ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ପଞ୍ଚାୟତରେ ରବିବାର କଲ୍ୟାଣ ମଣ୍ଡପଠାରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି । ଛତ୍ରପୁର ବ୍ଲକ ଉପାଧ୍ୟକ୍ଷା ସାଡି ଶାରଦା ରେଡ୍ଡୀ, ବଡ଼ମାଧପୁର ସରପଞ୍ଚ ଅର୍ଚ୍ଚନା କୁମାରୀ ସେଠୀ ଅତିଥି ଭାବେ ଯୋଗଦେଇ ଏହି ଭତ୍ତା ବଣ୍ଟନ କରିଥିଲେ । ଭତ୍ତା ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରି ଭତ୍ତା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଛତ୍ରପୁର ବ୍ଲକର ୧୪୫୧ ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ ହୋଇଥିବା ବେଳେ ବଡମାଧପୁରରେ ୧୦୭ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏଥିସହ ଭତ୍ତା ବାବଦରେ ୫୦୦ ଟଙ୍କାରୁ ୧ ହଜାର ଟଙ୍କାକୁ ରାଜ୍ୟ ସରକାର ବୃଦ୍ଧି କରିଥିଲେ । ଏହି ପରିପ୍ରେକ୍ଷୀରେ ନୂତନ ହିତାଧିକାରୀଙ୍କୁ ପ୍ରଥମ ଭତ୍ତା ଦେବା ସହ ୧ ହଜାର ଟଙ୍କା, ଭତ୍ତା ବାବଦରେ ଅର୍ଥ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ସାହୁ, ନାଏବ ସରପଞ୍ଚ ସରଞ୍ଜିତା ପରିଡା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏସ. କିଶୋର ଚନ୍ଦ୍ର ରେଡ୍ଡୀ, ଶିବ ଶଙ୍କର ସେଠୀ, ମହେଶ୍ୱର ପ୍ରଧାନ, ୱାର୍ଡ଼ ମେମ୍ବର ଏସ୍. ସହଦେବ ରେଡ୍ଡୀ, କ୍ଷେତ୍ର ନାଇକ, କେ. ବିଜୟ ରେଡ୍ଡୀ, ରାଜଲକ୍ଷ୍ମୀ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।