାର୍ଶ୍ୱକୁ ମିଶାଇ ‘ସିଟି ସେଣ୍ଟର’ ଭାବେ କାର୍ଯ୍ୟ କରିବ । ଏଥିରେ ରୁଫ୍ ପ୍ଲାଜା, ସୁନ୍ଦର ଲ୍ୟାଣ୍ଡସ୍କେପିଂ, ଇଣ୍ଟର ମୋଡାଲ କନେକ୍ଟିଭିଟି, ଉନ୍ନତ ଆଧୁନିକ ପ୍ଲାଟଫର୍ମ, କିଡ୍ସ ପ୍ଲେ ଏରିଆ, କିଓସ୍କ, ଫୁଡ୍ କୋର୍ଟ ଆଦି ଅତ୍ୟାଧୁନିକ ଯାତ୍ରୀ ସୁବିଧା ଉପଲବ୍ଧ ହେବ । ଏହାକୁ ପରିବେଶ ଅନୁକୂଳ ଏବଂ ଦିବ୍ୟାଙ୍ଗ ଅନୁକୂଳ ଭାବେ ପୁନଃବିକଶିତ କରାଯିବ । ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟରୁ ପ୍ରେରିତ ହୋଇ ଏହି ଷ୍ଟେସନ ଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଉତ୍ତର ପ୍ରଦେଶର ଗୋମତୀ ନଗର ଷ୍ଟେସନକୁ ଉଦ୍‌ଘାଟନ କରିବେ ଯାହାକୁ ପ୍ରାୟ ୩୮୫ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ କରାଯାଇଛି । ଭବିଷ୍ୟତରେ ବଢ଼ୁଥିବା ଯାତ୍ରୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଏହି ଷ୍ଟେସନରେ ଆଗମନ ଓ ପ୍ରସ୍ଥାନ ସୁବିଧାକୁ ଅଲଗା କରାଯାଇଛି । ଏହା ସହରର ଉଭୟ ପାର୍ଶ୍ୱକୁ ଏକାଠି କରିଥାଏ । ଏହି ସେଣ୍ଟ୍ରାଲ ଏୟାର କଣ୍ଡିସନ ଷ୍ଟେସନରେ ଏୟାର କନକୋର୍ସ, ଭିଡ଼ ମୁକ୍ତ ପରିବହନ, ଫୁଡ୍ କୋର୍ଟ ଏବଂ ଉପର ଓ ତଳ ବେସମେଣ୍ଟରେ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ଭଳି ଅତ୍ୟାଧୁନିକ ଯାତ୍ରୀ ସୁବିଧା ରହିଛି । ପ୍ରଧାନମନ୍ତ୍ରୀ ୧୫୦୦ ରୋଡ୍ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍‌ର ଶିଳାନ୍ୟାସ, ଉଦ୍‌ଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବ୍ୟାପିଥିବା ଏହି ସଡ଼କ ଓଭର ବ୍ରିଜ୍ ଏବଂ ଅଣ୍ଡରପାସ୍ ପ୍ରକଳ୍ପଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ୨୧,୫୨୦ କୋଟି ଟଙ୍କା । ଏହି ପ୍ରକଳ୍ପଗୁଡ଼ିକ ଭିଡ଼ ହ୍ରାସ କରିବ, ନିରାପତ୍ତା ଏବଂ ଯୋଗାଯୋଗ ବୃଦ୍ଧି କରିବ, ରେଳ ଯାତ୍ରାର କ୍ଷମତା ଏବଂ ଦକ୍ଷତାରେ ମଧ୍ୟ ଉନ୍ନତି ଆଣିବ ।

Leave A Reply

Your email address will not be published.